ଖାଦ୍ୟ ପାଇଁ ଲମ୍ବା ଧାଡ଼ି; ଗୁଗୁଲ ମ୍ୟାପ୍‌ର ସହାୟତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଖାଦ୍ୟ ପାଇଁ ନିରାଶ୍ରୟଙ୍କ ଲମ୍ବାଧାଡ଼ି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି। ଦିଲ୍ଲୀ ସରକାରଙ୍କ ପକ୍ଷରୁ ବିଭିନ୍ନ ସ୍ଥାନରେ ସରକାରୀ ସ୍କୁଲରେ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ପାଇଁ ଲୋକେ ସକାଳ ୬ଟାରୁ ଧାଡ଼ି ଲଗାଉଥିବା ଓ ଗୋଟିଏ ଗୋଟିଏ ଧାଡ଼ିରେ ୫୦୦ରୁ ୧୨୦୦ ପର୍ୟ୍ୟନ୍ତ ଲୋକ ରହୁଥିବା ଦେଖିବାକୁ ମିଳୁଛି। ଲୋକେ ନିଜେ ଛିଡ଼ା ହୋଇ ନ ପାରିଲେ କିଛି ସାମଗ୍ରୀ ରଖିଯାଉଛନ୍ତି। ଦିଲ୍ଲୀ ସରକାର ଏପ୍ରିଲ ୧ରୁ ୨୫୦୦ କେନ୍ଦ୍ରରେ ଖାଦ୍ୟ ଯୋଗାଉଛନ୍ତି। ପ୍ରତ୍ୟହ ୧୦ଲକ୍ଷ ଲୋକଙ୍କୁ ଖାଦ୍ୟ ଦିଆଯାଉଥିବା ପ୍ରକାଶ। ଅପରପକ୍ଷରେ ଖାଦ୍ୟ ସଂକଟ ଦୂର ସହ ଭୋକିଲାଙ୍କୁ ଠାବ କରିବା ଓ ସମସ୍ତଙ୍କୁ ରାତ୍ରିକାଳୀନ ଆଶ୍ରୟ ସୁବିଧା ଯୋଗାଇ ଦେବା ପାଇଁ ଅରବିନ୍ଦ କେଜରିୱାଲ ସରକାର ‘ଗୁଗୁଲ ମ୍ୟାପ୍‌’ ସହିତ ସଂଯୋଗ ସ୍ଥାପନ କରିଛନ୍ତି। ଏହାଦ୍ବାରା ଯେ କେହି ସରକାରଙ୍କ ଦ୍ବାରା ଆୟୋଜିତ ସମସ୍ତ ଖାଦ୍ୟଯୋଗାଣ କେନ୍ଦ୍ର ଓ ରାତ୍ରିକାଳୀନ ଆଶ୍ରୟ କେନ୍ଦ୍ର ଠାବ କରିପାରିବ ବୋଲି କେଜରିୱାଲ ମଙ୍ଗଳବାର ନିଜ ଟ୍ବିଟରରେ ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ତାଲାବନ୍ଦ ଅବଧି ବୃଦ୍ଧି କରାଯାଇଥିବାବେଳେ ଏହାର ପାଳନ ପାଇଁ ସବୁ ପ୍ରକାର ସାହାଯ୍ୟ କରିବେ ବୋଲି ସେ କହିଛନ୍ତି।

Comments are closed.