ପୃଥକ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ମୃତ, ୩ ଆହତ

ଭୁବନେଶ୍ୱର : ସାରା ରାଜ୍ୟରେ ଲଗାଣ ବର୍ଷା ଲାଗି ରହିବା କାରଣରୁ ବିଭିନ୍ନ ସ୍ଥାନରେ କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି।
ବାଲେଶ୍ୱର ଜିଲା ରାଇବଣିଆ ଥାନା ଅନ୍ତର୍ଗତ ଭଦୁଆ ଗାଁରେ ଗୁରୁବାର ବିଳମ୍ବିତ ରାତିରେ କାନ୍ଥ ଭୁଶୁଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ଓ ୪ ବର୍ଷର ଝିଅ ଆହତ ହୋଇଛନ୍ତି। ସେମାନଙ୍କୁ ହାତୀଗଡ଼ ଗୋଷ୍ଟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
କେନ୍ଦ୍ରାପଡ଼ା ଜିଲା ଆଳି ଥାନା ଅନ୍ତର୍ଗତ ଗଣେସ୍ୱରପୁର ନୂଆସାହି ଗାଁରେ ଘରର କାନ୍ଥ ଭୁଶୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି। ତାଙ୍କ ସ୍ତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଗୁରୁବାର ବିଳମ୍ବିତ ରାତିରେ ଶୋଇଥିବା ସମୟରେ ହଠାତ ମାଟି କାନ୍ଥ ଭୁଶୁଡ଼ି ପଡ଼ିଥିବାରୁ ଘଟଣାସ୍ଥଳରେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି।
ସେହିପରି ପୁରୀ ଜିଲା କୁମ୍ଭାରପଡ଼ାରେ କାନ୍ଥ ଭୁଶୁଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ସେ ରସାନନ୍ଦ ବିଶୋୟୀ ବୋଲି ଜଣାପଡ଼ିଛି। ଗୁରୁତର ଅବସ୍ଥାରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.