ଜାତିସଂଘରେ ଭାରତର ବାଟ ଓଗାଳିଲା ଚୀନ

ସୁରକ୍ଷା ପରିଷଦର କଟକଣା କମିଟିର ନେତୃତ୍ବ ନେବାରୁ ରୋକିଲା

ନୂଆଦିଲ୍ଲୀ: ଉଭୟ ସାମରିକ ଓ କୂଟନୈତିକ କ୍ଷେତ୍ରରେ ଭାରତ ବିରୋଧରେ ଚୀନ ଶତ୍ରୁତା ଆଚରଣ କରିଚାଲିଛି। ଏହି କ୍ରମରେ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନ୍‌ଏସସି)ର କଟକଣା କମିଟିରେ ଭାରତକୁ ନେତୃତ୍ବ ନେବାରୁ ଚୀନ ରୋକିଛି। ୟୁଏନଏସ୍‌ସିର ୧୨୬୭ କଟକଣା କମିଟି ଆନ୍ତର୍ଜାତିକ ଆତଙ୍କବାଦୀଙ୍କ ତାଲିକା ପ୍ରସ୍ତୁତ କରିଥାଏ। କେଉଁ ଆତଙ୍କବାଦୀଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା କରାଯିବ ତାହା ଉପରେ ସୁରକ୍ଷା ପରିଷଦ ୧୨୬୭ କମିଟି ନିଷ୍ପତ୍ତି ନେଇଥାଏ। ଏହି କମିଟି ପାକିସ୍ତାନର ମାସୁଦ୍ ଆଝାର, ହାଫିଜ୍ ସଇଦ, ଜାକି-ଉର-ରେହମାନ ଲାଖଭି ଓ ଅନ୍ୟମାନଙ୍କୁ ଆନ୍ତର୍ଜାତିକ ଆତଙ୍କବାଦୀ ଘୋଷଣା ପୂର୍ବକ ପ୍ରତିବନ୍ଧକ ଲାଗୁ କରିଛି। ଭାରତ ଏହି କମିଟିର ନେତୃତ୍ବ ନେବାକୁ ଗତ ସପ୍ତାହରେ ଘୋଷଣା କରାଯାଇଥିଲା। ତେବେ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ରାଷ୍ଟ୍ର ଭାବେ ଚୀନ ଏହି କମିଟିର ନେତୃତ୍ବ ନେବାରୁ ଭାରତକୁ ରୋକିଛି। ଯାହା ଭାରତ ବିରୋଧରେ ଚୀନର ବଡ କୂଟନୈତିକ ଆକ୍ରମଣ ବୋଲି ବିବେଚନା କରାଯାଇଛି। ଲଦାଖ ସୀମାରେ ଭାରତ ବିରୋଧରେ ସାମରିକ ଯୁଦ୍ଧ ଚଳାଇଥିବା ଚୀନ ସଫଳ ହୋଇ ପାରି ନଥିବାବେଳେ କୂଟନୈତିକ ଯୁଦ୍ଧରେ ବିଜୟୀ ହୋଇଛି। କାରଣ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ହେତୁ ଚୀନ ପାଖରେ ଭିଟୋ କ୍ଷମତା ରହିଛି। ଯାହା ଭାରତ ପାଖରେ ନାହିଁ। ତେବେ ଚୀନ ପ୍ରଥମ କରି ଭାରତ ବିରୋଧରେ ଜାତିସଂଘରେ ଏପରି ପ୍ରତିବନ୍ଧକ ସାଜି ନାହିଁ। ୨୦୧୯ରେ ଜାମ୍ମୁ-କାଶ୍ମୀରରୁ ସ୍ବତନ୍ତ୍ର ମାନ୍ୟତା ପ୍ରତ୍ୟାହାର ପ୍ରସଙ୍ଗଙ୍କୁ ଚୀନ ଆନ୍ତର୍ଜାତିକ ପ୍ରସଙ୍ଗ କରିବାକୁ ଚେଷ୍ଟା କରିଥିଲା। ପାକିସ୍ତାନ ପ୍ରରୋଚନାରେ ଚୀନ ଏପରି ପଦକ୍ଷେପ ନେଇଥିଲା। ତେବେ ସୁରକ୍ଷା ପରିଷଦର ଅନ୍ୟ ରାଷ୍ଟ୍ରଙ୍କ ବିରୋଧ ଯୋଗୁଁ ଏହା ଫସରଫାଟିଥିଲା। ସୁରକ୍ଷା ପରିଷଦର ଅନ୍ୟ ରାଷ୍ଟ୍ରଗୁଡିକ ଜାମ୍ମୁ-କାଶ୍ମୀର ପ୍ରସଙ୍ଗକୁ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଥିଲେ।
ଗତ ସପ୍ତାହରେ ହୋଇଥିବା ଘୋଷଣା ଅନୁଯାୟୀ ଭାରତ ୟୁଏନଏସସିର ତିନିଟ କମିଟି ତାଲିବାନ କଟକଣା ବା ପ୍ରତିବନ୍ଧ କମିଟି, ଆତଙ୍କବାଦୀ ନିରୋଧ କମିଟି ଓ ଲିବିୟା କଟକଣା ବା ପ୍ରତିବନ୍ଧ କମିଟିର ନେତୃତ୍ବ ନେବ। ୟୁଏନଏସସିର ଅଲକାଏଦା ଓ ତାଲିବାନ କମିଟି ୨୦୧୧ରେ ବିଭାଜନ ହୋଇ ତାଲିବାନ କଟକଣା କମିଟି ଗଠନ ହୋଇଥିଲା। ଏହି ତାଲିବାନ କଟକଣା କମିଟି ତାଲିବାନ ଆତଙ୍କବାଦୀଙ୍କ ସମ୍ପର୍କରେ ନିଷ୍ପତ୍ତି ନେଇଥାଏ। ଏହି କମିଟି ଅଧୀନରେ ୧୨୬୭ କମିଟି ଅନ୍ତର୍ଭୁକ୍ତ। ତାଲିବାନ କମିଟିର ନେତୃତ୍ବ ନେବା ଦ୍ବାରା ଭାରତ ଆଫଗାନିସ୍ତାନ ଶାନ୍ତି ପ୍ରତିଷ୍ଠା କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ କ୍ଷମତା ହାସଲ କରିଥିଲା। ତେବେ ଭାରତର ନେତୃତ୍ବକୁ ତାଲିବାନ ​‌େ​ନତାମାନେ ବିଚଳିତ ହୋଇପଡିଥିଲେ। ଏଥିପାଇଁ ତାଲିବାନ ନେତାମାନେ ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଓ ବୈଦେଶିକ ମନ୍ତ୍ରୀ ଏସଏମ୍ କ୍ୟୁରେସିଙ୍କୁ ଭେଟି ନିଜର ଉଦ୍‌ବେଗ ଜଣାଇଥିଲେ।
ତାଲିବାନ କମିଟି ସହିତ ୟୁଏନଏସସିର ଆତଙ୍କବାଦ ନିରୋଧ କମିଟିରେ ୨୦୨୨ ପର୍ଯ୍ୟନ୍ତ ଅଧ୍ୟକ୍ଷତା କରିବାକୁ ନିଷ୍ପତ୍ତି ହୋଇଛି। ୯/୧୧ ଆକ୍ରମଣ ପରେ ଏହି କମିଟି ଗଠନ ହୋଇଥିଲା।

Comments are closed.