କୃଷକ ଆନ୍ଦେଳନ ସମାଧାନର ରାସ୍ତା ବତାଇଲା ଆରଏସ୍‌ଏସ୍‌ ସମର୍ଥିତ ବିକେଏସ୍‌, ଏମ୍‌ଏସ୍‌ପି ଜାରି ରହୁ; ଖୋଲୁ ସ୍ବତନ୍ତ୍ର କୃଷି ଅଦାଲତ

ନୂଆଦିଲ୍ଲୀ,: କୃଷକ ଆନ୍ଦୋଳନକୁ ୮ ରାଜନୈତିକ ଦଳଙ୍କ ସହିତ ବିଭିନ୍ନ ଶ୍ରମିକ ଓ ସ୍ବେଚ୍ଛାସେବୀ ସଂଗଠନ ସମର୍ଥନ କରୁଥିବାବେଳେ ଶୁକ୍ରବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛି ଭାରତୀୟ କିଷାନ ସଙ୍ଘ (ବିକେଏସ୍‌)। ପୂର୍ବରୁ ବହୁବାର କୃଷକଙ୍କ ସମର୍ଥନରେ ମତ ରଖିଥିବା ଆରଏସ୍‌ଏସ୍‌ ଅନୁବନ୍ଧିତ ଏହି କୃଷକ ସଂଗଠନ ପକ୍ଷରୁ ସରକାର ଫସଲର ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଜାରି ରଖିବା ସହ ଏହାକୁ ନିଶ୍ଚତ କରିବା ଉଚିତ ବୋଲି ମତ ପ୍ରକାଶ କରିଛନ୍ତି ସଙ୍ଘର ସାଧାରଣ ସମ୍ପାଦକ ବଦ୍ରି ନାରାୟଣ ଚୌଧୁରୀ।

ଏମ୍‌ଏସ୍‌ପି ଯେମିତି ସ୍ବଚ୍ଛ ଓ ସମୟ ଭିତ୍ତିକ ହେବ ସେଥିପ୍ରତି ସରକାର ଯତ୍ନବାନ ହେବା ଉଚିତ ବୋଲି ସେ କହିଛନ୍ତି। ଏଥିସହିତ କୃଷକଙ୍କ ସମସ୍ୟା ସମାଧାନ ପାଇଁ ସ୍ବତନ୍ତ୍ର କୃଷି ଅଦାଲତ ସ୍ଥାପନ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଏହା ଦ୍ବାରା ଘରୋଇ କ୍ରେତାଙ୍କ ସହିତ କାରବାର କଲାବେଳେ ଉପୁଜୁଥିବା ସମସ୍ୟା ନେଇ କୃଷକମାନେ ଏଠାରୁ ନ୍ୟାୟ ପାଇପାରିବେ। ଏ ନେଇ ସେମାନଙ୍କୁ ଆଉ ଜିଲା ମାଜିଷ୍ଟ୍ରେଟ୍‌ଙ୍କ ନିକଟକୁ ଦୌଡ଼ିବାକୁ ପଡ଼ିବ ନାହିଁ। ପ୍ରଶାସନିକ ଅଧିକାରୀମାନେ ମଧ୍ୟ କେବେ ହେଲେ କୃଷକଙ୍କ ସମସ୍ୟା ଯଥା ସମୟରେ ସମାଧାନ କରିପାରିବେ ନାହିଁ। ଘରୋଇ ମଣ୍ଡି ସ୍ଥାପନକୁ ଏହା ସମର୍ଥନ କରିବା ସହ ଏଠାରେ ଯଦି କୌଣସି କୃଷକ ଶୋଷଣର ଶିକାର ହୁଅନ୍ତି ବା ଧାର୍ଯ୍ୟ ଏମ୍‌ଏସ୍‌ପିରୁ କମ୍‌ ମୂଲ୍ୟରେ ସେମାନଙ୍କୁ ଫସଲ ବିକ୍ରି କରିବାକୁ ବାଧ୍ୟ କରାଯାଏ; ତେବେ ଏହାକୁ ଆପରାଧିକ ମାମଲା ଭାବେ ବିଚାର କରାଯିବା ଉଚିତ। ଘରୋଇ କ୍ରେତା ଏମ୍‌ଏସ୍‌ପିରୁ କମ୍‌ ମୂଲ୍ୟରେ ଫସଲ କିଣିବାକୁ ବନ୍ଦ କରିବା ଆନ୍ଦୋଳନକାରୀଙ୍କର ଗୋଟିଏ ଦାବି ଥିବାରୁ ଉକ୍ତ ପ୍ରସ୍ତାବରେ ସେମାନେ ସନ୍ତୁଷ୍ଟ ହେବେ ବୋଲି ଭାରତୀୟ କିଷାନ ସଙ୍ଘ କହିଛି। କୃଷକ ସରକାରୀ ମଣ୍ଡି (ଏପିଏମ୍‌ସି) କିମ୍ବା ଘରୋଇ ମଣ୍ଡି ବା ରାସ୍ତା କଡ଼; ଯେଉଁଠି ବି ଫସଲ ବିକ୍ରି କରନ୍ତୁ; ସେମାନେ ଧାର୍ଯ୍ୟ ମୂଲ୍ୟ (ଏମ୍‌ଏସ୍‌ପି) ପାଇବା ଦରକାର ବୋଲି କହିଛନ୍ତି ଚୌଧୁରୀ।

