କରୋନା ସଂକ୍ରମିତ ଯବାନଙ୍କୁ ଚିହ୍ନଟ କରୁଛି ସେନା କୁକୁର

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି କରୋନା ସଂକ୍ରମିତ କି ନାହିଁ ତାହା ଜାଣିବା ଲାଗି ​‌ସ୍ବାବ ପରୀକ୍ଷା କରାଯାଇଥାଏ। ଏଥିପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କର ନାକ କିମ୍ବା ପାଟିରୁ ସ୍ବାବ ନମୁନା ସଂଗ୍ରହ କରାଯାଇଥାଏ ଓ ଏହାକୁ ପରୀକ୍ଷା କରାଯିବା ପରେ ସଂକ୍ରମଣ ଜଣାପଡିଥାଏ। ଏବେ କିନ୍ତୁ କରୋନା ସଂକ୍ରମିତଙ୍କୁ ଚିହ୍ନଟ ପାଇଁ ସେନାର କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରଶିକ୍ଷଣ ପ୍ରାପ୍ତ ସେନାର କୁକୁର କରୋନା ସଂକ୍ରମିତ ଯବାନଙ୍କୁ ଚିହ୍ନଟ କରିବାରେ ସଫଳ ହୋଇଛନ୍ତି। ସେନାର ଦୁଇଟି କୁକୁରଙ୍କୁ କରୋନା ସଂକ୍ରମିତ ଯବାନଙ୍କୁ ଚିହ୍ନଟ କରିବା ଲାଗି ପ୍ରଶିକ୍ଷଣ ଦିଆଯାଇଛି। ଗୋଟିଏ ଦେଶୀ ପ୍ରଜାତିର ଚିପ୍ପିପାରାଇ କୁକୁର ଜୟା ଓ କକେର ସ୍ପାନିଏଲ ପ୍ରଜାତିର କୁକୁର କାସପରକୁ ଏହି ପ୍ରଶିକ୍ଷଣ ଦିଆଯାଇଛି। ୨ବର୍ଷ ବୟସର କାସ୍‌ପର ଓ ୧ବର୍ଷ ବୟସର ଜୟା ସୈନିକଙ୍କ ଝାଳ ଓ ପରିସ୍ରାକୁ ଆଘ୍ରାଣ କରି ଜାଣିପାରୁଛନ୍ତି ଯେ ଏହା କରୋନା ସଂକ୍ରମିତ କି ନାହିଁ। ସଂକ୍ରମିତ ବ୍ୟକ୍ତିଙ୍କ ଝାଳ ଓ ପରିସ୍ରାରୁ ବାହାରୁଥିବା ସ୍ବତନ୍ତ୍ର ଗନ୍ଧକୁ ବାରିବାରେ ଏହି ଦୁଇଟି କୁକୁର ସଫଳ ହୋଇଛନ୍ତି। ଏଥିପାଇଁ ମିରଟସ୍ଥିତ ସେନା ହସ୍ପିଟାଲ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ମେଡିକାଲ କଲେଜରୁ ସଂକ୍ରମିତଙ୍କ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କରାଯାଇଥିଲା। ଭେଷଜ ବିଜ୍ଞାନର ତଥ୍ୟ ଅନୁଯାୟୀ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଶରୀର ଟିସୁରୁ ସ୍ବତନ୍ତ୍ର ଭୋଲାଟାଇଲ ମେଟାବୋଲିକ୍ ବାୟୋମାର୍କର ବାହାରିଥାଏ ଯାହା ରୋଗକୁ ନିରୂପଣ କରିବାରେ ସହାୟକ ହୋଇଥାଏ। ସେନାର ଏହି ଦୁଇ କୁକୁରଙ୍କୁ ଦିଲ୍ଲୀ ଓ ଚଣ୍ଡିଗଡରେ ନିଯୁକ୍ତ କରାଯାଇଛି। ଦିଲ୍ଲୀ ଓ ଚଣ୍ଡିଗଡରୁ ସେନାର ଯବାନଙ୍କୁ ବିଭିନ୍ନ ସ୍ଥାନକୁ ପଠାଯାଇଥାଏ। ସୈନିକଙ୍କ ଯାତାୟତ ସମୟରେ କିଏ କରୋନା ସଂକ୍ରମିତ ତାକୁ ତୁରନ୍ତ ଚିହ୍ନଟ କରିବାରେ ଏହି ଦୁଇ କୁକୁର କାର୍ଯ୍ୟ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏହି ଦୁଇଟି କୁକୁର ୩୮୦୬ ଯବାନଙ୍କ ନମୁନାକୁ ଆଘ୍ରାଣ ଦ୍ବାରା ଯାଞ୍ଚ କରିଥିବାବେଳେ ୨୨ଟି ପଜିଟିଭ ବାହାରିଛି। ସାଧାରଣ ପ୍ରକ୍ରିୟାରେ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରିବା ସମୟସାପେକ୍ଷ ହୋଇଥିବାବେଳେ ଏହା କମ୍ ସମୟରେ ଜଣାପଡିଥାଏ।
ରୋଗ ଚିହ୍ନଟ ପ୍ରକ୍ରିୟାରେ ଭାରତ ସେନା କୁକୁରଙ୍କୁ ଏହା ପ୍ରଥମ ସଫଳତା। ପୂର୍ବରୁ ଭାରତ ସେନାର କୁକୁର ଏହି ରୋଗ ଚିହ୍ନଟ କାର୍ଯ୍ୟରେ କେବେ ନିୟୋଜିତ ହୋଇ ନଥିଲେ। ରିମାଉଣ୍ଟ ଭେଟନାରୀ କ୍ରପସ୍‌ର ପ୍ରଶିକ୍ଷକ ଥିବା ଲେପ୍ଟନାଣ୍ଟ କ‌େ‌ର୍ଣ୍ଣଲ ସୁରିନ୍ଦର ସାଇନି କହିଛନ୍ତି ଯେ ଆମେରିକା, ବ୍ରିଟେନ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ରୁଷ୍‌, ଜର୍ମାନୀ, ଲେବାନନ ଓ ୟୁଏଇରେ ସେନା କୁକୁର କରୋନା ସଂକ୍ରମିତଙ୍କୁ ଚିହ୍ନଟ କାର୍ଯ୍ୟରେ ନିୟୋଜିତଅଛନ୍ତି। ଏହିସବୁ ରାଷ୍ଟ୍ରରେ ସେନା କୁକୁରଙ୍କ କାର୍ଯ୍ୟ ଦେଖିବା ପରେ ଭାରତରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ଉଦ୍ୟମ କରାଯାଇଥିଲା।

ଏଥିପାଇଁ କୁକୁରଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଯାହା ଏବେ ସଫଳ ହୋଇଛି। ପୂର୍ବରୁ ବିଦେଶୀ ରାଷ୍ଟ୍ରରେ ମ୍ୟାଲେରିଆ, ମଧୁମେହ, ପାରକିନସନ୍‌ ରୋଗ ଚିହ୍ନଟ କରିବାରେ କୁକୁରଙ୍କୁ ନିୟୋଜିତ କରାଯାଇଛି।

Comments are closed.