ଦିଲ୍ଲୀ ଦରବାର………

୨୦୧୯ରେ ଦିଲ୍ଲୀ ଦରବାରରେ ବହୁ ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା। ବିଶେଷ କରି ଓଡ଼ିଶାର ରାଜନୀତି ଏ ବର୍ଷ ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା। ଓଡ଼ିଶାର ଶାସକ ଦଳ ବିଜେଡି ଅନେକ ପ୍ରସଙ୍ଗରେ କେନ୍ଦ୍ରକୁ ସମର୍ଥନ ଦେଇଥିବାବେଳେ ବିଜେଡିଠାରୁ ଶୃଙ୍ଖଳା ଶିଖିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରାମର୍ଶ ଆଲୋଚ୍ୟ ବିଷୟ ପାଲଟିଥିଲା।

କଟକ ବାଲିଯାତ୍ରା ଓ ଐତିହ୍ୟ ପର୍ଯ୍ୟଟନସ୍ଥଳ : କଟକ ବାଲିଯାତ୍ରାର ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବ ମାନ୍ୟତା ପାଇଁ ଦିଲ୍ଲୀ ଦରବାରରେ ସାଂସଦଙ୍କ ଜୋରଦାର ଦାବି ଦେଖିବାକୁ ମିଳିଥିଲା। ରାଜ୍ୟସଭାରେ ସାଂସଦ ଡ. ସସ୍ମିତ ପାତ୍ର ଏବଂ ଲୋକସଭାରେ ଢ଼େଙ୍କାନାଳ ସାଂସଦ ମହେଶ ସାହୁ କଟକ ବାଲିଯାତ୍ରା ପ୍ରସଙ୍ଗ ଉତ୍ଥାପନ କରିଥିଲେ। କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା ଓ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି କେନ୍ଦ୍ର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟି ଓଡ଼ିଶାର ଗୌରବମୟ ଇତିହାସର ସ୍ମୃତିଚାରଣ କରୁଥିବା କଟକ ବାଲିଯାତ୍ରାକୁ ଜାତୀୟ ନୌବାଣିଜ୍ୟ ଐତିହ୍ୟ ପର୍ବର ମାନ୍ୟତା ଦେବାକୁ ପ୍ରସ୍ତାବ ଦେଇଥିଲେ।
କେନ୍ଦ୍ର ସରକାରଙ୍କ ଐତିହ୍ୟ ପର୍ଯ୍ୟଟନସ୍ଥଳୀ ତାଳିକାରେ ଓଡ଼ିଶାର ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକୁ ସାମିଲ କରିବାକୁ ଉଭୟ ମୌସୁମୀ ଓ ଶୀତକାଳୀନ ଅଧିବେଶନ କାଳରେ ରାଜ୍ୟର ଅଧିକାଂଶ ସାଂସଦ ଦାବି କରିଥିଲେ। କୋଣାର୍କ ସୂର୍ଯ୍ୟମନ୍ଦିର, ଚିଲିକା ହ୍ରଦ, ଭିତରକନିକା, ଶିମିଳିପାଳ ଓ ତ୍ରିଭୁଜାକାର ବୌଦ୍ଧ ସ୍ଥଳୀ ଆଦି ପର୍ଯ୍ୟଟନ କ୍ଷେତ୍ରକୁ ଆଇକନିକ ପର୍ଯ୍ୟଟନ ତାଲିକାରେ ସ୍ଥାନ ଦେବାକୁ ଦାବି ହୋଇଥିଲା।

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ –
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରମୁଖ ସଚିବ ଭାବେ ଡ. ପ୍ରମୋଦ କୁମାର ମିଶ୍ର ସେପଟେମ୍ବର ୧୧ରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୋଦୀ ସରକାର ପ୍ରଥମ ପାଳିରେ ଡକ୍ଟର ମିଶ୍ର ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଥିଲେ।

