ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଖ୍ୟାତନାମା ଅନୁବାଦକ ଜି. ନଞ୍ଜୁନ୍ଦନଙ୍କ ପରଲୋକ

ବେଙ୍ଗାଲୁରୁ : କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାରପ୍ରାପ୍ତ ଖ୍ୟାତନାମା ଅନୁବାଦକ ଡ଼କ୍ଟର ଜି. ନଞ୍ଜୁନ୍ଦନଙ୍କ ପରଲୋକ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି। ଗତ ଶନିବାର ନାଗଦେବନହଲ୍ଲି ଠାରେ ଥିବା ଆପାର୍ଟମେଣ୍ଟରେ ଥିବା ତାଙ୍କ ଘରୁ ମୃତଦେହ ଉଦ୍ଧାର ହୋଇଛି ବୋଲି ପୁଲିସ ଠାରୁ ସୂଚନା ମିଳିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୮ ବର୍ଷ ବୟସ ହୋଇଥିଲା। ସୂଚନାଯୋଗ୍ୟ, ବେଙ୍ଗାଲୁରୁ ୟୁନିଭର୍ସିଟିରେ ସେ ଜଣେ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ମାତ୍ର କିଛି ଦିନ ହେବ ସେ ବିଶ୍ୱବିଦ୍ୟାଳୟକୁ ଯାଉ ନ ଥିବାରୁ ତାଙ୍କର ଜଣେ ସହକର୍ମୀଙ୍କର ସନ୍ଦେହ ହୋଇଥିଲା। ଏହାପରେ ସେ ଶୁକ୍ରବାର ଦିନ ନଞ୍ଜୁନ୍ଦନଙ୍କ ଘରକୁ ଯିବାରୁ ତାଙ୍କ ଘରୁ ର୍ଦୁଗନ୍ଧ ବାହାରୁଥିବା ଜାଣିବାକୁ ପାଇ ତାଙ୍କ ପତ୍ନୀ ଓ ପୁତ୍ରଙ୍କୁ ସୂଚନା ଦେଇଥିଲେ। ପରିବାର ଲୋକେ ଏ ନେଇ ପୁଲିସକୁ ଜଣାଇବା ପରେ ପୁଲିସ ପହଞ୍ଚି ଘରର କବାଟ ଭାଙ୍ଗି ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିର୍ପୋଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପୁଲିସ କହିଛି।
ନଞ୍ଜୁନ୍ଦନ କେତେକ କନ୍ନଡ଼ ଲେଖିକାଙ୍କ କ୍ଷୁଦ୍ରଗଳ୍ପକୁ ତାମିଲ ଭାଷାରେ ଅନୁବାଦ କରିଥିଲେ। ସେହି ଅନୁବାଦ ପାଇଁ ୨୦୧୨ରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀର ଅନୁବାଦ ପୁରସ୍କାର ମିଳିଥିଲା। ଏହାସହ କନ୍ନଡ଼ ଭାଷାରୁ ତାମିଲ ଭାଷାକୁ ଅନେକ ବହି ଅନୁବାଦ କରି ନଞ୍ଜୁନ୍ଦନ ବେଶ ଖ୍ୟାତି ଅର୍ଜନ କରିଥିଲେ।

Comments are closed.