ଭାରତୀୟ ସେନାକୁ ଅକ୍ଟୋବରରେ ମିଳିବ ଏକେ-୨୦୩ ରାଇଫଲ, ୮୦୦ମିଟର ଦୂର ନିଶାଣକୁ କରିହେବ ଭେଦ

ନୂଆଦିଲ୍ଲୀ: ରୁଷ ନିର୍ମିତ ଏକେ-୨୦୩ କାଲାସନିକୋଭ ରାଇଫଲ ଆସନ୍ତା ଅ​କ୍ଟୋବରରେ ଭାରତୀୟ ସେନା ନିକଟରେ ଉପଲବ୍ଧ ହେବ। ଏହି ସମୟ ସୁଦ୍ଧା ପ୍ରଥମ ବ୍ୟାଚ୍‌ରେ ୨୦ହଜାର ରାଇଫଲ ରୁଷ୍‌ରୁ ଆସି ଭାରତରେ ପହଞ୍ଚିବ ଏବଂ ଅବଶିଷ୍ଟ ଭାରତରେ ନିର୍ମାଣ ହେବ ବୋଲି ଜଣାପଡ଼ିଛି। ଭାରତୀୟ ସେନା ପାଇଁ ଏଥିରୁ ୬ଲକ୍ଷ ୭୦ହଜାର ଆବଶ୍ୟକ। ଏକେ-୨୦୩ ହେଉଛି ଏକେ-୧୦୩ର ଆଧୁନିକ ୨୦୦ ସିରିଜ୍‌ ବିଶିଷ୍ଟ। ଏଥିରେ ୮୦୦ମିଟର ଦୂର ନିଶାଣକୁ ଭେଦ କରିହେବ। ଆମେଥିର କୋରୱାସ୍ଥିତ ଇଣ୍ଡୋ-ରୁଷ ରାଇଫଲ୍ସ ପ୍ରାଇଭେଟ ଲିମିଟେଡ ଏହାକୁ ନିର୍ମାଣ କରିବ। ଭାରତ-ରୁଷ ମିଳିତ ସହଯୋରେ ନିର୍ମିତ ଏହି ରାଇଫଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରପତି ବ୍ଲାଦିମିର ପୁତିନଙ୍କ ଦ୍ବାରା ଉଦ୍‌ଘାଟନ ହେବ ବୋଲି ସୂଚନା ମିଳିଛି। ୨୦୧୮ ଅକ୍ଟୋବରରେ ପୁତିନଙ୍କ ଭାରତ ଗସ୍ତ ସମୟରେ ଏଥି ପାଇଁ ବୁଝାମଣା ହୋଇଥିଲା।

Comments are closed.