ଫେରିଲେ ଜଗାକାଳିଆ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ା ମୁଣ୍ଡରୁ ଅଲଗା ହୋଇଥିବା ଶିଶୁ ଜଗା କାଳିଆ ସେପଟେମ୍ବର ୬ରେ ଓଡ଼ିଶା ଫେରିଥିଲେ। ଦିଲ୍ଲୀ ଏମ୍ସରେ ୧୨୫ ଜଣିଆ ଚିକିତ୍ସାକାରୀ ଦଳ ଦୁଇ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଉଭୟ ଶିଶୁଙ୍କ ଚିକିତ୍ସା କରିଥିଲେ। ଯୋଡ଼ା ମୁଣ୍ଡରୁ ଅଲଗା କରିବା ଭଳି ଭାରତର ଏକମାତ୍ର ବିରଳ ଏବଂ ଜଟିଳ ଅସ୍ତ୍ରୋପଚାରକୁ ଖୁବ୍‌ କମ୍‌ ଖର୍ଚ୍ଚରେ ଏମ୍ସ ଡାକ୍ତରୀ ଦଳ ସଫଳ କରିପାରିଥିଲେ। ଏଭଳି ଅତ୍ସୋପଚାର ବାବଦରେ ୨.୫ ମିଲିଅନ ଡଲାର ଖର୍ଚ୍ଚ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଜଣାଇଥିଲେ। ୧୪ ଜୁଲାଇ ୨୦୧୭ରେ ଦିଲ୍ଲୀ ଏମ୍ସରେ ଆଡମିସନବେଳେ ଉଭୟ ଶିଶୁଙ୍କ ଓଜନ ୨୦ କେଜି ଥିଲା। ଡିସଚାର୍ଜବେଳେ ଉଭୟ ଶିଶୁଙ୍କ ଓଜନ ବଢ଼ି ୨୮ କେଜିରେ ପହଞ୍ଚିଥିଲା। ଜଗାର ଓଜନ ୧୬ କେଜି ଓ କାଳିଆର ଓଜନ ୧୨ କେଜି ରହିଥିଲା। ରାଜଧାନୀ ଏକ୍ସପ୍ରେସ ଯୋଗେ ଉଭୟ ଶିଶୁ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ହସପିଟାଲକୁ ସ୍ଥାନାନ୍ତରିତ ହୋଇଥିଲେ।

କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି – 
ଜାନୁଆରୀ ୧୬ : କୋରାପୁଟସ୍ଥିତ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସମେତ ଦେଶର ୧୩ଟି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ କ୍ୟାମ୍ପସ ଓ ଅନ୍ୟାନ୍ୟ ଭିତ୍ତିଭୂମି ନିର୍ମାଣ ପାଇଁ ଅତିରିକ୍ତ ୩,୬୩୯.୩୨ କୋଟି ବ୍ୟୟ ଅଟକଳକୁ କେନ୍ଦ୍ର କ୍ୟାବିନେଟର ଅନୁମୋଦନ।
ପାରାଦ୍ୱୀପ-ନୁମାଳିଗଡ଼ ଅଶୋଧିତ ତୈଳ ପାଇପ ଲାଇନ ନିର୍ମାଣ ପ୍ର୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟିର ଅନୁମୋଦନ। ପ୍ରକଳ୍ପ ନିର୍ମାଣ ସଂପୂର୍ଣ୍ଣ ପରେ ପାରାଦ୍ୱୀପରୁ ଉତ୍ତରପୂର୍ବ ରାଜ୍ୟ ସମୂହକୁ ପାଇପ ମାଧ୍ୟମରେ ଅଶୋଧିତ ତୈଳ ପରିବହନ ହେବ। ଲାଇନ ନିର୍ମାଣ କାର୍ଯ୍ୟ ୪୮ ମାସ ମଧ୍ୟରେ ସଂପୂର୍ଣ୍ଣ କରାଯିବା ଲକ୍ଷ୍ୟ ରଖାଯାଇଛି।

ଫେବୃଆରୀ ୨୭: ପୂର୍ବତଟ ରେଳପଥ ଅନ୍ତର୍ଗତ ୱାଲଟିୟର ଡିଭିଜନକୁ ଭାଗ କରି ଓଡ଼ିଶା ଅଂଶକୁ ନେଇ ନୂତନ ରାୟଗଡ଼ା ଡିଭିଜନ ଗଠନ ନିଷ୍ପତ୍ତି। ୱାଲଟିୟର ଡିଭିଜନର ଆନ୍ଧ୍ର ପ୍ରଦେଶ ଅଂଶ ବିଜୟାୱାଡ଼ା ଡିଭିଜନରେ ସାମିଲ ହେବ ଏବଂ ବିଶାଖାପାଟଣାରେ ନୂତନ ଦକ୍ଷିଣପୂର୍ବତଟ ରେଳ ଜୋନ ସ୍ଥାପନ ନିଷ୍ପତ୍ତି।

