କଳାହାଣ୍ଡିରେ ଦାନ ମାଝି ଘଟଣାର ପୁନରାବୃତ୍ତି; ସ୍ତ୍ରୀ ମୃତଦେହକୁ ୮ କି.ମି. କାନ୍ଧରେ ବୋହିଲେ ସ୍ବାମୀ

ଭବାନୀପାଟଣା: ପୁଣିଥରେ ଦାନ ମାଝି ଘଟଣାର ପୁନରାବୃତ୍ତି ଦେଖିବାକୁ ମିଳିଛି। ଶବ ବାହକ ନ ମିଳିବାରୁ କାନ୍ଧରେ ପୁଣି ମୃତଦେହ ବୁହା ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା କଳାହାଣ୍ଡି ଜିଲାରେ ଦେଖିବାକୁ ମିଳିଛି।

ସୂଚନା ଅନୁସାରେ, ଲାଞ୍ଜିଗଡ଼ ବ୍ଲକ ଅନ୍ତର୍ଗତ ବରାପାଲି ଗାଁର କୁନି ନାଏକଙ୍କୁ ଜ୍ଵର ହେବାରୁ ଗତ ୨୬ ତାରିଖରେ ପରିବାର ଲୋକେ ତାଙ୍କୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତ ବୁଧବାର ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ପରିବାର ବର୍ଗ ଶବ ଵାହକ ଗାଡି ମାଗିବାରୁ ଚିକିତ୍ସାଳୟର କର୍ମଚାରୀ ବିଭିନ୍ନ ବାହାନା କରି କଥାକୁ ଏଡ଼ାଇ ଯାଇଥିଲେ। ଦୀର୍ଘସମୟ ପରେ ତାଙ୍କ ସ୍ବାମୀ ବାଧ୍ୟ ହୋଇ ମୃତଦେହକୁ କାନ୍ଧରେ ବୋହି ଗାଁ ଅଭିମୁଖେ ବାହାରିଥିଲେ। ପ୍ରାୟ ୮କି.ମି ମୃତଦେହ ବୋହିନେବା ପରେ ସ୍ୱାସ୍ଥ୍ୟ ବିଭାଗ ତତ୍ପରତା ଦେଖାଇ ଶବ ଵାହକ ଗାଡ଼ି ପଠାଇଥିଲା। ମାତ୍ର ପରିବାର ଲୋକେ ଏବଂ ଗାଁ ଲୋକେ ସେ ଗାଡ଼ିର ସହାୟତା ନେଇ ନ ଥିଲେ। ନିଜସ୍ୱ ଖର୍ଚ୍ଚରେ ଏକ ଗାଡି କରି ମୃତଦେହକୁ ଗାଁକୁ ନେଇଥିଲେ।

ତେବେ ଏଭଳି ଘଟଣା ଜିଲ୍ଲାରେ ନୂଆଁ ନୁହେଁ। ଦାନ ମାଝି ଘଟଣା କେବଳ ଦେଶରେ ନୁହେଁ, ବିଦେଶରେ ବି ଚର୍ଚ୍ଚାର ବିଷୟ ପାଲଟିଥିଲା। ସାଧାରଣ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବା ପାଇଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗରେ ୫-ଟି ଲାଗୁ କରିବା ପରେ ଲୋକଙ୍କ ମନରେ ଅନେକ ଆଶା ସଂଚାର ହୋଇଥିଲା । କିନ୍ତୁ ଏହା ପରେ ବି ଏଭଳି ଘଟଣା ଘଟୁଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପଟେ କଳାହାଣ୍ଡି ଜିଲ୍ଲାପାଳ ଏହି ଘଟଣାକୁ ଟ୍ବିଟ୍‌ ଯୋଗେ ଖଣ୍ଡନ କରିଛନ୍ତି।

Comments are closed.