ସିଆଚେନରେ ଯବାନଙ୍କୁ ମିଳୁନି ଉପଯୁକ୍ତ ଖାଦ୍ୟ ଓ ପୋଷାକ: ସିଏଜି

ନୂଆଦିଲ୍ଲୀ : ସିଆଚେନ, ଲଦାଖ ଓ ଡୋକଲାମ ଭଳି ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ମୁତୟନ ଯବାନଙ୍କୁ ଉପଯୁକ୍ତ ଖାଦ୍ୟ, ପୋଷାକ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ ନାହିଁ। ୨୦୧୭-୧୮ ବର୍ଷର ସିଏଜି ରିପୋର୍ଟରୁ ସରକାରଙ୍କ ଏପରି ଗୁରୁତ୍ବପୂର୍ଣ୍ଣ ଅବହେଳା ସମ୍ପର୍କୀତ ତଥ୍ୟ ପଦାକୁ ଆସିଛି। ସୋମବାର ସଂସଦରେ ଏହି ସିଏଜି ରିପୋର୍ଟ ଉପସ୍ଥାପନ କରାଯାଇଛି। ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଏହି ଯବାନଙ୍କୁ ଅଧିକ କ୍ୟାଲୋରୀର ଖାଦ୍ୟ ଓ ସ୍ବତନ୍ତ୍ର ପୋଷାକ କ୍ରୟ କରିବାରେ ସରକାର ଅହେତୁକ ବିଳମ୍ବ କରୁଛନ୍ତି। ଏପରିକି ସେମାନେ ୪ ବର୍ଷ ବିଳମ୍ବରେ ନିଜର ଅତ୍ୟାବଶ୍ୟକ ସାମଗ୍ରୀ ପାଉଛନ୍ତି। ଫଳରେ ସେମାନେ ପୁରୁଣା  ଓ ଚିରାଫଟା ଜୋତା, ଜ୍ୟାକେଟ ଓ ଅନ୍ୟାନ୍ୟ ସାମଗ୍ରୀ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ପୁରୁଣା ମାନଦଣ୍ଡ ଆଧାରରେ ପୋଷାକ, ଜୋତା, ଜ୍ୟାକେଟ, ମାସ୍କ, ଶୋଇବା ଶେଜ ଓ ଅନ୍ୟାନ୍ୟ ସାମଗ୍ରୀ କ୍ରୟ କରିବା ବିଳମ୍ବ ହେଉଛି। ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ମୁତୟନ ଏହି ଯବାନଙ୍କୁ ସ୍ବତନ୍ତ୍ର ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥାଏ। ମାତ୍ର ଏହା ଯବାନଙ୍କୁ ଦିଆଯାଉ ନାହିଁ। ଯବାନମାନେ ଯେତେ କ୍ୟାଲୋରୀର ଖାଦ୍ୟ ଖାଇବା ଦରକାର ତାହା ହ୍ରାସ ପାଉଛି। ମୂଲ୍ୟବୃଦ୍ଧି କାରଣରୁ କେତେକ ନିର୍ଦ୍ଧିଷ୍ଟ ରାସନ ପରିବର୍ତ୍ତନ କରାଯାଇ ତା’ ସ୍ଥାନରେ ଅନ୍ୟ ରାସନ ଦିଆଯାଉଛି। ଯବାନଙ୍କୁ ରାସନ ସାମଗ୍ରୀ ଯୋଗାଇ ଦେବା ଲାଗି ସେନାର ଇଷ୍ଟର୍ଣ୍ଣ କମାଣ୍ଡ ଓପନ ଟେଣ୍ଡର ମଧ୍ୟରେ ଠିକା ଦେଇଥାଏ; କିନ୍ତୁ ନଦର୍ଣ୍ଣ କମାଣ୍ଡ କେତେକ ନିର୍ଦ୍ଧିଷ୍ଟ ସାମଗ୍ରୀକୁ ଟେଣ୍ଡର ମାଧ୍ୟମରେ କ୍ରୟ କରିଥାଏ।