ମାର୍ଚ୍ଚ ୭ : ଦକ୍ଷିଣ-ପୂର୍ବ ରେଳପଥ ଅନ୍ତର୍ଗତ ଭଦ୍ରକ-ନାରାୟଣଗଡ଼ ସେକ୍ସନ ମଧ୍ୟରେ ୧୫୫ କିଲୋମିଟର ଲମ୍ବ ତୃତୀୟ ରେଳଲାଇନ ନିର୍ମାଣ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଅର୍ଥନୈତିକ ବ୍ୟାପାର କମିଟିର ଅନୁମୋଦନ। ପ୍ରାୟ ୧,୮୬୬.୩୧ କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ତୃତୀୟ ରେଳ ଲାଇନର ନିର୍ମାଣ କାର୍ଯ୍ୟ ୨୦୨୩-୨୪ ବର୍ଷ ସୁଦ୍ଧା ସଂପୂର୍ଣ୍ଣ କରାଯିବ।

କେନ୍ଦ୍ରକୁ ବିଜେଡିର ସମର୍ଥନ –
ସଂସଦରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କୁ ବିଜୁ ଜନତା ଦଳର ସମର୍ଥନ ଦେଖିବାକୁ ମିଳିଥିଲା। ୩୭୦ ଧାରା ଉଚ୍ଛେଦ, ନାଗରିକତା ସଂଶୋଧନ ବିଧେୟକ, ତିନି ତଲାକ ବିଧେୟକ ଓ ସୂଚନା ଅଧିକାର ସଂଶୋଧନ ବିଧେୟକ ଆଦିରେ ଏନଡିଏ ସରକାରଙ୍କ ଆଭିମୁଖ୍ୟକୁ ବିଜେଡି ସମର୍ଥନ କରିଥିଲା। ସମର୍ଥନ ପ୍ରସଙ୍ଗରେ ରାଜ୍ୟ ସ୍ୱାର୍ଥକୁ ଆଧାର କରିଥିଲା ବିଜେଡି। ପ୍ରତିବଦଳରେ ଓଡ଼ିଶାକୁ ଅଧିକ କେନ୍ଦ୍ରୀୟ ଅନୁଦାନ ମିଳିଥିଲା। ସାମୁଦ୍ରିକ ବାତ୍ୟା ଫଣି କ୍ଷୟକ୍ଷତି ବାବଦକୁ ୩,୩୩୮.୨୨ କୋଟି ଟଙ୍କାର ଅତିରିକ୍ତ ସହାୟତା ଓଡ଼ିଶା ପାଇଛି। ଫଣି ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ୧ ହଜାର କୋଟି ସହାୟତା ଘୋଷଣା କରିଥିଲେ।
ସାମୁଦ୍ରିକ ବାତ୍ୟା ବୁଲବୁଲଜନିତ କ୍ଷୟକ୍ଷତି ବାବଦରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ ଅତିରିକ୍ତ ସହାୟତା ଦେବା ପାଇଁ ଲୋକସଭାରେ କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଷନ ରେଡ୍ଡି ସକାରାତ୍ମକ ସଙ୍କେତ ଦେଇଛନ୍ତି। ୨୦୧୯-୨୦ ବର୍ଷ ପାଇଁ କେନ୍ଦ୍ର ସରକାର ନିଜ ଅଂଶ ବାବଦକୁ ଏସଡ଼ିଏଫ ପାଣ୍ଠିରୁ ଓଡ଼ିଶାକୁ ୫୫୨ କୋଟି ଟଙ୍କା ଅନୁଦାନ ରାଶି ପ୍ରଦାନ କରିଥିଲେ।
ବନୀକରଣ ପାଇଁ କେନ୍ଦ୍ର ସରକାର ୨୭ଟି ରାଜ୍ୟକୁ କାମ୍ପା ପାଣ୍ଠିରୁ ୪୭,୪୩୬.୧୮ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ଓଡ଼ିଶାକୁ ସର୍ବାଧିକ ୫,୯୩୩.୯୮ କୋଟି ଟଙ୍କା ମିଳିଥିଲା।

