ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ, ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

ଯାଜପୁର : ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ ସମ୍ପ୍ରସାରଣ(ପିିଇଓ) ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଝୁଲନ୍ତା ଅବସ୍ଥାରେ ତାଙ୍କର ମୃତଦେହ ଉଦ୍ଧାର ହୋଇଛି। ସେ ହେଲେ ସ୍ମିତାରାଣୀ । ମିଳିଥିବା ସୂଚନା ଅନୁଯାୟୀ, ବୁଧବାର ଅପରାହ୍ନ ସମୟରେ ସ୍ମିତାରାଣୀ ଭତ୍ତା ବଣ୍ଟନ ପାଇଁ ପଞ୍ଚାୟତକୁ ଯାଇଥିଲେ। ସେଠାରେ ସରପଞ୍ଚଙ୍କ ସ୍ୱାମୀ ଓ ଅନ୍ୟମାନଙ୍କ ସହିତ ମିଶି ଭତ୍ତା ବାଣ୍ଟି ଥିଲେ। ଅପରାହ୍ନ ସମୟରେ ସ୍ମିତାରାଣୀ ଖାଇବାକୁ ସରପଞ୍ଚଙ୍କ ନିଜସ୍ୱ କାର୍ଯ୍ୟାଳୟ ଗୃହକୁ ଯାଇଥିଲେ। ଖାଦ୍ୟ ଖାଇବା ପୂର୍ବରୁ ସେ ବାଥରୁମ ଯିବା ପାଇଁ କାର୍ଯ୍ୟାଳୟର ଉପରମହଲାକୁ ଯାଇଥିଲେ। ପରେ ରୁମ ଭିତରେ ଫ୍ୟାନରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଦେଖିବାକୁ ମିଳିଥିଲା। ସେ ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ଘଟଣା ସମ୍ପର୍କରେ ସରପଞ୍ଚଙ୍କ ସ୍ୱାମୀ ସ୍ମିତାରାଣୀଙ୍କ ବାପା ଏବଂ ପୁଲିସକୁ ଖବର ଦେବା ସହ ତାଙ୍କୁ ଧର୍ମଶାଳା ଡ଼ାକ୍ତରଖାନାକୁ ନେଇଆସିଥିଲେ। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାର ତଦନ୍ତ ପାଇଁ ସ୍ମିତାରାଣୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ସ୍ମିତାରାଣୀଙ୍କ ସ୍ୱାମୀ ତାଳଚେରରେ ଚାକିରୀ କରିଥିବା ବେଳେ ତାଙ୍କର ଏକ ସାତ ବର୍ଷର ଝିଅ ଅଛି ବୋଲି ଜଣାପଡ଼ିଛି।

Comments are closed.