ପାଣି ହାଣ୍ଡିରେ ବୁଡ଼ି ଶିଶୁ ମୃତ

ଦେବଗଡ଼ : ଦେବଗଡ଼ ଥାନା ଅନ୍ତର୍ଗତ ସାମନ୍ତ୍ରାପାଲି ଗ୍ରାମରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ପାଣି ହାଣ୍ଡିରେ ବୁଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଛି। ମୃତ ଶିଶୁ ପ୍ରିନ୍ସ ସାହୁ (୨)। ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୮ଟା ସମୟରେ ସାମନ୍ତ୍ରାପାଲି ଗ୍ରାମର ପ୍ରଶାନ୍ତ ସାହୁଙ୍କ ପୁତ୍ର ପ୍ରିନ୍ସ ସାହୁ ଘରେ ଖେଳୁଥିବା ସମୟରେ ଅନ୍ୟ ସଦସ୍ୟମାନେ ନିଜ କାର୍ଯ୍ୟରେ ବ୍ୟସ୍ତ ଥିଲେ। ଏହି ସମୟରେ ଘରେ ଥିବା ଏକ ବଡ଼ ହାଣ୍ଡି ( ଧାନ ସିଝାଇବା ପାଇଁ ବ୍ୟବହୃତ ହେଉଥିବା ହାଣ୍ଡି )ରେ ମୁଣ୍ଡ ଭର୍ତ୍ତି କରି ତା’ଭିତରକୁ ଓଲଟି ପଡ଼ି ବୁଡ଼ି ଯାଇଥିଲେ। ପ୍ରିନ୍ସଙ୍କ ମାଆ ଏହା ଦେଖିବା ପରେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ସମ୍ପୃକ୍ତ ଅଞ୍ଚଳରେ ଏକ ଶୋକାକୂଳ ପରିବେଶ ସୃଷ୍ଟି କରିଛି।

Comments are closed.