ଉଡ଼ାଣ-୩  : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଉଡ଼ାଣ-୩ ଯୋଜନାରେ ଭୁବନେଶ୍ୱର, ଝାରସୁଗୁଡ଼ା ଓ ରାଉରକେଲା ସହରକୁ ଦେଶର ପ୍ରମୁଖ ସହରଗୁଡ଼ିକ ସହ ବିମାନ ସେବା ମାଧ୍ୟମରେ ସଂଯୋଗ ପାଇଁ ଘେଷଣା କରାଯାଇଥିଲା। ଝାରସୁଗୁଡ଼ାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ କଲକାତା, ଭୁବନେଶ୍ୱର, ହାଇଦରାବାଦ, ମୁମ୍ବଇ, ଦିଲ୍ଲୀ ଓ ରାୟପୁର ଆଦି ସହରକୁ, ରାଉରକେଲାରୁ ରାୟପୁର ଓ ଭୁବନେଶ୍ୱର ସହରକୁ ଓ ରାଜଧାନୀ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ବନାରସ, ରାଉରକେଲା, ଝାରସୁଗୁଡ଼ା, କଲେଇକୁଣ୍ଡା ଓ ଜଗଦଲପୁର ଆଦି ସହରକୁ ବିମାନ ଚଳାଚଳ ପାଇଁ ଘୋଷଣା କରାଯାଇଥିଲା। ମାର୍ଚ୍ଚ ୩୧ରେ ନୂଆଦିଲ୍ଲୀ ଓ ଝାରସୁଗୁଡ଼ା ମଧ୍ୟରେ ସ୍ପାଇସ ଜେଟର ପ୍ରଥମ ବିମାନ ସେବା ଆରମ୍ଭ ହୋଇଛି।

ସୁପ୍ରିମକୋର୍ଟରେ ପ୍ରମୁଖ ମାମଲା : ଶ୍ରୀଜଗନ୍ନାଥ ମନ୍ଦିର ଓ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ଆଭିମୁଖ୍ୟ ଦେଖିବାକୁ ମିଳିଥିଲା। ଓକିଲ ଆନ୍ଦୋଳନ ଯୋଗୁଁ ରାଜ୍ୟର ଅଦାଲତଗୁଡ଼ିକ ଅଚଳ ହୋଇ ପଡ଼ିବା ଘଟଣାରେ ସୁପ୍ରିମକୋର୍ଟ ବିରକ୍ତି ପ୍ରକାଶ କରି ଅଦାଲତ ପରିସରରେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ମୁତୟନ କରିବାକୁ ଟିପ୍ପଣୀ ଦେଇଥିଲେ। ଅଦାଲତ ପରିସର ଆନ୍ଦୋଳନର ସ୍ଥାନ ନୁହେଁ ବୋଲି ସୁପ୍ରିମକୋର୍ଟ ଉଲ୍ଲେଖ କରି କୌଣସି ପରିସ୍ଥିତିରେ ଅଦାଲତ ଅଚଳାବସ୍ଥାକୁ ସହ୍ୟ କରାଯାଇ ପାରିବ ନାହିଁ ବୋଲି ସ୍ପଷ୍ଟ କରିଥିଲେ।
ଓଡ଼ିଶା ହାଇକୋର୍ଟ ନୂତନ ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କଲେଜିୟମ ସୁପାରିସକୁ ଚ୍ୟାଲେଞ୍ଜ କରି ଇଣ୍ଟରକଣ୍ଟିନେଣ୍ଟାଲ ଆସୋସିଏସନ ଅଫ ଲୟାରର୍ସ ପକ୍ଷରୁ ଆଗତ ଜନସ୍ୱାର୍ଥ ମାମଲାକୁ ପ୍ରଧାନ ବିଚାରପତି ରଞ୍ଜନ ଗୋଗେଇଙ୍କ ଅଧ୍ୟକ୍ଷତାରେ ଗଠିତ ତିନିଜଣିଆ ଖଣ୍ଡପୀଠ ଖାରଜ କରିଥିଲେ।

ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ପ୍ରସଙ୍ଗରେ ଅନ୍ତରୀଣ ନିର୍ଦେଶନାମା ଜାରି କରି ସ୍ଥାୟୀ ପ୍ରଶାସକ ନିଯୁକ୍ତ କରିବାକୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦେଶ ଜାରି କରିଛନ୍ତି। ବିନା ବାଧାରେ ଜଗନ୍ନାଥ ଦର୍ଶନ ଓ ସେବାୟତଙ୍କର ସିଧାସଳଖ ଦାନଦକ୍ଷିଣା ଗ୍ରହଣ ଉପରେ ଅଙ୍କୁଶ ଜାରି କରିବା ସହ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାର କରିବାକୁ ବିଦ୍ୟାଳୟ ସ୍ଥାପନ ଏବଂ ଦେଶବ୍ୟାପୀ ଜଗନ୍ନାଥଙ୍କ ସମ୍ପତ୍ତିର ତାଲିକା ମାଗିଥିଲେ।

