ନୂଆ ବର୍ଷରେ ପଡୋଶୀ ରାଷ୍ଟ୍ର ସହିତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ

୨୦୨୨ରେ କେମିତି ରହିବ ଦେଶ ଓ ରାଜ୍ୟର ଭାଗ୍ୟ- ଜ୍ୟୋତିର୍ବିଦଙ୍କ ଆକଳନ

ଆଉ କେଇ ଘଣ୍ଟା ପରେ ଆସିଯିବ ନୂଆବର୍ଷ ୨୦୨୨ । ନୂଆବର୍ଷରେ ଦେଶ ଓ ରାଜ୍ୟର ଭାଗଫଳ କେମିତି ରହିବ ସେ ସମ୍ପର୍କରେ ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ କେତେକ ଆକଳନ କରିଛନ୍ତି, ଯାହା ଓଡ଼ିଶାବାସୀ ଓ ସମଗ୍ର ଦେଶବାସୀଙ୍କ ଅବଗତି ନିମନ୍ତେ ଏଠାରେ ଉପସ୍ଥାପନ କରାଯାଉଛି ।
ଭାରତର ରାଶିଫଳ: ଭାରତ ବର୍ଷର ରାଶି ହେଉଛି କର୍କଟ ଓ ପୁଷ୍ୟା ନକ୍ଷତ୍ର । ସେଥିରେ ଚନ୍ଦ୍ର ମହାଦଶାରେ ଶନ୍ତିଙ୍କର ଅନ୍ତର୍ଦଶା ଚାଲିଛି । ୨୦୨୨ରେ ଗ୍ରହମାନଙ୍କର ସ୍ଥିତି ଅନୁଯାୟୀ ସମଗ୍ର ଭାରତ ଏବଂ ଦେଶର ସରକାର ନାନା ସମସ୍ୟା ଦେଇ ଗତିକରିବେ । ପଡୋଶୀ ରାଷ୍ଟ୍ରଗୁଡିକ ସହିତ ସୁସମ୍ପର୍କ ରକ୍ଷା କରିବାକୁ ଚେଷ୍ଟା କରିବେ । ତେବେ ପଡୋଶୀ ରାଷ୍ଟ୍ର ସହିତ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ । କ୍ରୀଡା, ସାହିତ୍ୟ, ସଂସ୍କୃତି ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆସିପାରେ । ଶିଳ୍ପ, ବିଜ୍ଞାନ, ଗବେଷଣାକୁ ଅଧିକ ଗୁରୁତ୍ୱ ଦିଆଯିବ ଏବଂ ସେଥିରୁ ସୁଫଳ ମିଳିବ । କୃଷି କ୍ଷେତ୍ରରୁ ଆଶାନୁରୂପ ଲାଭ ମିଳିନପାରେ । ଶିକ୍ଷା କ୍ଷେତ୍ରରେ ନୂତନ ଶିକ୍ଷାନୀତି ପ୍ରଚଳନ ପାଇଁ ସରକାର ଚେଷ୍ଟା କରିବେ । ସନ୍ତ୍ରାସବାଦ, କୃଷକ ଆନ୍ଦୋଳନ ଓ ଆଞ୍ଚଳିକ ସମସ୍ୟାକୁ ନେଇ ସରକାରଙ୍କର ବ୍ୟସ୍ତତା ବୃଦ୍ଧିପାଇବ । ସରକାରଙ୍କ ନେତୃତ୍ୱରେ ଦେଶରେ ପ୍ରଗତି ଘଟିବା ସହିତ ଆର୍ଥିକ କ୍ଷେତ୍ରରେ ଅଭିବୃଦ୍ଧି ଘଟିବ । ସରକାରୀ ଉଦ୍ୟୋଗର ପରିଚାଳନା ଭାର ବେସରକାରୀ ସଂସ୍ଥା ହାତକୁ ଯାଇପାରେ । ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ପାଇଁ ଉଦ୍ୟମ ହେବ ।
