ହିନ୍ଦୁ ଯୁବତୀଙ୍କୁ ଅପହରଣ ପ୍ରସଙ୍ଗ : ପାକିସ୍ତାନ କୂଟନୀତିଜ୍ଞଙ୍କୁ ଭାରତର ସମନ

ନୂଆଦିଲ୍ଲୀ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀଙ୍କୁ ଅପହରଣ ଘଟଣା ନେଇ ଭାରତ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ମଙ୍ଗଳବାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟର ବରିଷ୍ଠ କୂଟନୀତିଜ୍ଞଙ୍କୁ ଏହି ଘଟଣାରେ ସମନ ଜାରି କରାଯାଇଛି। ପାକିସ୍ତାନରେ ହିନ୍ଦୁଙ୍କ ପ୍ରତି ଅତ୍ୟାଚାରର ଏହା ଏକ ନମୁନା ବୋଲି ଭାରତ ଦର୍ଶାଇଛି। ଶନିବାର ସିନ୍ଧୁ ପ୍ରଦେଶ ଅନ୍ତର୍ଗତ ମାଲା ସହରରେ ସମ୍ପୃକ୍ତ ୨୪ବର୍ଷୀୟା ଯୁବତୀଙ୍କ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ଅଧାବାଟରେ ତାଙ୍କୁ ଅପହରଣ କରିନିଆଯାଇଥିବା ଅଭିଯୋଗ ହୋଇଥିଲା। ପୁଲିସ ସହାୟତାରେ ସ୍ଥାନୀୟ ମୁସଲମାନମାନେ ଏହି କାଣ୍ଡ ଘଟାଇଥିବା ଯୁବତୀଙ୍କ ପରିବାର ପକ୍ଷରୁ ଅଭିଯୋଗରେ ଦର୍ଶାଯାଇଥିଲା। ଭାରତ ସରକାର ଏହାର ତୀବ୍ର ନିନ୍ଦା କରିବା ସହ ଅଭିଯୋଗ ଉପରେ ଜରୁରୀକାଳୀନ ଭିତ୍ତିରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି। ଦେଶର ସଂଖ୍ୟାଲଘୁଙ୍କ ସୁରକ୍ଷା ପ୍ରତି ଦୃଷ୍ଟିଦେବାକୁ ଇମ୍ରାନ ଖାଁଙ୍କ ସରକାର ବାଧ୍ୟ ବୋଲି ଭାରତ କହିଛି।

Comments are closed.