୧୯୯୪ ଗ୍ରାଣ୍ଟ-ଇନ-ଏଡ ନିର୍ଦେଶାବଳୀର ବୈଧତା ଶେଷ ପରେ ଯୋଗ୍ୟତା ହାସଲ କରିପାରି ନଥିବା ଅଣସରକାରୀ ଯୁକ୍ତ ଦୁଇ ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଶିକ୍ଷକ ଓ ଅଣଶିକ୍ଷକମାନେ ସରକାରୀ ଅନୁଦାନ ଦାବି କରିପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ପ୍ରଦାନ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ଅନୁଯାୟୀ ଗ୍ରାଣ୍ଟ-ଇନ-ଏଡ଼ ନିର୍ଦେଶାବଳୀ ବୈଧତା ସମାପ୍ତ ପରେ ସେହି ନିର୍ଦେଶାବଳୀ ଅନୁଯାୟୀ ପରବର୍ତ୍ତୀ ସମୟରେ ଅନୁଦାନ ଦାବି କରାଯାଇ ପାରିବ ନାହିଁ। ୧୯୯୪ ଗ୍ରାଣ୍ଟ-ଇନ-ଏଡ ନିର୍ଦେଶାବଳୀର ବୈଧତା ୨୦୦୪ରେ ସମାପ୍ତ ହୋଇଯାଇ ଥିବାରୁ ପରବର୍ତ୍ତୀ ସମୟରେ କୌଣସି ଦାବି ଗ୍ରହଣୀୟ ନୁହେଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଥିଲେ।

ଓଡ଼ିଶାର ଘରୋଇ ଆଇନ ମହାବିଦ୍ୟାଳୟଗୁଡ଼ିକୁ ସରକାରୀ ଅନୁଦାନ ଦେବା ପ୍ରସଙ୍ଗରେ ଓଡ଼ିଶା ହାଇକୋର୍ଟଙ୍କ ପୂର୍ବ ନିର୍ଦେଶନାମାକୁ ସୁପ୍ରିମକୋର୍ଟ ଖାରଜ କରିଦେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶ ଅନୁଯାୟୀ ଘରୋଇ ଆଇନ ମହାବିଦ୍ୟାଳୟ ଗୁଡିକ ଆଇନ ଅନୁଯାୟୀ ସରକାରୀ ଅନୁଦାନ ପାଇବା ପାଇଁ ଯୋଗ୍ୟ କି ନୁହେଁ; ପ୍ରଚଳିତ ନିୟମ, ହାଇପାୱାର କମିଟି ରିପୋର୍ଟ, ୧୯୯୪ ଗ୍ରାଣ୍ଟ-ଇନ-ଏଡ଼ ନୀତି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଓ ଅନ୍ୟାନ୍ୟ ନିର୍ଦେଶାବଳୀକୁ ଆଧାର କରି ଓଡ଼ିଶା ହାଇକୋର୍ଟ ମାମଲାର ପୁନର୍ବିଚାର ବିଚାର କରିବେ।

ଚାରି ଓଡ଼ିଆଙ୍କୁ ଜାତୀୟ ଶିଶୁ ସାହସିକତା ପୁରସ୍କାର : ଓଡ଼ିଶାର ସିତୁ ମଲ୍ଲିକ, ଝିଲି ବାଗ, ରଞ୍ଜିତା ମାଝୀ ଓ ବିଶ୍ୱଜିତ ପୁହାଣଙ୍କୁ ୨୦୧୯ ବର୍ଷର ଜାତୀୟ ଶିଶୁ ସାହସିକତା ପୁରସ୍କାର ମିଳିଥିଲା। ପୁରସ୍କାର ପାଇଁ ମନୋନୀତ ସମୁଦାୟ ୨୧ ଜଣ ଶିଶୁଙ୍କ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୪ ଜଣ ଶିଶୁ ତାଲିକାରେ ସ୍ଥାନ ପାଇଥିଲେ। ସିତୁ ମଲ୍ଲିକ ସମ୍ମାନଜନକ ବାପୁ ଗିଧୱାନୀ ସମ୍ମାନରେ ମଧ୍ୟ ସମ୍ମାନିତ ହୋଇଥିଲେ। କେନ୍ଦ୍ରାପଡ଼ା ଜିଲା ରାଜନଗର ତହସିଲ କନ୍ଦିରା ଗ୍ରାମର ସିତୁ ମଲ୍ଲିକ, ଜଗତସିଂହପୁର ଜିଲା ବାଲିକୁଦା ଅଞ୍ଚଳ ଇଚ୍ଛାପୁର ଗ୍ରାମରେ ବିଶ୍ୱଜିତ ପୁହାଣ ପାଣି, ସୋନପୁର ଜିଲା ତରଭା ଅଞ୍ଚଳର ଝିଲି ବାଗ ଓ କଳାହାଣ୍ଡି ଜିଲା ତୁରିକେଜିଗୁଡ଼ା ଗ୍ରାମର ରଞ୍ଜିତା ମାଝୀ ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବଢ଼ାଇଥିଲେ।