ଓଡ଼ିଶାର ରାଶିଫଳ:
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶର ରାଶି କର୍କଣ । ୨୦୨୨ରେ ଗ୍ରହମାନଙ୍କର ଅବସ୍ଥିତି ଅନୁଯାୟୀ ବର୍ଷଟି ରାଜ୍ୟ ପାଇଁ ମଧ୍ୟମ ଧରଣର ରହିବ । ସରକାର ରାଜ୍ୟର ପ୍ରଗତି ପାଇଁ ବହୁ ଯୋଜନା ପ୍ରଣୟନ କରିବେ । ଶିଳ୍ପ ଓ କ୍ରୀଡାକୁ ଗୁରୁତ୍ୱ ଦିଆଯିବ । ସ୍ୱାସ୍ଥ୍ୟ, ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଚେଷ୍ଟା କରିବେ । କୃଷି ଓ ଜଳସେଚନ କ୍ଷେତ୍ରରେ ଅନେକ ଯୋଜନା କାର୍ଯ୍ୟକାରୀ ହେବ । ଖଣିଜ ସମ୍ପଦ ଏବଂ ବନ୍ୟା ପରିସ୍ଥିତି ପରିଚାଳନା ସରକାରଙ୍କ ପାଇଁ କିଛିଟା ସମସ୍ୟା ସୃଷ୍ଟି କରିପାରେ । ବିରୋଧୀ ଦଳ ସଦସ୍ୟଙ୍କ ମଧ୍ୟରେ ଭୁଲ ବୁଝାମଣା ଲାଗି ରହିବ । କୃଷି ସମସ୍ୟା, ବାତ୍ୟା, ମରୁଡି ଜନିତ ସମସ୍ୟା ରାଜ୍ୟବାସୀଙ୍କ ପାଇଁ ଚିନ୍ତାର କାରଣ ହୋଇପାରେ । ଚିକିତ୍ସା ଓ ନାରୀ ସଶକ୍ତିକରଣକୁ ଆଧାର କରି ସରକାର ଜନସାଧାରଣଙ୍କ ବିଶ୍ୱାସଭାଜନ ହେବାକୁ ଚେଷ୍ଟା କରିବେ । ଆସୁଥିବା ନିର୍ବାଚନରେ ଶାସକ ଦଳକୁ ଅଧିକ ସଫଳତା ମିଳିପାରେ ।
ଏବେ ୧୨ଟି ରାଶିର ଭାଗ୍ୟଫଳ ଜାଣିବା
ମେଷ:
୨୦୨୨ ଏହି ରାଶି ପାଇଁ ଉନ୍ନତି ଆଣିବ । ଆଞ୍ଚଳିକ କ୍ଷେତ୍ରରେ ବର୍ଷ ଶୁଭପ୍ରଦ ରହିବ । ପୈତୃକ ସମ୍ପତ୍ତି କିମ୍ବା ଉତ୍ତରାଧିକାର ସୂତ୍ରରେ କୌଣସି ସମ୍ପତ୍ତିର ମାଲିକାନା ପାଇପାରନ୍ତି । କରିଥିବା ଋଣ ପରିଶୋଧ କରିବେ । କର୍ମକ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କର ବିଶ୍ୱାସଭାଜନ ହେବେ । ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଦୂରହେବ । ମହିଳାମାନଙ୍କ ପାଇଁ ବର୍ଷଟି ଶାନ୍ତିପ୍ରଦ ରହିବ ।
