୯ରେ କରତାରପୁର କରିଡର ଉଦ୍‌ଘାଟନ

ଗୁରୁୂବାର ଭାରତ-ପାକ୍ ଚୁକ୍ତି ସ୍ବାକ୍ଷାର ସମ୍ଭାବନା

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭେମ୍ବର ୯ରେ କରତାରପୁର କରିଡର ଉଦ୍‌ଘାଟନ କରିବେ। ଏହି ଦିନ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ କରତାରପୁର ସାହିବ ଗୁରୁଦ୍ବାରକୁ ଭାରତର ପ୍ରଥମ ତୀର୍ଥଯାତ୍ରୀ ଦଳ ଗସ୍ତ କରିବେ ବୋଲି ମଙ୍ଗଳବାର ସ୍ବରାଷ୍ଟ୍ର ମନ୍ତ୍ରାଳୟ ସୂଚନା ଦେଇଛି। ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଏହି ତୀର୍ଥଯାତ୍ରୀ ଦଳରେ ସାମିଲ ହେବେ। ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ନେତୃତ୍ବରେ ଶିଖ ତୀର୍ଥଯାତ୍ରୀମାନେ କରତାରପୁରର ଦରବାର ସାହିବ ଗୁରୁଦ୍ବାର ଅଭିମୁଖ ବାହାରିବେ। ନଭେମ୍ବର ୧୨ ପୂର୍ବରୁ କରତାରପୁର କରିଡର କାର୍ଯ୍ୟକ୍ଷମ କରିବା ଲାଗି ବୁଧବାର ଭାରତ ଓ ପାକିସ୍ତାନ ମଧ୍ୟରେ ଏକ ଚୁୁକ୍ତି ସ୍ବାକ୍ଷର କରିବାକୁ ଉଭୟ ଦେଶ ବହୁ ପୂର୍ବରୁ ସହମତି ପ୍ରକାଶ କରିଥିଲେ; ମାତ୍ର ଏଥିରେ ଗୋଟିଏ ଦିନ ବିଳମ୍ବରେ ଏହି ଚୁକ୍ତି ସ୍ବାକ୍ଷର ହେବ ବୋଲି ସୂଚନା ମିଳିଛି। ଗୁରୁବାର ଏହି ଚୁକ୍ତି ସ୍ବାକ୍ଷର ହେବାର ସମ୍ଭାବନା ରହିଛି। ଅନ୍ୟପଟେ ପାକିସ୍ତାନ ତୀର୍ଥଯାତ୍ରୀଙ୍କ ପିଛା ୨୦ ଡଲାର ଶୁଳ୍କ ଲାଗୁ କରିଥିବା ବେଳେ ଏହାକୁ ପ୍ରତ୍ୟାହାର କରିବା ଲାଗି ଭାରତର ପ୍ରସ୍ତାବ ଉପରେ ପାକିସ୍ତାନ କୌଣସି ସ୍ପଷ୍ଟ ଜବାବ ଦେଇ ନାହିଁ। କରତାରପୁର ସାହିବ ଭ୍ରମଣ ଲାଗି ଅନୁମତି ଲାଭ କରିଥିବା ଭାରତୀୟ ତୀର୍ଥଯାତ୍ରୀଙ୍କୁ ଭିସା ମୁକ୍ତ ସେବା ପ୍ରଦାନ କରାଯିବ ବୋଲି ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ମୁଖପାତ୍ର ମହମ୍ମଦ ଫୈଜଲ କହିଛନ୍ତି। ଭାରତ ପ୍ରତିଦିନ ୫୦୦୦ ତୀର୍ଥଯାତ୍ରୀଙ୍କୁ ପଠାଇବ। ଏଥିନେଇ ୧୦ ଦିନ ପୂର୍ବରୁ ନାମତାଲିକା ପାକିସ୍ତାନକୁ ପ୍ରଦାନ କରାଯିବ। ତାହାକୁ ୪ ଦିନ ମଧ୍ୟରେ ଯାଞ୍ଚ କରି ପାକିସ୍ତାନ ଚୂଡାନ୍ତ ତାଲିକା ପ୍ରଦାନ କରିବ। ୪.୨ କିଲୋମିଟର ଲମ୍ବ ଏହି କରିଡର କାର୍ଯ୍ୟ ଗୁରୁ ନାନକ ଦେବଙ୍କ ୫୫୦ତମ ଜୟନ୍ତୀର ଏକ ସପ୍ତାହ ପୂର୍ବରୁ ଅକ୍ଟୋବର ୩୧ରେ ସମାପ୍ତ ହେବ ବୋଲି ସୂଚନା ଦିଆଯାଇଛି।

Comments are closed.