ସଂସଦୀୟ ଷ୍ଟାଣ୍ଡିଂ କମିଟି  : ୨୦୧୯ରେ ଦୁଇ ଓଡ଼ିଆ ସାଂସଦଙ୍କୁ ସଂସଦୀୟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ମିଳିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ଷ୍ଟାଣ୍ଡିଂ କମିଟି ଏବଂ କଟକ ସାଂସଦ ଭର୍ତ୍ତୃହରି ମହତାବଙ୍କୁ ଶ୍ରମ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ପଦ ମିଳିଛି। ସେହିପରି ବରିଷ୍ଠ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭା ପିଟିସନ କମିଟିର ଅଧ୍ୟକ୍ଷ ପଦ ତୁଲାଇବେ।
ମୋଦୀ ଓ ଶାହାଙ୍କ ପ୍ରଶଂସା : ରାଜ୍ୟସଭାର ୨୫୦ ତମ ଅଧିବେଶନର ପ୍ରଥମ ଦିବସରେ ବିଜେଡିଠାରୁ ଶୃଙ୍ଖଳା ଶିଖିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପରାମର୍ଶ ପ୍ରସଙ୍ଗ ଜାତୀୟ ରାଜନୀତିରେ ଖୁ୍‌ବ୍‌ ଚର୍ଚ୍ଚା ହୋଇଥିଲା। କେବଳ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ନୁହନ୍ତି କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ବିଜେଡିର ପ୍ରଶଂସା କରିଥିଲେ। ତିନି ତଲାକ ଏବଂ ଜାମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଙ୍ଗରେ କେନ୍ଦ୍ର ଗୃହ ମନ୍ତ୍ରୀ ଶ୍ରୀ ଶାହ ଗତ ଅଗଷ୍ଟରେ ବିଜେଡିକୁ ପ୍ରଶଂସା କରିଥିଲେ। ଏନଡିଏ ସହଯୋଗୀ ଜେଡିୟୁ ଭଳି ରାଜନୈତିକ ଦଳ ଉଭୟ ପ୍ରସଙ୍ଗରେ କରଛଡ଼ା ଦେଇଥିବା ବେଳେ କେନ୍ଦ୍ର ସରକାରଙ୍କୁ ସହଯୋଗ କରିବାକୁ ଆଗେଇ ଆସିଥିଲା ବିଜେଡି।


ତୈଳ ଉତ୍ତୋଳନ ପାଇଁ ଚୁକ୍ତିନାମା : ମହାନଦୀ ମୁହାଣ ଅଞ୍ଚଳରୁ ବ୍ୟାବସାୟିକ ଭିତ୍ତିରେ ଅଶୋଧିତ ପେଟ୍ରୋଲିୟମ ତୈଳ ଓ ପ୍ରାକୃତିକ ବାଷ୍ପ ଉତ୍ପାଦନ ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ଏବଂ ଆର୍କ ସଫ୍ଟୱେୟାର ପ୍ରାଇଭେଟ ଲିମିଟେଡ ମଧ୍ୟରେ ମାର୍ଚ୍ଚ ଦ୍ୱିତୀୟ ସପ୍ତାହରେ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଚୁକ୍ତିନାମା ଅନୁଯାୟୀ ଡି-୧୧ ବ୍ଲକରୁ ଆର୍କ ସଫ୍ଟୱେୟାର କମ୍ପାନୀ ଅଶୋଧିତ ପେଟ୍ରୋଲିୟମ ପଦାର୍ଥ ଉତ୍ତୋଳନ କରିବ। ନୂତନ ଭାବେ ଆବିଷ୍କୃତ କ୍ଷୁଦ୍ର ତୈଳ କ୍ଷେତ୍ର ଦ୍ୱିତୀୟ ନିଲାମ ପ୍ରକ୍ରିୟାରେ ଓଡ଼ିଶା ଉପକୂଳ ଡି-୧୧ ବ୍ଲକରୁ ତୈଳ ଉତ୍ତୋଳନ କରିବା ଅଧିକାର ଆର୍କ ସଫ୍ଟୱେୟାର ପ୍ରାଇଭେଟ ଲିମିଟେଡ଼କୁ ମିଳିଥିଲା।

