ନ୍ୟୁଜିଲାଣ୍ଡ ବିଜୟୀ – ଦକ୍ଷିଣ ଆଫ୍ରିକା ସଙ୍କଟରେ

ବର୍ମିଂହାମ୍: ଚଳିତ ବିଶ୍ୱକପ୍‌ରେ ପୁଣି ଏକ ପରାଜୟ ଭୋଗିଛି ଦକ୍ଷିଣ ଆଫ୍ରିକା। ବୁଧବାର ଅଧିନାୟକ କେନ୍ ୱିଲିୟମ୍‌ସନଙ୍କ ଅପରାଜିତ ଶତକ ଓ କଲିନ୍ ଡି ଗ୍ରାଣ୍ଡହୋମ୍‌ଙ୍କ ଲଢ଼ୁଆ ଇନିଂସ୍ ବଳରେ ୪ ୱିକେଟରେ ଦକ୍ଷିଣ ଆଫ୍ରିକାକୁ ନ୍ୟୁଜିଲାଣ୍ଡ ପରାସ୍ତ କରିଛି। ହାସିମ୍ ଆମ୍‌ଲା ଓ ରାସି ଭାନ୍ ଡର୍ ଡ୍ୟୁସେନ୍‌ଙ୍କ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୪୯ ଓଭରରେ ୬ ୱିକେଟ ହରାଇ ୨୪୧ ରନ୍ କରିଥିଲା। ୩ଟି ବଲ୍‌ ବାକିଥାଇ ୬ ୱିକେଟ ହରାଇ ନ୍ୟୁଜିଲାଣ୍ଡ ଜିତି ନେଇଥିଲା। ଓଦା ପଡ଼ିଆ ଯୋଗୁଁ ଏହି ମ୍ୟାଚ୍ ଦେଢ଼ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିବାରୁ ୪୯ ଓଭରର ହୋଇଥିଲା। ୫ମ ମ୍ୟାଚ୍‌ରେ ୪ର୍ଥ ବିଜୟ ପରେ ୯ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ଶୀର୍ଷରେ ପହଞ୍ଚିଛି। ୬ଷ୍ଠ ମ୍ୟାଚ୍‌ରେ ୪ର୍ଥ ପରାଜୟ ପରେ ଦକ୍ଷିଣ ଆଫ୍ରିକାର ସେମିଫାଇନାଲ ଖେଳିବା ସଙ୍କଟରେ ପଡ଼ିଯାଇଛି।
ନ୍ୟୁଜିଲାଣ୍ଡ ୨୪୨ ରନ୍ ଲକ୍ଷ୍ୟରେ ଇନିଂସ ଆରମ୍ଭ କରିବା ପରେ କଲିନ୍ ମନ୍‌ରୋ ୯ ରନ୍‌କରି ବିଦାୟ ନେଇଥିଲେ। ପରେ ଦଳକୁ ଜିତାଇବା ପର୍ୟ୍ୟନ୍ତ କେନ୍ ୱିଲିୟମ୍‌ସନ ବ୍ୟାଟିଂ କରିଥିଲେ। ମାର୍ଟିନ୍ ଗପ୍‌ଟିଲ ଓ ଅଧିନାୟକ ୱିଲିୟମ୍‌ସନ ୨ୟ ୱିକେଟ ପାଇଁ ୧୩ ଓଭରରେ ୬୦ ରନ୍ ଯୋଡ଼ିଥିଲେ। ୮ ରନ୍‌​ରେ ନ୍ୟୁଜିଲାଣ୍ଡ ୩ଟି ୱିକେଟ ହରାଇ ଚିନ୍ତାରେ ପଡ଼ି ଯାଇଥିଲା। ଗପ୍‌ଟିଲ ୫୯ ବଲ୍‌ରୁ ୫ଟି ଚୌକା ସହ ୩୫ ରନ୍‌କରି ହିଟ୍ ୱିକେଟ ହୋଇଥିଲେ। ପରେ ଅଭିଜ୍ଞ ରସ୍ ଟେଲର ଓ ଟମ୍ ଲାଥାମ୍ ୧ ରନ୍‌ ଲେଖାଏଁ କରି ଆଉଟ ହୋଇଥିବା ବେଳେ ଉଭୟଙ୍କ ୱିକେଟ କ୍ରିସ୍ ମରିସ୍ ପାଇଥିଲେ। ୱିଲିୟମ୍‌ସନ ଓ ଜେମ୍‌ସ ନିସାମ୍‌ ୫୭ ରନ୍ ଯୋଡ଼ିଥିଲେ। ନିସାମ୍ ୩୪ ବଲ୍‌ରୁ ୩ଟି ଚୌକା ସହ ୨୩ ରନ୍ କରିଥିଲେ। ତେବେ କଲିନ୍ ଡି ଗ୍ରାଣ୍ଡହୋମ୍ କ୍ରିଜ୍‌କୁ ଆସି ଦର୍ଶନୀୟ ଷ୍ଟ୍ରୋକ୍‌ମାନ ଖେଳିଥିଲେ। ଫଳରେ ରନ୍‌ଗତି ବଢ଼ିଥିଲା। ୱିଲିୟମ୍‌ସନ-ଗ୍ରାଣ୍ଡହୋମ୍ ୯୧ ରନ୍ ଯୋଡ଼ିଥିଲେ। ଆଉ ୧୪ ରନ୍ ଆବଶ୍ୟକ ଥିବା ବେଳେ ଗ୍ରାଣ୍ଡହୋମ୍ ୪୭ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୬୦ ରନ୍‌କରି ଆଉଟ ହୋଇ ଯାଇଥିଲେ। ଶେଷ ଓଭରରେ ଛକାମାରି ଶତକ ପୂରଣ କରିବା ସହ ୱିଲିୟମ୍‌ସନ ଦଳକୁ ଜିତାଇଥିଲେ। ୧୩୮ ବଲ୍‌ରୁ ଗୋଟିଏ ଛକା ଓ ୯ଟି ଚୌକା ସହ ୱିଲିୟମ୍‌ସନ ୧୦୬ ରନ୍‌କରି ଅପରାଜିତ ଥିଲେ। ଏହା ତାଙ୍କ ୧୨ଶ ଦିନିକିଆ ଶତକ। କ୍ରିସ୍ ମରିସ୍ ୩ଟି ୱିକେଟ ପାଇଥିଲେ। ୱିଲିୟମ୍‌ସନ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
ଟସ୍ ଜିତି ନ୍ୟୁଜିଲାଣ୍ଡ ଫିଲ୍‌ଡିଂର ନିଷ୍ପତ୍ତି ନେଇଥିଲା। ଟ୍ରେଣ୍ଟ୍ ବୋଲ୍‌ଟଙ୍କ ଏକ ଚମତ୍କାର ଇନ୍‌ସ୍ବିଙ୍ଗରରେ ଦକ୍ଷିଣ ଆଫ୍ରିକା ଓପ୍‌ନର କ୍ବିଣ୍ଟନ୍ ଡି କକ୍ (୫) ବୋଲ୍‌ଡ ହୋଇ ଯାଇଥିଲେ। ପରେ ଓପ୍‌ନର ହାସିମ୍ ଆମ୍‌ଲା ଓ ଅଧିନାୟକ ଫାଫ୍ ଡୁ ପ୍ଲେସି ୧୨ ଓଭରରେ ୨ୟ ୱିକେଟ ପାଇଁ ୫୦ ରନ୍ ଯୋଡ଼ିଥିଲେ। ଲୋକି ଫର୍ଗୁସନ୍‌ଙ୍କ ଏକ ୟର୍କରରେ ବୋଲ୍‌ଡହେବା ପୂର୍ବରୁ ଡୁ ପ୍ଲେସି ୩୫ ବଲ୍‌ରୁ ୪ଟି ଚୌକା ସହ ୨୩ ରନ୍ କରିଥିଲେ। ପରେ ଆମ୍‌ଲା ଓ ଐଡେନ୍ ମାର୍କରାମ ୧୪ ଓଭରରେ ୬୨ ରନ୍ ଯୋଡ଼ିଥିଲେ। ଆମ୍‌ଲା ୮୩ ବଲ୍‌ରୁ ୪ଟି ଚୌକା ସହ ୫୫ ରନ୍‌କରି ଆଉଟ ହୋଇଥିଲେ। ମାର୍କରାମ ୫୫ ବଲ୍‌ରୁ ୪ଟି ଚୌକା ସହ ୩୮ ରନ୍ କରିଥିଲେ। ପରେ ଦକ୍ଷିଣ ଆଫ୍ରିକା ୩୩ ଓଭରରେ ୪ ୱିକେଟରେ ୧୩୬ ରନ୍ କରିଥିବା ବେଳେ ରାସି ଭାନ୍ ଡର୍ ଡ୍ୟୁସେନ୍ ଓ ଡେଭିଡ୍ ମିଲର ରନ୍‌ଗତି ବଢ଼ାଇବାର ପ୍ରୟାସ କରିଥିଲେ। ଦୁହେଁ ୫ମ ୱିକେଟ ପାଇଁ ୭୨ ରନ୍ ଯୋଡ଼ିଥିଲେ। ବାମହାତି ମିଲର ୩୭ ବଲ୍‌ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୩୬ ରନ୍‌ କରିଥିଲେ। ଆନ୍ଦିଲେ ଫେଲୁକ୍ବାୟୋ ଖାତା ଖୋଲି ପାରିନଥିଲେ। ଭାନ୍ ଡର୍ ଡ୍ୟୁସେନ୍ ୬୪ ବଲ୍‌ରୁ ୩ଟି ଛକା ଓ ୨ଟି ଚୌକା ସହ ୬୭ ରନ୍‌କରି ଅପରାଜିତ ଥିଲେ। ଫର୍ଗୁସନ୍ ୩ଟି ୱିକେଟ ପାଇଥିଲେ।

Comments are closed.