ଦାଦନ ଶ୍ରମିକ ଚାଲାଣ ବେଳେ ଦଲାଲ ଗିରଫ , ୪ ଶ୍ରମିକ ଉଦ୍ଧାର

ରାୟଗଡ଼ା : ରାୟଗଡ଼ା ଜିଲା କଲ୍ୟାଣସିଂହପୁରରେ ଦାଦନ ଶ୍ରମିକ ଚାଲାଣ ବେଳେ ଜଣେ ଦଲାଲଙ୍କୁ ପୁଲିସ ଗିରଫ କରିବା ସହ ସୋମବାର କୋର୍ଟ ଚାଲାଣ କରିଛି। ଏହାସହ ୪ ଜଣ ଶ୍ରମିକଙ୍କୁ ମଧ୍ୟ ପୁଲିସ ଉଦ୍ଧାର କରିଛି। ସୂଚନା ଯୋଗ୍ୟ, କଲ୍ୟାଣସିଂହପୁର ପୁଲିସ କୌଣସି ସୂତ୍ରରୁ ଖବର ପାଇ ସିକରପାଇ ବସଷ୍ଟାଣ୍ଡ ଠାରେ ଜଣେ ଦାଦନ ଦଲାଲ ବଳରାମ ଜେନାଙ୍କୁ ଶ୍ରମିକ ଚାଲାଣ ବେଳେ ଗିରଫ କରିଥିଲା। ଗିରଫ ହୋଇଥିବା ଦଲାଲ କେନ୍ଦୁଝର ଜିଲାର ଶଙ୍ଖନନ୍ଦିପଡ଼ା ଗାଁର ବୋଲି ଜଣାପଡ଼ିଛି। ଉଦ୍ଧାର ହୋଇଥିବା ୪ ଜଣ ଶ୍ରମିକ ହେଲେ କାଶୀପୁର ବ୍ଲକ ଅନ୍ତର୍ଗତ ଗୋଡ଼ବାଲି ପଞ୍ଚାୟତର ଗୁଡ଼େଲ ଗାଁର ରହନ ନାଚିକା, ସାନ ମାଟୁର ଗାଁର ମହେନ୍ଦ୍ର ହିକକା, ବଡ଼ ମାଟୁର ଗାଁର ଅଭିରାମ ମାଝି। ଏମାନଙ୍କ ସହ ଅନ୍ୟ ଜଣେ ନାବାଳକକୁ ଦଲାଲ ବଳରାମ ଜେନା କେରଳକୁ ଦାଦନ ଖଟିବାକୁ ପଠାଉଥିଲା। ଏହି ସମୟରେ ପୁଲିସ ଚଢାଉ କରି ବଳରାମ ଜେନାଙ୍କୁ ଗିରଫ କରିଥିଲା। ଏହାସହ ଉଦ୍ଧାର ହୋଇଥିବା ୪ ଜଣ ଶ୍ରମିକଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିବା ଆଇଆଇସି ସୁକୁମା ହଂସଦା ସୂଚନା ଦେଇଛନ୍ତି।

Comments are closed.