ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ଗାଇଡଲାଇନ ଜାରି

ଭୁବନେଶ୍ବର : ସରକାରୀ କର୍ମଚାରୀଙ୍କ ପାଇଁ ନୂଆବର୍ଷ ପାଳନ ନେଇ କଟକଣା ଜାରି ହୋଇଛି । ନୂଆବର୍ଷରେ ଅଫିସରେ ଏକାଠି ହୋଇପାରିବେନି କୌଣସି ଅଧିକାରୀ । କେବଳ ଭର୍ଚୁଆଲ ମାଧ୍ୟମରେ ନବ ବର୍ଷର ଶୁଭେଚ୍ଛା ଜଣାଇବେ ବୋଲି ସାଧାରଣ ପ୍ରାଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।
ଏଥି ସହିତ କରୋନାକୁ ଦୃଷ୍ଟିରେ ରଖି ସରକାରୀ କର୍ମଚାରୀଙ୍କ ପାଇଁ ଜାନୁଆରୀ ମାସର ଗାଇଡଲାଇନ ଜାରି କରାଯାଇଛି।ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତି ଅନୁସାରେ, ୭୫ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ । ଆସନ୍ତା ଜାନୁଆରୀ ୨୦୨୧ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଗାଇଡଲାଇନ୍ ଅନୁଯାୟୀ କଟକ ଓ ଭୁବନେଶ୍ୱରରେ ମଧ୍ୟ ୭୫ ପ୍ରତିଶତ କର୍ମଚାରୀରେ ଅଫିସ ଚାଲିବ । ଜରୁରୀ କାର୍ଯ୍ୟରେ ନିୟୋଜିତ ଅଫିସର ସମସ୍ତ କର୍ମଚାରୀ ଆସିବେ । ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ଶନିବାର ବନ୍ଦ ରହିବ ।
ଏହାସହ ଜରୁରୀକାଳୀନ ସେବାରେ ଥିବା ବିଭାଗ ଗୁଡିକ କିଏ ଅଫିସ ଆସିବେ, ସେନେଇ ଉଚ୍ଚ ପଦସ୍ତ ଅଫିସର ନିଷ୍ପତ୍ତି ନେବେ । ଏସଆରସି, ଓସଡମା, ଫାୟାର, ସ୍ଵାସ୍ଥ୍ୟବିଭାଗ ଏବଂ ବିଏମସି ଅଧିନରେ କାର୍ଯ୍ୟ କରୁଥିବା କର୍ମଚାରୀ ଶତ ପ୍ରତିଶତ ଆସିବେ ବୋଲି ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରକାଶ ବିଜ୍ଞପ୍ତିରେ ଦର୍ଶାଯାଇଛି ।