ଜୁନ ୪ରୁ ବାବ୍ରୀ ମାମଲା ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ କରିବ ସିବିଆଇ କୋର୍ଟ

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଥିବା ବେଳେ ବାବ୍ରୀ ମସଜିଦ ଧ୍ବଂସ ଘଟଣାରେ ତଦନ୍ତ ଚାଲିଛି। ଜୁନ ୪ ତାରିଖରୁ ସିବିଆଇ କୋର୍ଟ ଅଭିଯୁକ୍ତମାନଙ୍କ ବକ୍ତବ୍ୟ ରେକର୍ଡ କରିବ ବୋଲି ଜଣାପଡିଛି। ଏହି ଘଟଣାରେ ଅଭିଯୁକ୍ତଙ୍କ ମଧ୍ୟରେ ରହିଛନ୍ତି ବିଜେପିର ବରିଷ୍ଠ ନେତା ଏଲ କେ ଆଡ୍ୱାଣୀ, ମୁରଲୀ ମନୋହର ଯୋଶୀ, ଉମାଭାରତୀ। ଗୁରୁବାର ସ୍ବତନ୍ତ୍ର ସିବିଆଇ ଜଜ ଏସ କେ ଯାଦବ ସମସ୍ତ ୩୨ ଅଭିଯୁକ୍ତଙ୍କୁ ଉପସ୍ଥିତ କରିବାକୁ କୁହାଯାଇଛି। କରୋନା ସ୍ଥିତିରେ ଅଭିଯୁକ୍ତଙ୍କୁ କୋର୍ଟକୁ ଡକାଯିବ ନା ଭିଡିଓ କନଫରେନସିଂ ଜରିଆରେ ମତ ନିଆଯିବ, ତାହା ଜଣାପଡିନାହିଁ। ସିଆରପିସିର ଧାରା ୩୧୩ ଅନୁଯାୟୀ କୋର୍ଟ ଅଭିଯୁକ୍ତଙ୍କ ବକ୍ତବ୍ୟ ରେକର୍ଡ କରିବ। ଏଠାରେ ସୂଚନା ଯୋଗ୍ୟ ଯେ ୧୯୯୨ ମସିହାରେ କରସେବକମାନେ ବାବ୍ରୀ ମସଜିଦକୁ ଧ୍ବଂସ କରିଥିଲେ।