ସୂଚନାଯୋଗ୍ୟ ଯେ ଭାରତୀୟ କିଷାନ ସଙ୍ଘ ହେଉଛି ପ୍ରଥମ କୃଷକ ସଂଗଠନ; ଯେ କି କେନ୍ଦ୍ରର ନୂଆ କୃଷି ଆଇନ ବିରୋଧରେ ସଂଗ୍ରାମ ଆରମ୍ଭ କରିଥିଲା। ଏଥିନେଇ ସଙ୍ଘ ପକ୍ଷରୁ ଦେଶର ୩ହଜାର ତହସିଲ ଓ ୨୦ହଜାର ଗ୍ରାମ ପଞ୍ଚାୟତରେ କୃଷକଙ୍କ ସହ ଆଲୋଚନା କରି ବିଧେୟକ ବିରୋଧରେ ସଚେତନତା ସୃଷ୍ଟି କରିଥିଲା; କିନ୍ତୁ ସରକାର କୃଷି ବିଧେୟକ ଆଗତ ପୂର୍ବରୁ ସଙ୍ଘ ସହିତ ଆଦୌ ଆଲୋଚନା କରି ନଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି।

ପରିବର୍ତ୍ତିତ ପରିସ୍ଥିତିରେ ସଙ୍ଘ ସାମ୍ପ୍ରତିକ ଆନ୍ଦୋଳନଠାରୁ ନିଜକୁ ଦୂରେଇ ରଖିଛି ବୋଲି ଚୌଧୁରୀ କହିଛନ୍ତି। ବିଶେଷକରି ଆନ୍ଦୋଳନ ହିଂସାତ୍ମକ ହେବା ଓ କୃଷକଙ୍କ ଉପରେ ପୁଲିସର ଆକ୍ରମଣ ପରିପ୍ରେକ୍ଷୀରେ ସଙ୍ଘ ଦୂରେଇ ରହିଥିବା ସେ କହିଛନ୍ତି। ଏହା ସତ୍ତ୍ବେ ସଙ୍ଘ କୃଷକଙ୍କୁ ନ୍ୟାୟ ଦେବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଆପଣାଇବାକୁ ଚୌଧୁରୀ ଦାବି କରିଛନ୍ତି। ସାମ୍ପ୍ରତିକ ଅଚଳାବସ୍ଥା ଦୂର କରିବା ପାଇଁ ସରକାର ସମସ୍ତ ଆଦବକାଏଦା ଭୁଲି ଆଗେଇ ଆସିବା ଉଚିତ ବୋଲି ସେ ମତ ଦେଇଛନ୍ତି।

Comments are closed.