ନୂଆ ରୂପରେ ଟ୍ରାଫିକ୍‌ ପୋଷ୍ଟ, ଲାଗିବ ଫ୍ୟାନ୍‌, ସୁସଜ୍ଜିତ ଆଲୋକ ବ୍ୟବସ୍ଥା

ଭୁବନେଶ୍ବର : କମିସନରେଟ ପୁଲିସ ଟ୍ରାଫିକ୍‌ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଏବଂ ଭିତ୍ତିଭୂମି ସଜାଡ଼ିବା ଦିଗରେ ତତ୍ପରତା ପ୍ରକାଶ କରିଛି। କର୍ମଚାରୀଙ୍କ ମନୋବଳ ବୃଦ୍ଧି ପାଇଁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଛି। ଟ୍ରାଫିକ୍‌ ପରିଚାଳନା ସୁରୁଖୁରୁରେ ସମ୍ପାଦନ ଲାଗି ସହରର ବିଭିନ୍ନ ଛକରେ ଟ୍ରାଫିକ୍‌ ପୋଷ୍ଟ କରାଯାଇଛି। କର୍ମଚାରୀମାନେ ସୁରକ୍ଷିତ ରହିବା ସହ ବର୍ଷା, ଖରାରୁ ରକ୍ଷା ପାଇବା ଲାଗି ସୁ-ବନ୍ଦୋବସ୍ତ କରାଯାଇଛି। ଅନେକ ଦିନରୁ ନିର୍ମାଣ ହୋଇଥିବା ଟ୍ରାଫିକ୍‌ ପୋଷ୍ଟଗୁଡ଼ିକ ସାମୁଦ୍ରିକ ଝଡ଼, ବାତ୍ୟା ଓ ବର୍ଷାରେ ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି। ଟ୍ରାଫିକ୍‌ କର୍ମଚାରୀ ଅସୁରକ୍ଷିତ ଭାବେ ସେଠାରେ କାର୍ଯ୍ୟ ତୁଲାଉଛନ୍ତି। ଖରା କିମ୍ବା ବର୍ଷା ହେଲେ ଗଛମୂଳେ ଆଶ୍ରୟ ନେଉଛନ୍ତି। ଏହି ସମୟରେ ବିଗିଡ଼ିଯାଉଛି ଟ୍ରାଫିକ୍‌ ପରିସ୍ଥିତି। ସିଗ୍‌ନାଲ ଉଲ୍ଲଘଂନ କରି ଦ୍ରୁତଗତିରେ ଯାନବାହନ ଚଳାଚଳ କରୁଛି। ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ଦୃଷ୍ଟିରେ ରଖି ଟ୍ରାଫିକ୍‌ ପୋଷ୍ଟଗୁଡ଼ିକୁ ନୂଆରୂପ ଦିଆଯାଉଛି। ଭାଙ୍ଗିଯାଉଥିବା ଟ୍ରାଫିକ୍‌ ପୋଷ୍ଟ ମରାମତି ସହ ଏହାର ସୌନ୍ଦର୍ଯ୍ୟକରଣ କରାଯାଉଛି।

ସହରର ୫ଟି ଟ୍ରାଫିକ୍‌ ପୋଷ୍ଟକୁ ପ୍ରଥମ ପର୍ଯ୍ୟାୟରେ ସୌନ୍ଦର୍ଯ୍ୟକରଣ କରାଯାଉଛି। ଏଜି, ରବୀନ୍ଦ୍ର ମଣ୍ଡପ ଛକ, ଏୟାରପୋର୍ଟ, କ୍ୟାପିଟାଲ ହସ୍ପିଟାଲ ଭଳି ୫ଟି ଛକର ଟ୍ରାଫିକ୍‌ ପୋଷ୍ଟ ମରାମତି କରାଯାଇ ରଙ୍ଗ ଦିଆଯାଉଛି। ଉକ୍ତ ପୋଷ୍ଟରେ ଫ୍ୟାନ୍‌ ଲାଗିବା ସହ ସୁସଜ୍ଜିତ ଲାଇଟ୍‌ ଲଗାଯିବା ବନ୍ଦୋବସ୍ତ କରାଯାଉଛି। ଚାରିପଟକୁ କାଚରେ ଆବଦ୍ଧ କରାଯାଇଛି। ସେଗୁଡ଼ିକ ସୋଲାର୍‌ ମାଧ୍ୟମରେ ଚାଲିବ। ପରବର୍ତ୍ତୀ ପର୍ଯ୍ୟାୟରେ ଅନ୍ୟ ଛକରେ ମରାମତି କରାଯିବ ବୋଲି ଟ୍ରାଫିକ୍‌ ଏସିପି ସ୍ବସ୍ତିକ ପଣ୍ଡା ସୂଚନା ଦେଇଛନ୍ତି। ଏହାଫଳରେ ଖରାରୁ ମୁକ୍ତି ମିଳିବା ସହ ବର୍ଷା ସମୟରେ ନିର୍ଦ୍ବନ୍ଦ୍ବରେ ଟ୍ରାଫିକ୍‌ ପରିଚାଳନା ସୁରକ୍ଷିତ ଭାବେ କରିପାରିବୁ ବୋଲି କିଛି କର୍ମଚାରୀ ମତ ଦେଇଛନ୍ତି।

Comments are closed.