ପ୍ରତିକାର: ନିଜର ସାଧ୍ୟମତେ ଭିନ୍ନକ୍ଷମ ପିଲାଙ୍କୁ କିଛି ମିଠା ଦାନ କରନ୍ତୁ କିମ୍ବା ମଙ୍ଗଳାଙ୍କର ଗାୟତ୍ରୀ ପ୍ରତିଦିନ ପାଠ କରନ୍ତୁ । ବୃଦ୍ଧାଶ୍ରମରେ କିଛି ସାହାଯ୍ୟ ସହଯୋଗ କରନ୍ତୁ ।
ବୃଷ:
ବର୍ଷର ଦ୍ୱିତୀୟାର୍ଦ୍ଧରେ ଆର୍ଥିକ କ୍ଷେତ୍ରରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ ହେବ । ଆୟ ଅପେକ୍ଷା ବ୍ୟୟ ସାମାନ୍ୟ ଅଧିକ ହୋଇପାରେ । ଜମିଜମା ଜନିତ କ୍ରୟ ବିକ୍ରୟରୁ ଲାଭ ପାଇପାରନ୍ତି । ଗ୍ୟାସ ସମ୍ବନ୍ଧୀୟ ସମସ୍ୟା, ଶାରୀରିକ ଦୁର୍ବଳତା ଦେଖାଦେବା ସହିତ ଦାନ୍ତ ଜନିତ କଷ୍ଟ ଅନୁଭବ କରିପାରନ୍ତି । ଦାମ୍ପତ୍ୟ ଜୀବନ ସାମାନ୍ୟ ରହିବ । ପିଲାମାନେ ପାଠପଢାରେ ଅଧିକ ଯତ୍ନବାନ ହେବେ । ତେବେ ବର୍ଷର ପ୍ରଥମାର୍ଦ୍ଧ କଷ୍ଟପ୍ରଦ ରହିପାରେ ।
ପ୍ରତିକାର: ଶୁକ୍ରବାର ଦିନ ଶ୍ରୀ ମହାଲକ୍ଷ୍ମୀଙ୍କର ଅଷ୍ଟକ ପାଠ କରନ୍ତୁ । ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ସାହାଯ୍ୟ ସହଯୋଗ କରନ୍ତୁ । ନିଜର ଶୋଇବା ଘରେ ମୟୁର ପକ୍ଷୀ ରଖନ୍ତୁ ।
ମିଥୁନ: ଔଷଧ ସମ୍ବନ୍ଧୀୟ ବ୍ୟବସାୟରେ ଅତ୍ୟନ୍ତ ସଫଳତା ମିଳିବ । ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କରେ ଉନ୍ନତି ଆସିବ । କରିଥିବା ଋଣ ପରିଶୋଧ କରିବେ । କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରୀଙ୍କର ସାହାଯ୍ୟ ସହଯୋଗ ଲାଭ କରିବେ । ପରିବାର ସହିତ କୌଣସି ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଆଖିଜନିତ ସମସ୍ୟା ଓ ସ୍ନାୟବିକ ସମସ୍ୟା ଦେଖାଦେଇପାରେ । ମହିଳାମାନେ ନୂତନ ବନ୍ଧୁତ୍ୱ ସମ୍ପର୍କରେ ଆବଦ୍ଧ ହେବେ ।
ପ୍ରତିକାର: ବୁଧବାର ଦିନ ଗଣେଶଙ୍କୁ ଦୁବ ଦାନ କରିବା ସହିତ ତାଙ୍କର ଗାୟତ୍ରୀ ପାଠ କରନ୍ତୁ । ମାଙ୍କଡମାନଙ୍କୁ କିଛି ଫଳ ଖାଇବାକୁ ଦିଅନ୍ତୁ । ନିଜର ଶୌଚାଳୟ ସଫା ରଖନ୍ତୁ ।
କର୍କଟ:
ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ବା ଶୁଭ କାର୍ଯ୍ୟ କରିପାରନ୍ତି । ପିଲାମାନଙ୍କର ଉନ୍ନତିରେ ଖୁସି ଅନୁଭବ କରିବେ । ଅଧିକ ଆୟ କରିବା ସହିତ ସଞ୍ଚୟ ମଧ୍ୟ କରିପାରନ୍ତି । ଡାକ୍ତରୀ ବିଦ୍ୟାରେ ସଫଳତା ପାଇବେ । ସ୍ୱାସ୍ଥ୍ୟ କ୍ଷେତ୍ରରେ ଅସ୍ଥି ଜନିତ ସମସ୍ୟା, ଗଣ୍ଠି ସମସ୍ୟା, ଶରୀରରେ ଶୁଷ୍କତା ପରିଲକ୍ଷିତ ହୋଇପାରେ । କର୍ମଜୀବୀ ମହିଳା କର୍ମକ୍ଷେତ୍ରରେ ଅଗ୍ରାଧିକାର ପାଇବେ । ଉଭୟ ଘର ଓ ଅଫିସ ମଧ୍ୟରେ ସମନ୍ୱୟ ରକ୍ଷା କରିବେ ।
ପ୍ରତିକାର: ସୋମବାର ଦିନ ମହାଦେବଙ୍କର ଦର୍ଶନ କରନ୍ତୁ । ଚନ୍ଦ୍ରଙ୍କର ଗାୟତ୍ରୀ ପାଠ କରନ୍ତୁ । ଦରିଦ୍ର ଅସହାୟ ବାଳିକାମାନଙ୍କୁ ସାହାଯ୍ୟ କରନ୍ତୁ । ଅମାବାସ୍ୟା ଦିନ ଭୋକିଲା ଲୋକଙ୍କୁ କ୍ଷୀତି, ମିଠା ଦାନ କରନ୍ତୁ ।
ସିଂହ:
ବର୍ଷ ଆରମ୍ଭରୁ ସମୟ ଅନୁକୂଳ ରହିବ । କର୍ମକ୍ଷେତ୍ରରେ ମାନ ସମ୍ମାନ ବୃଦ୍ଧି ଘଟିବ । କରିଥିବା ସମସ୍ତ ଋଣ ପରିଶୋଧ କରିଦେବେ । କିଛି ସଞ୍ଚୟ ମଧ୍ୟ କରିପାରନ୍ତି । ପରିବାର ସହିତ ଦୂରସ୍ଥାନକୁ ବୁଲିବା ପାଇଁ ଯାତ୍ରା କରିପାରନ୍ତି । କର୍ମରେ ପରିବର୍ତ୍ତନ ସହିତ ଉନ୍ନତିର ସୁଯୋଗ ରହିଛି । ଶାରୀରିକ କ୍ଷେତ୍ରରେ ପୂର୍ବରୁ ରହିଥିବା ସମସ୍ୟାରେ ଉନ୍ନତି ଘଟିବା ସହିତ ଚିନ୍ତାମୁକ୍ତ ରହିବେ । ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଘଟିବ ଏବଂ ଅଧିକ ଲାଭ ଉପାର୍ଜନ କରିବେ । ମହିଳାମାନେ ପୂର୍ବରୁ ଚାଲୁ ରହିଥିବା ଆଇନଗତ ଲଢେଇରେ ବିଜୟଲାଭ କରିବେ ।
ପ୍ରତିକାର: ପ୍ରତିଦିନ ରବି ମହାଗ୍ରହଙ୍କର ଗାୟତ୍ରୀ ପାଠ କରନ୍ତୁ । କୌଣସି ମନ୍ଦିରରେ ହରଡ ଡାଲି ଦାନ କରନ୍ତୁ । ପ୍ରତିଦିନ ଗୋ ମାତାଙ୍କୁ ଖାଇବାକୁ ଦିଅନ୍ତୁ ।
କନ୍ୟା:
