ଅନୁଗୋଳ ଦେଇ କଲକାତାକୁ ଚାଲିବ ନୂଆ ଟ୍ରେନ

ରେଳ ପ୍ରକଳ୍ପ କାର୍ଯ୍ୟ ସମୀକ୍ଷା କଲେ ଧର୍ମେନ୍ଦ୍ର

ଅନୁଗୋଳ/ତାଳଚେର/ଢ଼େଙ୍କାନାଳ : ତାଳଚେର-ଅନୁଗୋଳ ରେଳ ସଂଯୋଗୀକରଣ କାର୍ଯ୍ୟ ଆସନ୍ତା ନଭେମ୍ବର ସୁଦ୍ଧା ଶେଷ ହେବ। ଏହି ନୂତନ ଯାତ୍ରୀବାହୀ ରେଳପଥ ତାଳଚେରରୁ ଭାୟା ଏଫ୍‍ସିଆଇ ଓ ନାଲ୍‍କୋ ଦେଇ ଅନୁଗୋଳ ପର୍ଯ୍ୟନ୍ତ ଯିବ। ଏଥିପାଇଁ ୫୦୦ କୋଟି ଟଙ୍କା ଅର୍ଥ ମଞ୍ଜୁର ହୋଇଛି। ଏପରିକି ଖୁବ୍‍ଶୀଘ୍ର ସମ୍ବଲପୁରରୁ ତାଳଚେର-ଅନୁଗୋଳ-ଢ଼େଙ୍କାନାଳ ଦେଇ ନୂଆ ଟ୍ରେନ୍‍ ​​କଲକାତାକୁ ଚଳାଚଳ କରିବ ଆଜି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ଢ଼େଙ୍କାନାଳ, ଅନୁଗୋଳ ଓ ତାଳଚେର ଆସି ରେଳ ପ୍ରକଳ୍ପ କାର୍ଯ୍ୟ ଅଗ୍ରଗତି ସମୀକ୍ଷା କରି ଏହା କହିଛନ୍ତି। ତାଳଚେରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପହଞ୍ଚିବା ପରେ ତାଳଚେର ରୋଡ୍‍, ଏମ୍‍ସିଏଲ୍‍ର ବଳରାମ ସାଇଟ୍‍, ତାଳଚେର ଷ୍ଟେସନ, ସୁନାଖଣି ରେଳ ଷ୍ଟେସନ ପରିଦର୍ଶନ କରି ଷ୍ଟେସନ ଗୁଡ଼ିକର ପୁନରୁଦ୍ଧାର ସହ ରେଳପଥ ଦୋହରୀକରଣ, ତୃତୀୟ ଓ ଚତୁର୍ଥ ଲାଇନ୍‍ର କାର୍ଯ୍ୟ ଶେଷ ପାଇଁ ରେଳ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା କହିଛନ୍ତି। ଅନୁଗୋଳରୁ ​‌େ​‌କାଲକାତା ପର୍ଯ୍ୟନ୍ତ ସିଧାସଳଖ ଟ୍ରେନ୍‍ ଚଳାଚଳ କରିବା ପାଇଁ ଜିଲାବାସୀଙ୍କର ଥିବା ଦୀର୍ଘଦିନର ଦାବି ପୂରଣ ହେବାକୁ ଯାଉଥିବାରୁ ଜିଲାବାସୀଙ୍କୁ ଏହା ପ୍ରଧାମନ୍ତ୍ରୀ ମୋଦୀ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପହାର ବୋଲି କହିଛନ୍ତି। ରେଳବାଇ ପକ୍ଷରୁ ଅନୁଗୋଳ ଓ ଢ଼େଙ୍କାନାଳ ଅଞ୍ଚଳରେ ପ୍ରାୟ ୨୫ ଶହ କୋଟି ଟଙ୍କାର ରେଳ ପ୍ରକଳ୍ପର କାମ ଚାଲିଛି। ଅନୁଗୋଳ ବୃହତ୍‍ ଶିଳ୍ପାଞ୍ଚଳରେ କୋଇଲା ଭଳି ମାଲ ପରିବହନ ପାଇଁ ରେଳ ବିଭାଗ ପ୍ରାଥମିକତା ଦେଉଛି। ଏହାଛଡ଼ା ଖୁବ୍‍ଶୀଘ୍ର ତାଳଚେରରୁ ଅନୁଗୋଳ ପର୍ଯ୍ୟନ୍ତ ଗୋଟିଏ ପାସେଞ୍ଜର ଓ ଦୁଇଟି ମାଲମାହୀ ରେଳ ଲାଇନ୍‍ର କାମ ଶେଷ ହେବ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆହୁରି କହିଲେ ଯେ ଶିଳ୍ପ ସମୃଦ୍ଧ ମୋଦି ସରକାରରେ ରେଳ ଯୋଗେ ମାଲ ପରିବହନ ସହ ଯାତ୍ରୀ ସୁବିଧାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଅନୁଗୋଳ ଭଳି ଖଣି ଖାଦାନ ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠି (ଡିଏମ୍‍ଏଫ୍‍)ର ବ୍ୟବସ୍ଥା କରିବାରୁ ଏହି ଜିଲାକୁ ବାର୍ଷିକ ୩୫୦ କୋଟି ଟଙ୍କା ଆସୁଛି। ତାଳଚେର ଗୋପାଳଗଡ଼଼ କଣିହାଁ ରାସ୍ତାରେ ଲୋକଙ୍କ ଯାତାୟାତ ଏବଂ କୋଇଲା ପରିବହନ ପାଇଁ ପୃଥକ ରାସ୍ତା ପାଇଁ ଯୋଜନା କରାଯିବ। କେନ୍ଦ୍ରମନ୍ତ୍ରୀଙ୍କ ଏହି ଗସ୍ତ କାଳରେ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ଅନୁଗୋଳ ଓ ଢ଼େଙ୍କାନାଳର ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଦେଇଥିଲେ।

Comments are closed.