ସିଏଜି ରିପୋର୍ଟରୁ ଜଣାଯାଇଛି ଯେ ଉଚ୍ଚ ପର୍ବତ ଶିଖରରେ ମୁତୟନ ଏହି ଯବାନଙ୍କ ପାଇଁ ଖାଦ୍ୟ ଓ ପୋଷାକ ପତ୍ର କ୍ରୟ ଲାଗି ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ କ୍ଷମତାପ୍ରାପ୍ତ କମିଟି ଗଠନ କରିଥିଲା। ଏହି କମିଟି ସାମଗ୍ରୀ କ୍ରୟ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବାକୁ ରହିଥିଲା। ଏହି କମିଟି ଗଠନ ସତ୍ତ୍ବେ ଯବାନଙ୍କ ପାଖରେ ସାମଗ୍ରୀ ପହଞ୍ଚିବା ବିଳମ୍ବ ହେଉଛି। ଏହିସବୁ ଯବାନଙ୍କ ପାଇଁ ଅର୍ଡନାନ୍ସ ଫ୍ୟାକ୍ଟ୍ରିରୁ ନିଆଯାଉଥିବା ସାମଗ୍ରୀ ସେମାନଙ୍କ ନିକଟରେ ପହଞ୍ଚାଇବା ମଧ୍ୟ ବିଳମ୍ବ ହେଉଛି। ସାମଗ୍ରୀ ଅଧିଗ୍ରହଣ ଓ ପହଞ୍ଚାଇବାରେ ବିଳମ୍ବ ଯୋଗୁଁ ଯବାନମାନେ ଖାଦ୍ୟ ଓ ପୋଷାକପତ୍ର ଅଭାବର ସମ୍ମୁଖୀନ ହେଉଛି। ଏହା ଯବାନଙ୍କ ସ୍ବାସ୍ଥ୍ୟ ଉପରେ କ୍ଷତି ପହଞ୍ଚାଉଛି। ସିଆଚେନରେ ଯବାନମାନେ ବିଯୁକ୍ତ ୧୫ ଡିଗ୍ରୀ ସେଲସିୟସ୍‌ ତାପମାତ୍ରାରେ ରହିଥାନ୍ତି। ଏଠାରେ ଯବାନମାନେ ଶତ୍ରୁଙ୍କ ଅପେକ୍ଷା ଥଣ୍ଡା ପାଗର ମୁକାବିଲା କରିବାରେ ଅଧିକ କଷ୍ଟ ସହ୍ୟ କରିଥାନ୍ତି। ଏପରି କ୍ଷେତ୍ରରେ ସ୍ବତନ୍ତ୍ର ଜୋତା ଓ ତୁଷାର ପ୍ରତିରୋଧକାରୀ ଚଷମାର ଜରୁରୀ ଆବଶ୍ୟକ ଥିବା ଏହା ଠିକ୍ ଭାବେ ଦିଆଯାଉ ନାହିଁ। ୨୦୧୫ ସେପ୍ଟେମ୍ବରରୁ ୨୦୧୬ ନଭେମ୍ବର ମଧ୍ୟରେ ଯବାନ ଲାଗି ଆବଶ୍ୟକ ଜୋତାର ଅଭାବ ଦେଖାଯାଇଥିଲା। ଫଳରେ ସେମାନେ ପୁରୁଣା ଓ ଫଟା ଜୋତା ବ୍ୟବହାର କରିବାକୁ ବାଧ୍ୟ ହୋଇଥିଲେ। ଏହି ସମୟରେ ୭୫୦ ତୁଷାର ପ୍ରତିରୋଧକାରୀ ଚଷମାର ଅଭାବ ଦେଖାଯାଇଥିଲା। ଯବାନଙ୍କ ପାଇଁ ନିମ୍ନମାନର କ୍ରୟ ମାସ୍କ ଓ ଶେଜ କ୍ରୟ କରାଯାଇଥିବା ସିଏଜି ରିପୋର୍ଟରେ ଉଲ୍ଲେକ କରାଯାଇଛି। ଯେଉଁଥିରେ ପ୍ରାୟ ୭.୭୪କୋଟି ଟଙ୍କା ଅନିୟମିତତା ହୋଇଥିବା କୁହାଯାଇଛି। ସାମଗ୍ରୀ କ୍ରୟରେ ଅନିୟମିତତା ଓ ଅଧିଗ୍ରହଣରେ ବିଳମ୍ବ ଯୋଗୁଁ ପ୍ରତିରକ୍ଷା ମନ୍ତ୍ରଣାଳୟ ୨୫.୪୮ କୋଟି ଟଙ୍କା କ୍ଷତି କରିଥିବା କୁହାଯାଇଛି। ରାସନ ସାମଗ୍ରୀ ଯୋଗାଣରେ ଅନିୟମିତତା ଯୋଗୁଁ ଯବାନଙ୍କ କ୍ୟାଲୋରୀ ପ୍ରାୟ ୮୨% ହ୍ରାସ ହୋଇଥିବା କୁହାଯାଇଛି। ଉଚ୍ଚ ପାର୍ବତ୍ୟ ଅଞ୍ଚଳରେ ମୁତୟନ ଏହି ଯବାନଙ୍କ ପାଇଁ ଘର ବ୍ୟବସ୍ଥା କରାଯିବାକୁ ଯୋଜନା ହୋଇଥିବାବେଳେ ଏହା କାର୍ଯ୍ୟକାରୀ କରାଯାଇ ନଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Comments are closed.