ପରିବାର ଭିତରେ ଆପଣଙ୍କୁ ବିରୋଧ କରିପାରନ୍ତି । ଅଧିକ ସମୟ ପରିବାରରେ କଟାଇବାକୁ ବାଧ୍ୟ ହେବେ । ଆୟ ଅନୁସାରେ ବ୍ୟୟ ମଧ୍ୟ ବଢିବ । ବନ୍ଧୁ ଆପଣଙ୍କୁ ଋଣ ଦେବାକୁ ଆଗ୍ରହ ପ୍ରକାଶ କରିପାରନ୍ତି । ବର୍ଷର ଦ୍ୱିତୀୟାର୍ଦ୍ଧରେ ଆର୍ଥିକ କ୍ଷେତ୍ରରେ ଉନ୍ନତି ଆସିବ । କର୍ମ କ୍ଷେତ୍ରରେ ଆପଣ ପୁରାତନ କର୍ମକ୍ଷେତ୍ରକୁ ଛାଡି ନୂତନ କର୍ମକ୍ଷେତ୍ରରେ ଯୋଗଦେବାକୁ ମନସ୍ଥ କରିପାରନ୍ତି । ନଚେତ ନିଜସ୍ୱ ବ୍ୟବସାୟ ଆରମ୍ଭ କରିବାକୁ ଚେଷ୍ଟା କରିପାରନ୍ତି । ଶାରୀରିକ କ୍ଷେତ୍ରରେ କିଛି ସମସ୍ୟା, ପେଟଜନିତ ଓ ସ୍ନାୟବିକ ସମସ୍ୟା ଦେଖାଦେଇପାରେ । ମହିଳାମାନଙ୍କର ସ୍ୱାମୀ ଓ ପିଲାଙ୍କ ସହିତ ମତାନ୍ତର ଘଟିପାରେ ।
ପ୍ରତିକାର: ତ୍ରିପୁରା ସୁନ୍ଦରୀଙ୍କ ମୂଳମନ୍ତ୍ର ପାଠ କରନ୍ତୁ । ବିଷ୍ଣୁ ସହସ୍ର ନାମ ପାଠ କରନ୍ତୁ । ନାଲି ରଙ୍ଗର ପୋଷାକ ବ୍ୟବହାରରୁ ଦୂରରେ ରୁହନ୍ତୁ ।
ତୁଳା: ବର୍ଷଟି ଉତ୍ସାହଜନକ ରହିବ । ବର୍ଷର ପ୍ରଥମାର୍ଦ୍ଧରେ ନିଜ ପାଇଁ ବାସପୋଯୋଗୀ ଭୂମି ବା ଘର କ୍ରୟ କରିପାରନ୍ତି । ପିଲାମାନଙ୍କ ଘରେ ପରିବାର ସହିତ ମିଶି ଅନେକ ସମୟ ଆନନ୍ଦରେ କଟାଇବେ । ସନ୍ତାନ ଆଶାୟୀମାନେ ସନ୍ତାନ ଲାଭ କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ବର୍ଷର ପ୍ରଥମାର୍ଦ୍ଧ ସ୍ୱଚ୍ଛଳ ରହିବ । ଦ୍ୱିତୀୟାର୍ଦ୍ଧରେ ସାମାନ୍ୟ ସମସ୍ୟା ଦେଖାଦେଇପାରେ । ବ୍ୟବସାୟୀମାନେ କିଛି ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି । ଯେଉଁମାନେ ବେକାର ଥିଲେ ସେମାନେ ନିଯୁକ୍ତି ସୁଯୋଗ ପାଇପାରନ୍ତି । ଶ୍ୱାସନଳୀରେ ସମସ୍ୟା, ଗଣ୍ଠି ସମସ୍ୟାକୁ ବାଦ୍‍ ଦେଲେ ମୋଟାମୋଟି ଭାବରେ ସ୍ୱାସ୍ଥ୍ୟ ଭଲ ରହିବ ।
ପ୍ରତିକାର: ଶୁକ୍ର ମହାଗ୍ରହକଙ୍କର ଗାୟତ୍ରୀ ପାଠ କରନ୍ତୁ । ମାତା ପିତାଙ୍କର ଆଜ୍ଞା ପାଳନ କରନ୍ତୁ । ପ୍ରତି ଶୁକ୍ରବାର ଧଳା ରଙ୍ଗର ଗାଈକୁ ଖାଇବାକୁ ଦିଅନ୍ତୁ ।
ବିଛା:
