କରୋନା ପରେ ଆଉ ଏକ ଜୈବିକ ଆତଙ୍କବାଦ : ରାଜ୍ୟଙ୍କୁ ସତର୍କ କରାଇଲେ କେନ୍ଦ୍ର ସରକାର

ଅଜଣା ବିହନ ପ୍ୟାକେଟ୍‌ ପାର୍ସଲ ପ୍ରତି ସାବଧାନ

ନୂଆଦିଲ୍ଲୀ : ବଢୁଛି ଜୈବିକ ଆତଙ୍କବାଦ। ସିଧାସଳଖ ଲଢେଇ ନ କରି ଏବେ ମାନବ ସମାଜର ପରିବେଶ, ଜୈବ ବିବଧତା ଓ ପରିବେଶକୁ ଧ୍ବଂସ କରିବାକୁ ଚାଲିଛି ମାରାତ୍ମକ ଷଡ଼ଯନ୍ତ୍ର। କରୋନା ମହାମାରୀକୁ ନେଇ ବିଶ୍ବବ୍ୟାପୀ ଏକ ଲଢେଇ ଚାଲିଥିବା ସମୟରେ କୃଷିକ୍ଷେତ୍ର, ପରିବେଶ ଓ ଜୈବ ବିବିଧତା ଲାଗି ଚିନ୍ତା ବଢାଇଛି ରହସ୍ୟମୟ ବିହନ (ମଞ୍ଜି) ପ୍ୟାକେଟ୍‌ର ପାର୍ସଲ। ଅଜଣା ସୂତ୍ରରୁ ଆସୁଥିବା ଏଭଳି ସନ୍ଦେହଜନକ ଓ ରହସ୍ୟମୟ ବିହନ ପ୍ୟାକେଟ୍‌ ପାର୍ସଲ ପ୍ରତି ସତର୍କ ରହିବାକୁ ରାଜ୍ୟ ସରକାର ମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ସରକାର। ଏଭଳି ପାର୍ସଲ ପ୍ରେରଣ ପଛରେ କେଉଁ ରାଷ୍ଟ୍ର ତଥା ସଂସ୍ଥା ରହିଛି ତାହା ଏଯାବତ୍‌ ସ୍ପଷ୍ଟ ହୋଇନି। ତେବେ ଏଭଳି ରହସ୍ୟମୟ ବିହନ ପ୍ୟାକେଟ୍‌ ପାର୍ସଲ ଭିତରେ ରହିଛି କିନ୍ତୁ ଜୈବିକ ଆତଙ୍କବାଦର ଭୟଙ୍କର ଷଡ଼ଯନ୍ତ୍ର।
କେନ୍ଦ୍ର କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଏଭଳି ବିହନ ପ୍ୟାକେଟ୍‌ ଭାରତର ଜୈବ ବିବିଧତା (ବାଓ ଡାଇଭରସିଟି)କୁ ଧ୍ବଂସ କରିବା ଆଶଙ୍କା ରହିଛି। ଏହା କୃଷି କ୍ଷେତ୍ରର ଉର୍ବରତା ଓ ଗୁଣବତ୍ତାକୁ ନଷ୍ଟକରିବା ସହିତ ଚାଷ ଜମିରେ ଥିବା ଉପକାରୀ ଜୀବାଣୁ ଓ ବୀଜାଣୁକୁ ଧ୍ବଂସ କରିବ। ଏପରିକି ଜମିରେ ନୂଆ ନୂଆ ମାରାତ୍ମକ ରୋଗ ପୋକ ସୃଷ୍ଟି କରିବା ଭଳି ଡ଼ର ମଧ୍ୟ ବଢାଇଛି। କୃଷି ମନ୍ତ୍ରଣାଳୟର ସତର୍କ ପରାମର୍ଶରେ କୁହାଯାଇଛି ଯେ, ଗତ କିଛିମାସ ହେଲା ଏଭଳି ବିହନ ପ୍ୟାକେଟ୍‌ ଭାରତ ସମେତ ଆମେରିକା, ବ୍ରିଟେନ୍‌, କାନାଡା, ଜାପାନ, ନ୍ୟୁଜିଲାଣ୍ଡ ସମେତ ଅନେକ ୟୁରୋପୀୟ ରାଷ୍ଟ୍ରରେ ବିଭିନ୍ନ ବାଟ ଦେଇ ପ୍ରବେଶ କରିଛି। ଭାରତରେ ମଧ୍ୟ ହଜାର ହଜାର ସଂଖ୍ୟାରେ ଏଭଳି ବିହନ ପ୍ୟାକେଟ୍‌ ପ୍ରବେଶ କରିଥିବା ଜଣାପଡିଛି। ଏହା ଜାଣିବା ପରେ ତୁରନ୍ତ ଏନେଇ କେନ୍ଦ୍ର ସରକାର ବିଭିନ୍ନ ରାଜ୍ୟକୁ ସତର୍କ କରାଇଛନ୍ତି।