ବିଜେପି କୋର୍‌ ଟିମ୍‌ରେ ଧର୍ମେନ୍ଦ୍ର : ସଂସଦରେ ତିନି ତଲାକ ବିଧେୟକ, ଧାରା ୩୭୦ ଉଚ୍ଛେଦ, ଆରଟିଆଇ ସଂଶୋଧନ ବିଧେୟକ ଓ ନାଗରିକତା ସଂଶୋଧନ ବିଧେୟକ ଗୃହୀତ କରିବା ପଛରେ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରମୁଖ ଭୂମିକା ଦେଖିବାକୁ ମିଳିଥିଲା। ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁଯାୟୀ ବିବାଦୀୟ ବିଧେୟକଗୁଡ଼ିକୁ ସଂସଦରେ ଗୃହୀତ କରିବାକୁ ବିଜେପି ଦ୍ୱାରା ଗଠିତ କୋର ଟିମର ସଦସ୍ୟ ଥିଲେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ। ରାଜ୍ୟସଭାରେ ଅଣଏନଡିଏ ଦଳଗୁଡ଼ିକର ସମର୍ଥନ ଯୋଗାଡ଼ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା। କେନ୍ଦ୍ର ମନ୍ତ୍ରିମଣ୍ଡଳର ତିନି ଜଣ ବରିଷ୍ଠ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୀୟୂଷ ଗୋଏଲ ଓ ପ୍ରହ୍ଲାଦ ଯୋଶୀ ରାଜ୍ୟସଭା ବାଧାକୁ ସଫଳତା ସହ ଦୂର କରିଥିଲେ।

କଂଗ୍ରେସ ରାଜନୀତିରେ ଓଡ଼ିଆ ନେତା : ୨୦୧୯ରେ ବରିଷ୍ଠ କଂଗ୍ରେସ ନେତା ରାମଚନ୍ଦ୍ର ଖୁଣ୍ଟିଆଙ୍କ ନେତୃତ୍ୱରେ କଂଗ୍ରେସ ଦଳ ତେଲଙ୍ଗାନାରେ ସାଧାରଣ ନିର୍ବାଚନ ଏବଂ ଉତ୍ତର ମହାରାଷ୍ଟ୍ରର ୪୭ଟି ବିଧାନସଭା ଆସନରେ ନିର୍ବାଚନ ଲଢ଼ିଥିଲା। କଂଗ୍ରେସର ଗୁଜରାଟ ସହ-ପ୍ରଭାରୀ ଡ. ବିଶ୍ୱରଞ୍ଜନ ମହାନ୍ତି ଗୁଜୁରାଟ ନିର୍ବାଚନ ପରିଚାଳନାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଦନପୁର ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ଅଳ୍ପେଶ ଠାକୁରଙ୍କ ପରାଜୟ ପରେ ଡକ୍ଟର ବିଶ୍ୱରଞ୍ଜନଙ୍କ ନିର୍ବାଚନ ପରିଚାଳନା ନେଇ ଗୁଜରାଟ ଗଣମାଧ୍ୟମ ବିଶେଷ ଚର୍ଚ୍ଚା କରିଥିଲା।

ନବୀନ-ଧର୍ମେନ୍ଦ୍ର ଭେଟ : ନିର୍ବାଚନ ପୂର୍ବ ରାଜନୈତିକ ତିକ୍ତତାକୁ ଏଡ଼ାଇ ଯାଇ ଜୁନ ୧୪ରେ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରସ୍ପରକୁ ସାକ୍ଷାତ କରିଥିଲେ। ରାଜଧାନୀ ଦିଲ୍ଳୀସ୍ଥିିତ ଓଡ଼ିଶା ଭବନରେ ଉଭୟ ନେତାଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ପ୍ରାୟ ୩୦ ମିନିଟ ଆଲୋଚନା ହୋଇଥିଲା। ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଉଭୟ କହିଥିଲେ ଯେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଓଡ଼ିଶାର ବିକାଶ ଏବଂ ରୋଜଗାର ସୃଷ୍ଟି ବିଷୟରେ ଆଲୋଚନା ହୋଇଥିଲା। କେନ୍ଦ୍ର ସରକାରଙ୍କ ସହ ଗଠନମୂଳକ ସହଯୋଗରେ ବିଶ୍ୱାସ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସାକ୍ଷାତ ସୌଜନ୍ୟମୂଳକ ଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ। ନିର୍ବାଚନ ପରେ ଉଭୟଙ୍କ ସାକ୍ଷାତ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିଲା।