ଘରେ ସମସ୍ତ ପ୍ରକାର ସୁଖ ସ୍ୱାଚ୍ଛନ୍ଦ୍ୟ ମିଳିବ । ଘରର ଆଧୁନିକିକରଣରେ କିଛି ଖର୍ଚ୍ଚ କରିପାରନ୍ତି । ବର୍ଷର ଦ୍ୱିତୀୟାର୍ଦ୍ଧରେ ନିଜ ପାଇଁ ନୂତନ ବିଳାସପୂର୍ଣ୍ଣ ଯାନବାହନ କ୍ରୟ କରିପାରନ୍ତି । ସଞ୍ଚିତ ଅର୍ଥରୁ କିଛି ଖର୍ଚ୍ଚ କରିପାରନ୍ତି । କିଛି ଘରକରଣା ଦ୍ରବ୍ୟ କିଣିବା ସମ୍ଭାବନା ରହିଛି । ବ୍ୟବସାୟୀମାନେ ନିଜର ବ୍ୟବସାୟ ବଢାଇବାକୁ ଅନ୍ୟର ସାହାଯ୍ୟ ନେଇପାରନ୍ତି । ରାଜନୀତି କ୍ଷେତ୍ରରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପଛରେ ପକାଇବେ । କୌଣସି ଧର୍ମାନୁଷ୍ଠାନ ପରିଚାଳନା ଭାର ନେଇପାରନ୍ତି । ଚକ୍ଷୁଜନିତ, ଗଳା ସମସ୍ୟା ସହିତ ଶରୀରରେ ଅନ୍ୟ କିଛି ସମସ୍ୟା ଦେଖାଦେଇପାରେ । ବର୍ଷର ଦ୍ୱିତୀୟାର୍ଦ୍ଧରେ ସମସ୍ତ ଶାରୀରିକ ରୋଗରୁ ଉପଶମ ପାଇପାରିବେ । ବିବାହ ଆଶାୟୀ ଯୁବକ ଯୁବତୀ ବିବାହ ବନ୍ଧନରେ ଆବଦ୍ଧ ହୋଇପାରନ୍ତି ।
ପ୍ରତିକାର: ହନୁମାନ ଚାଳିଶା ପାଠ କରନ୍ତୁ । ସାତ ପ୍ରକାରର ଶସ୍ୟ ବ୍ରାହ୍ମଣଙ୍କୁ ଦାନ କରନ୍ତୁ ।
ଧନୁ:
ଘରେ ପରିବାର ଭିତରେ ସମସ୍ତଙ୍କର ପ୍ରିୟପାତ୍ର ହେବେ । ସ୍ୱାମୀ ସ୍ତ୍ରୀ ସମ୍ପର୍କରେ ଉନ୍ନତି ଆସିବ । ପିଲାମାନଙ୍କର କାର୍ଯ୍ୟକଳାପ ସାମାନ୍ୟ ଚିନ୍ତା ସୃଷ୍ଟି କରିପାରେ । ବାକି ପଡିଥିବା ଅର୍ଥ ଫେରିପାଇବେ । ନିଜର ଖର୍ଚ୍ଚକୁ ନିୟନ୍ତ୍ରଣରେ ରଖିବେ । ବ୍ୟବସାୟୀମାନେ ନୂତନ ବ୍ୟବସାୟ ଆରମ୍ଭ କରିପାରନ୍‍ତି । କର୍ମ କ୍ଷେତ୍ରରେ ନିଜର ମାନ ସମ୍ମାନ ବୃଦ୍ଧି ଘଟିବା ସହିତ କର୍ମସଂସ୍ଥାନରୁ କିଛି ନୂତନ ଯାନବାହନ ମିଳିପାରେ । ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷାଲାଭ କରିବାକୁ ବିଦେଶ ଗସ୍ତ କରିପାରନ୍ତି । ବର୍ଷର ଦ୍ୱିତୀୟାର୍ଦ୍ଧରେ ଭୋଗ କରୁଥିବା ସଂକ୍ରାମକ ରୋଗରୁ ଉପଶମ ମିଳିବ । ଯକୃତ ସମସ୍ୟା, ଖାଦ୍ୟ ହଜମ ଜନିତ ସମସ୍ୟା ଦେଖା ଦେଇପାରେ । ମହିଳାମାନେ ସ୍ୱାବଲମ୍ବୀ ହେବେ । ପ୍ରେମିକ, ପ୍ରେମିକା ନିକଟତର ହୋଇପାରନ୍ତି ।
