ନଦୀରେ ବୁଡ଼ି ବୃଦ୍ଧ ମୃତ

ଯାଜପୁର : ଯାଜପୁର ବୁଢା ନଦୀରେ ବୁଡ଼ି ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଯାଜପୁର ଚଇନପୁର ପଞ୍ଚାୟତ ଗୁରୁଦାସପୁର ଗ୍ରାମର ବନମାଳି ଜେନା। ବନମାଳି ଗୁରୁବାର ବୁଢା ନଦୀର ଅଡ଼ଙ୍ଗ ଘାଟରେ ଗାଧୋଉଥିବା ବେଳେ ନଦୀରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ। ସ୍ଥାନୀୟ ବାସିନ୍ଦା ବହୁ ଖୋଜାଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ନପାଇବାରୁ ଓଡ଼୍ରାଫ ଟିମ ଆସି ସନ୍ଧ୍ୟା ଯାଏଁ ଖୋଜି ଥିଲେ। ଶୁକ୍ରବାର ସକାଳେ ହଜାରିସାହି ନିକଟରେ ସ୍ଥାନୀୟଲୋକେ ମୃତଦେହ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତଦେହ ବନମାଳିଙ୍କର ବୋଲି ଜଣାପଡ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପରିବାର ଲୋକଙ୍କୁ ଜଣାଇଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିବା ଜଣାପଡ଼ିଛି।

Comments are closed.