ଯୁକ୍ତରାଷ୍ଟ୍ର ଆମେରିକା କୃଷି ବିଭାଗ (ୟୁଏସଡିଏ) ଏଭଳି ପାର୍ସଲକୁ ‘ବ୍ରସିଂ ସ୍କାମ୍‌’ ଏବଂ ‘ଏଗ୍ରିକଲଚର ସ୍ମଗଲିଂ’ ଭାବେ ଉଲ୍ଲେଖ କରିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ, ଏଭଳି ପ୍ୟାକେଟ୍‌ରେ ମଞ୍ଜି ଭଳି ପ୍ରତୀୟମାନ ସାମଗ୍ରୀରେ କିଛି ଭୟଙ୍କର ପ୍ରଜାତିର ରୋଗ ଜୀବାଣୁ ରହିଥାଇପାରନ୍ତି, ଏହା ପରିବେଶ ଓ କୃଷି ପରିସଂସ୍ଥା ତଥା ଜାତୀୟ ନିରାପତ୍ତାକୁ ବିପନ୍ନ କରିବା ଆଶଙ୍କା ରହିଛି। ରାଜ୍ୟର ସମସ୍ତ କୃଷି ବିଭାଗ, କୃଷି ବିଶ୍ବବିଦ୍ୟାଳୟ, ବିହନ ସଂଗଠନ, ରାଜ୍ୟ ପ୍ରମାଣିକ ବିହନ ସଂସ୍ଥା, ବିହନ ନିଗମ, ଭାରତୀୟ କୃଷି ପରିଷଦ ଓ ଫସଲ ଅନୁସନ୍ଧାନକାରୀ ସଂସ୍ଥା ମାନଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ପାର୍ସଲ ପ୍ରତି ଯଥେଷ୍ଟ ସତର୍କ ଓ ସଚେତନ ରହିବାକୁ ନିର୍ଦେଶ ଦିଆଯାଇଛି।
ଏହି ମର୍ମରେ ଭାରତୀୟ ବିହନ ଶିଳ୍ପ ସଂଘ ମହାନିର୍ଦେଶକ ରାମ କୌଣ୍ଡିନ୍ୟ କହିଛନ୍ତି ଯେ, ଏବେ ଏଭଳି ଅଜଣା ସୂତ୍ରରୁ ଆସୁଥିବା ବିହନର ବ୍ୟବହାର ପ୍ରତି ଯଥେଷ୍ଟ ସାବଧାନତା ଅବଲମ୍ବନ କରିବା ଦରକାର। ବିନା ଅର୍ଡରରେ ଉପଲବ୍ଧ ହେଉଥିବା ଏଭଳି ବିହନ ପ୍ୟାକେଟ୍‌ ପାର୍ସଲକୁ ସେ ବିହନ ଆତଙ୍କବାଦ (ସିଡ୍‌ ଟେରୋରିଜିମ୍‌) ନାମରେ ଅଭିହିତ କରିଛନ୍ତି। ଏଭଳି ଅଜଣା ବିହନ ଭାରତର ପୁରୁଣା ତଥା ନିଜସ୍ବ ବିହନ ପ୍ରଜାତି ତଥା କୃଷି ପରିବେଶକୁ ସଂପୂର୍ଣ୍ଣ ବିଲୋପ କରିବା ଆଶଙ୍କା କରିଛନ୍ତି ଶ୍ରୀ କୌଣ୍ଡଲ୍ୟ। ଏଭଳି ଅଜଣା ପାର୍ସଲକୁ ରୋକିବା ଲାଗି ବିଶେଷକରି ବନ୍ଦର ଓ ବିମାନ ବନ୍ଦରରେ ଯାଞ୍ଚ ବ୍ୟବସ୍ଥାକୁ କଡାକଡି କରାଯାଇ ସତର୍କ ଦୃଷ୍ଟି ରଖାଯାଉଛି। ଆମେରିକା ଆଦି ରାଷ୍ଟ୍ରରେ ଏଭଳି ବିହନ ପ୍ୟାକେଟ୍‌ ପାର୍ସଲ ପହଞ୍ଚିବା କ୍ଷଣି ତାହାକୁ ନଷ୍ଟ କରିଦିଆଯାଉଥିବା କୌଣ୍ଡଲ୍ୟ ସୂଚନା ଦେଇଛନ୍ତି।

Comments are closed.