ପ୍ରତିକାର: ଓଁ ନମଃ ନାରାୟଣାୟ । ଏହି ମନ୍ତ୍ରକୁ ଏକଶତ ଆଠ ଥର ପ୍ରତିଦିନ ପାଠ କରନ୍ତୁ । ସକାଳୁ ପାରା, କାଉମାନଙ୍କୁ କିଛି ଖାଇବାକୁ ଦିଅନ୍ତୁ । କୌଣସି ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ସମୟରେ ଉତ୍ତର ଦିଗକୁ ମୁଖକରି କରନ୍ତୁ ।
ମକର: ପରିବାର ଭିତରେ ସାମାନ୍ୟ ବାଦ ବିବାଦ ଦେଖାଦେଇପାରେ । ସାମୟିକ ଭାବରେ ସ୍ତ୍ରୀଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢିପାରେ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବେ । ବର୍ଷର ଦ୍ୱିତୀୟାର୍ଦ୍ଧରେ କିଛି ଖର୍ଚ୍ଚାନ୍ତ ହୋଇପାରନ୍ତି । ବଳକା ଅର୍ଥ ସେୟାର ମାର୍କେଟରେ ନିବେଶ କରିପାରନ୍ତି । କର୍ମକ୍ଷେତ୍ରରେ ଉଚ୍ଚ ପଦ ପଦବୀ ପ୍ରାପ୍ତ ହୋଇପାରନ୍ତି । ବିଦେଶରେ କର୍ମ ପାଇଁ ସୁଯୋଗ ପାଇପାରନ୍ତି । ସମାଜ ସେବା ପାଇଁ ପୁରସ୍କୃତ ହୋଇପାରନ୍ତି । ଆଣ୍ଠୁଗଣ୍ଠି ଜନିତ ସମସ୍ୟାକୁ ବାଦ୍‍ ଦେଲେ ଅନ୍ୟ କୌଣସି ଶାରୀରିକ ସମସ୍ୟା ଆସିନପାରେ । ମହିଳାମାନେ ନିଜ ସ୍ୱପ୍ନ ପୂରଣ କରିବାକୁ ଅଧିକ ଉତ୍ସାହବାଦୀ ହେବେ । ବିଦ୍ୟାର୍ଥୀମାନେ ବିଦ୍ୟାରେ ଏକାଗ୍ରତା ରକ୍ଷାକରିବେ ।
ପ୍ରତିକାର: ଶନି ମହାଗ୍ରହକଙ୍କର ଗାୟତ୍ରୀ ପାଠ କରନ୍ତୁ । ନିଜ ଅଫିସ ବା ରହୁଥିବା ସ୍ଥାନରେ ଗୋଟିଏ ଗ୍ଲାସ ପାଣିରେ ଲେମ୍ବୁଟିଏ ପକାଇ ରଖନ୍ତୁ । ଦରିଦ୍ର ଅସହାୟଙ୍କୁ କମ୍ବଳ ଦାନ କରନ୍ତୁ ।
କୁମ୍ଭ:
ଘରେ ଅନେକ ସମୟରେ ଅଶାନ୍ତି ଲାଗିରହିବ । ଅନେକ ପ୍ରକାର ଝଡଝଞ୍ଜା ଦେଇ ଗତିକରିବେ । ଆର୍ଥିକ କ୍ଷେତ୍ରରେ ଆୟ ବ୍ୟୟ ମଧ୍ୟରେ ଭାରସାମ୍ୟ ରକ୍ଷା କରିପାରିବେ ନାହିଁ । ବର୍ଷର ଦ୍ୱିତୀୟାର୍ଦ୍ଧରେ ଆର୍ଥିକ କ୍ଷେତ୍ରରେ ସାମାନ୍ୟ ଉନ୍ନତିର ଯୋଗ ରହିଛି । ପିଲାମାନଙ୍କର ଅବାଧ୍ୟପଣ ଆପଣଙ୍କୁ ବ୍ୟଥିତ କରିବ । ଚାଲୁ ରହିଥିବା କୌଣସି