ଅର୍ଥନୈତିକ ସର୍ଭେ ରିପୋର୍ଟ ୨୦୧୮-୧୯ : ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶା ଅଦାଲତ ଗୁଡ଼ିକରେ ସର୍ବାଧିକ ବିଚାରାଧୀନ ମାମଲା ରହିଛି। ସେହିପରି ଅଦାଲତ ପରିଚାଳନା ପ୍ରସଙ୍ଗରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ପରାମର୍ଶ ଦିଆଯାଇଥିଲା। ରିପୋର୍ଟ ଆକଳନ ଅନୁଯାୟୀ ୨୦୪୦ ସୁଦ୍ଧା ଓଡ଼ିଶାର ଜନସଂଖ୍ୟା ୫ କୋଟି ୧୦ ଲକ୍ଷରେ ପହଞ୍ଚିବ। ପାଇଖାନା ନିର୍ମାଣ କ୍ଷେତ୍ରରେ ଓଡ଼ିଶା ପଛୁଆ ରହିଛି ଏବଂ ରାଜ୍ୟରେ ସେବାକ୍ଷେତ୍ର ବୃଦ୍ଧି ପାଉଛି ବୋଲି ରିପୋର୍ଟରେ କୁହାଯାଇଥିଲା। ପିଏମ୍‌ଜିଏସ୍‌ୱାଇ କ୍ଷେତ୍ରରେ ଓଡ଼ିଶାର ସଫଳତାକୁ ପ୍ରଶଂସା କରାଯାଇଥିଲା।

କୃଷକ ସମାବେଶ ଓ ମହିଳା ସ୍ଥାନସଂରକ୍ଷଣ ଅଭିଯାନ : ଚାଷୀ ସମସ୍ୟା ପ୍ରସଙ୍ଗରେ ଜାନୁଆରୀ ୭ରେ ଦିଲ୍ଲୀ ଦରବାରରେ କୃଷକ ଅଧିକାର ସମାବେଶ ଆୟୋଜନ କରିଥିଲା ବିଜୁ ଜନତା ଦଳ। ଦିଲ୍ଳୀ ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ସମାବେଶରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀ ଓ ବିଜେଡି କର୍ମୀ ସାମିଲ ହୋଇଥିଲେ। ଓଡ଼ିଶାର ଚାଷୀଙ୍କୁ ଧାନର ଉଚିତ ସର୍ବନିମ୍ନ ସହାୟକ ମୂଲ୍ୟ ମିଳୁ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ସମାବେଶରେ ଦାବି କରିଥିଲେ। କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ଚାଷୀର ହକ୍‌; ଏହା କାହାର ଦୟା ନୁହେଁ ବୋଲି ସେତେବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ। ୨୦୧୪ ସାଧାରଣ ନିର୍ବାଚନବେଳେ ବିଜେପି ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଫସଲର ଦେଢ଼ ଗୁଣା ମୂଲ୍ୟ ମିଳିନାହିଁ, ଏପରିକି ସ୍ୱାମୀନାଥନ କମିଟି ରିପୋର୍ଟକୁ କାର୍ଯ୍ୟକାରୀ କରାଯାଇନାହିଁ। କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ନୀତି ଯୋଗୁଁ ରାଜ୍ୟର କୃଷକଙ୍କ ଦୁର୍ଦଶା ବଢ଼ିଯାଇଛି ବୋଲି କୃଷକ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ।

ଜାନୁଆରୀ ପ୍ରଥମ ସପ୍ତାହରେ ଦିଲ୍ଲୀରେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବାକୁ ବିଜୁ ଜନତା ଦଳର ଅଭିଯାନ ଦେଖିବାକୁ ମିଳିଥିଲା। ବିଭିନ୍ନ ରାଜନୈତିକ ଦଳର ନେତାଙ୍କୁ ବିଜେଡି ନେତା ସାକ୍ଷାତ କରି ସମର୍ଥନ ଲୋଡ଼ିଥିଲେ।

 

Comments are closed.