ଏଣିକି ରେଳବାଇର ଉଚ୍ଚ ଅଧିକାରୀଙ୍କୁ ମିଳିବନି ବଙ୍ଗଳା ପିଅନ ନିଜେ ଉଠାଇବେ ଫୋନ

ନୂଆଦିଲ୍ଲୀ: କୋଭିଡ ପରିପ୍ରେକ୍ଷୀରେ ଭାରତୀୟ ରେଳବାଇ ପକ୍ଷରୁ ଗ୍ରହଣ କରାଯାଇଛି ଖର୍ଚ୍ଚ କାଟ ଯୋଜନା । ଏହି ଅନୁକ୍ରମରେ ରେଳବାଇ ବଙ୍ଗଳା ପିଅନ ପଦବୀ ଉଛେଦ କରିଛି । ଯାହାଫଳରେ ଏଣିକି ରେଳବାଇର ଉଚ୍ଚ ଅଧିକାରୀଙ୍କୁ ଆଉ ମିଳିବନି ବଙ୍ଗଳା ପିଅନ ସୁବିଧା । ଦେଶର ଆଇଏଏସ ଏବଂ ଆଇପିଏସଙ୍କୁ ବଙ୍ଗଳା ପିଅନ ସୁବିଧା ମିଳୁ ନ ଥିଲା । ସେହି ସୁବିଧା ସୁଯୋଗ ରେଳବାଇର ବଡ଼ ବଡ଼ ଅଧିକାରୀଙ୍କୁ ମିଳୁଥିଲା । ଏହି ବଙ୍ଗଳା ପିଅନଙ୍କୁ ଦେଶର କେତକ ରେଳ ମଣ୍ଡଳରେ ଟେଲିଫୋନ ଆଟେଣ୍ଡାଣ୍ଟ କମ୍ ଡାକ ଖଲାସି କୁହାଯାଏ । ବର୍ତ୍ତମାନ ରେଳବାଇ ଏହି ପ୍ରଥା ଉପରେ ବିରାମ ଲଗାଇଛି । ବଙ୍ଗଳା ପିଅନ ପଦବୀ ଉଛେଦ ନିଷ୍ପତ୍ତିକୁ ରେଳବାଇ ପକ୍ଷରୁ ତୁରନ୍ତ କାର୍ୟ୍ୟକାରୀ କରାଯାଇଛି । ରେଳବାଇ ପକ୍ଷରୁ ପତ୍ର ମାଧ୍ୟମରେ ସମସ୍ତ ରେଳ ମଣ୍ଡଳକୁ ଏ ସମ୍ପର୍କରେ ଅବଗତ କରାଯାଇଛି ।
ରେଳ ଅଧିକାରୀମାନଙ୍କ ବାସଭବନରେ ଏହି ବଙ୍ଗଳା ପିଅନମାନେ ନିଯୁକ୍ତ ହୋଇଥାନ୍ତି । ସେମାନଙ୍କର ଭର୍ତ୍ତି ପାଇଁ କୌଣସି ପରୀକ୍ଷା କରାଯାଇ ନ ଥାଏ । ଅଧିକାରୀମାନେ ଯାହାଙ୍କୁ ଚାହିଁଥାନ୍ତି ଏହି ପଦବୀରେ ଭର୍ତ୍ତି କରିଥାନ୍ତି । ୩ବର୍ଷ ଯାଏ ସାହେବଙ୍କ ଘରେ କାମ କରିବା ପରେ ସେମାନଙ୍କୁ ରେଳ କାର୍ୟ୍ୟାଳୟ , ଓପନ ଲାଇନ ଏବଂ ୱାର୍କଶପରେ କାମ କରିବାକୁ କୁହାଯାଇଥାଏ । ତେବେ ରେଳବାଇ ପକ୍ଷରୁ କ୍ଷେତ୍ରରେ ନିୟୋଜିତ ବରିଷ୍ଠ ସ୍ତରର ଅଧିକାରୀଙ୍କୁ ବଙ୍ଗଳା ପିଅନ ସୁବିଧା ଦିଆଯାଇଥାଏ । ସାଧାରଣତଃ ରେଳ ଡିଭିଜନରେ ଥିବା ଜୁନିୟର ଆଡ଼ମିନିଷ୍ଟ୍ରେଟିଭି ଗ୍ରେଡ଼ (ଜେଏଜି)ର ଅଧିକାରୀଙ୍କୁ ଏହି ସୁବିଧା ମିଳିଥାଏ ।

Comments are closed.