ବ୍ୟବସାୟ ବନ୍ଦ କରିବାକୁ ଚେଷ୍ଟା କରିବେ । ରାଜନୀତିର ପ୍ରତିଦ୍ୱନ୍ଦ୍ୱିତା ଅଧିକ ସଂଘର୍ଷପୂର୍ଣ୍ଣ ହେବ । ଗୁପ୍ତ ଶତ୍ରୁ ଲାଗିରହିବେ । କର୍ମ କ୍ଷେତ୍ରରେ ସାମାନ୍ୟ ଉନ୍ନତି ରହିଛି । ରକ୍ତଜନିତ ସମସ୍ୟା, ସ୍ନାୟବିକ ଦୁର୍ବଳତା ମନକୁ ଭାରାକ୍ରାନ୍ତ କରିବ । ମହିଳାମାନେ ନିଜର ମନ୍ତବ୍ୟ ପାଇଁ ନିନ୍ଦିତ ହୋଇପାରନ୍ତି ।
ପ୍ରତିକାର: ପ୍ରତିଦିନ ମହାମୃତ୍ୟୁଞ୍ଜୟ ମନ୍ତ୍ର ପାଠ କରନ୍ତୁ । ସର୍ବଦା ସଫା ପୋଷାକ ପିନ୍ଧନ୍ତୁ । ନିଜର ଖାଇବା ସମୟରେ ଷ୍ଟିଲ ବାସନ ବ୍ୟବହାର କରନ୍ତୁ । କଳା ରଙ୍ଗର କୁକୁରକୁ ଖାଇବାକୁ ଦିଅନ୍ତୁ ।
ମୀନ:
ପରିବାର ଭିତରେ ସ୍ତ୍ରୀ ଓ ପିଲାଙ୍କର ସାହାଯ୍ୟ, ସହଯୋଗ ଓ ସମର୍ଥନ ଲାଭ କରିବେ । ସପରିବାର କୌଣସି ସ୍ଥାନକୁ ବୁଲିବା ପାଇଁ ଯାଇପାରନ୍ତି । କିଛି ବଡଧରଣର ଅର୍ଥ କୌଣସି ସଂସ୍ଥାରେ ନିବେଶ କରିପାରନ୍ତି । କୃଷି କ୍ଷେତ୍ରରେ ସଫଳତା ଲାଭ କରିବେ । କର୍ମ କ୍ଷେତ୍ରରେ ଅନେକ ଦିନରୁ ଆଶା କରୁଥିବା ପଦବୀ ପାଇପାରିବେ । ରାଜନୀତି କ୍ଷେତ୍ରରେ ମଧ୍ୟ ସଫଳତା ପାଇବେ । ପୁରାତନ ରୋଗ ସମସ୍ୟା ଜଟିଳ ହୋଇପାରେ । ପାଦରେ ଯନ୍ତ୍ରଣା ଅନୁଭବ କରିପାରନ୍ତି । ପାକସ୍ଥଳୀ ଜନିତ ସମସ୍ୟା ଦେଖାଦେଇପାରେ । ମହିଳାମାନେ ଅଧିକ ସମୟ କିଣାକିଣିରେ ବିତାଇବେ । ଛାତ୍ରଛାତ୍ରୀମାନେ ନିଜର ପରିଶ୍ରମ ଅନୁସାରେ ଫଳ ପାଇବେ ।
ପ୍ରତିକାର: ଗୁରୁଙ୍କର ଗାୟତ୍ରୀ ପାଠ କରନ୍ତୁ । ଗୁରୁଜନମାନଙ୍କୁ ପ୍ରଣାମ କରନ୍ତୁ । କୃଷ୍ଣଙ୍କ ମନ୍ଦିରରେ କାଠ ନିର୍ମିତ ବଂଶୀ ଦାନ କରନ୍ତୁ । ନିଜର ଶୁଭରଙ୍ଗ ହଳଦିଆ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ।

ଜ୍ୟୋତିର୍ବିଦ ଇଂ ଦୀପକ ଆଚାର୍ଯ୍ୟ
(ଏହା ସମ୍ପୂର୍ଣ୍ଣ ଭାବରେ ଜ୍ୟୋତିର୍ବିଦଙ୍କ ନିଜସ୍ୱ ମତାମତ/ ଯୋଗାଯୋଗ: ୯୪୩୯୦୫୦୦୯୯/୯୮୬୧୦୬୪୪୬୯)

Comments are closed.