MEllora 950×100

୩ୟ ଦିନିକିଆ ବାତିଲ ; ନ୍ୟୁଜିଲାଣ୍ଡ ଶୃଙ୍ଖଳା ଜିତିଲା

ଖ୍ରୀଷ୍ଟଚର୍ଚ୍ଚ : ବୁଧବାର ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଆଉ ମାତ୍ର ୨ ଓଭର ଖେଳ ହୋଇଥିଲେ ଘରୋଇ ନ୍ୟୁଜିଲାଣ୍ଡ ଜିତିଥାଆନ୍ତା। ହେଲେ ବର୍ଷା ଏହା ଚାହିଁନଥିଲା। ଭାରତ ବିପକ୍ଷ ଏହି ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ମାତ୍ର ୨୨୦ ରନ୍‌ର ପିଛାକରି ୧୮ ଓଭରରେ ୧ ୱିକେଟରେ ୧୦୪ ରନ୍‌ କରିଥିବା ବେ​‌େ​‌ଳ ବର୍ଷା ହୋଇଥିଲା। ବର୍ଷା ବନ୍ଦ ନହେବାରୁ ମ୍ୟାଚ୍‌ ବାତିଲ ହୋଇଥିଲା। ନ୍ୟୁଜିଲାଣ୍ଡ ୨୦ ଓଭର ଖେଳିନଥିବାରୁ ଏହାକୁ ମ୍ୟାଚ୍‌ ଭାବେ ଗଣନା କରା ଯାଇନଥିଲା। ଅନ୍ୟଥା ନ୍ୟୁଜିଲାଣ୍ଡ ଜିତିଥାଆନ୍ତା। କାରଣ ଡକ୍‌ୱର୍ଥ-ଲୁଇସ୍‌ ନିୟମରେ ନ୍ୟୁଜିଲାଣ୍ଡ ବହୁତ ଆଗରେ ଥିଲା। କ୍ରମାଗତ ୨ୟ ମ୍ୟାଚ୍‌ ବାତିଲ ହେବାରୁ ପ୍ରଥମ ଦିନିକିଆ ଜିତିଥିବା ନ୍ୟୁଜିଲାଣ୍ଡ ୧-୦ରେ ଶୃଙ୍ଖଳା ଜିତିଥିଲା।
ନ୍ୟୁଜିଲାଣ୍ଡ ପେସ୍‌ ଆକ୍ରମଣ ସମ୍ମୁଖରେ ଭାରତୀୟ ବ୍ୟାଟ୍‌ସମ୍ୟାନ ଆତ୍ମସମର୍ପଣ କରିଥିଲେ। ୱାଶିଂଟନ ସୁନ୍ଦର ଓ ଶ୍ରେୟାସ ଆୟରଙ୍କ ଉପଯୋଗୀ ଇନିଂସ ବଳରେ ପ୍ରଥମେ ବ୍ୟାଟିଂକରି ଭାରତ ୪୭.୩ ଓଭରରେ ୨୧୯ ରନ୍‌କରି ଅଲ୍‌ଆଉଟ୍‌ ହୋଇ ଯାଇଥିଲା। ଏହାର ପିଛାକରି ୧୮ ଓଭରରେ ନ୍ୟୁଜିଲାଣ୍ଡ ୧ ୱିକେଟ୍‌ରେ ୧୦୪ କରିବା ପରେ ବର୍ଷା ଯୋଗୁଁ ମ୍ୟାଚ୍‌ ବନ୍ଦ ହୋଇଥିଲା। ୨୨୦ ରନ୍‌ର ପିଛାକରି ନ୍ୟୁଜିଲାଣ୍ଡ ୮ ଓଭରରେ ମାତ୍ର ୩୪ ରନ୍‌ ହୋଇଥିଲା। ପରେ ଫିନ୍‌ ଆଲେନ୍‌ ଆକ୍ରମଣ କରିଥିଲେ। ଫଳରେ ପରବର୍ତ୍ତୀ ୧୦ ଓଭରରେ ୭୦ ରନ୍‌ ହୋଇଥିଲା। ଆଲେନ୍‌ ୫୪ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୫୭ ରନ୍‌କରି ଆଉଟ୍‌ ହୋଇଥିଲେ। ମ୍ୟାଚ୍‌ ବନ୍ଦହେବା ବେଳକୁ କନ୍‌ୱେ ୬ଟି ଚୌକା ସହ ୩୮ ଓ ଅଧିନାୟକ କେନ୍‌ ୱିଲିୟମ୍‌ସନ ବିନା ସ୍କୋର୍‌ରେ ଅପରାଜିତ ଥିଲେ। ନ୍ୟୁଜିଲାଣ୍ଡ ଟସ୍ ଜିତି ଫିଲ୍‌ଡିଂ ନେବା ପରେ ଶୁବ୍‌ମାନ ଗିଲ୍‌ ୧୩ ରନ୍‌କରି ଅାଉଟ୍‌ ହୋଇଥିଲେ। ଅଧିନାୟକ ଶିଖର ଧାୱନ ୧୩ ଓଭର କ୍ରିଜ୍‌ରେ ରହି ୪୫ ବଲ୍‌ରୁ ମାତ୍ର ୨୮ ରନ୍‌ କରିଥିଲେ। ଶ୍ରେୟାସ ଆୟର ୫୯ ବଲ୍‌ରୁ ୮ଟି ଚୌକା ସହ ୪୯ ରନ୍‌ କରିଥିଲେ। ମଧ୍ୟକ୍ରମ ବିଫଳ ହୋଇଥିଲା ଋଷଭ ପନ୍ତ୍ ୧୦, ସୂର୍ଯ୍ୟକୁମାର ଯାଦବ ୬ ଓ ଦୀପକ ହୁଡା ୧୨ ରନ୍‌କରି ଆଉଟ୍‌ ହୋଇଥିଲେ। ଶେଷଆଡ଼କୁ ୱାଶିଂଟନ ସୁନ୍ଦର ଚମତ୍କାର ବ୍ୟାଟିଂ କରିଥିଲେ। ସୁନ୍ଦର ୬୪ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୫୧ ରନ୍‌ କରିଥିଲେ। ଆଡାମ୍ ମିଲ୍‌ନ ଓ ଡ୍ୟାରିଲ ମିଚେଲ ୩ଟି ଲେଖାଏଁ ଏବଂ ଟିମ୍ ସାଉଦି ୨ଟି ୱିକେଟ ନେଇଥିଲେ। ଟମ୍ ଲାଥାମ୍ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।

Comments are closed.