ଭାରତକୁ କ୍ରୀଡ଼ା ରାଷ୍ଟ୍ରରେ ପରିଣତ କରିବେ କ୍ରୀଡ଼ାନୁରାଗୀ ଅନୁରାଗ ?

ନୂଆଦିଲ୍ଲୀ : ଦେଶର ୧୭ଶ କ୍ରୀଡ଼ାମନ୍ତ୍ରୀ ଭାବେ ଗୁରୁବାର ଦାୟିତ୍ବ ଗ୍ରହଣ କରିଛନ୍ତି ଅନୁରାଗ ସିଂହ ଠାକୁର। ମଣିଶଙ୍କର ଆୟର (୨୦୦୬-୨୦୦୮)ଙ୍କ ପରେ ପ୍ରଥମ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଅନୁରାଗ କ୍ରୀଡ଼ା ମନ୍ତ୍ରାଳୟର ଦାୟିତ୍ବ ପାଇଛନ୍ତି। ୪୬ ବର୍ଷ ବୟସ୍କ ଅନୁରାଗ କେବଳ ଜଣେ ରାଜନେତା ନୁହନ୍ତି; ଜଣେ ପ୍ରଥମ ଶ୍ରେଣୀ କ୍ରିକେଟର ଓ ଦକ୍ଷ କ୍ରୀଡ଼ା ପ୍ରଶାସକ ଭାବେ ତାଙ୍କର ଖ୍ୟାତି ରହିଛି। କ୍ରୀଡ଼ାକୁ ଭଲ ପାଉଥିବା ଅନୁରାଗଙ୍କ ନେତୃତ୍ବରେ ଭାରତ ଏକ ଶକ୍ତିଶାଳୀ କ୍ରୀଡ଼ାରାଷ୍ଟ୍ରର ମାନ୍ୟତା ପାଇବ ବୋଲି ଭାରତୀୟ କ୍ରୀଡ଼ାପ୍ରେମୀ ଆଶା ରଖିଛନ୍ତି। ଗୁରୁବାର ଅପରାହ୍ଣରେ ଅନୁରାଗ ଶାସ୍ତ୍ରୀ ଭବନ ଯାଇ କ୍ରୀଡ଼ା ମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। କିରେନ୍ ରିଜିଜୁଙ୍କ ସମୟରେ ଭାରତୀୟ କ୍ରୀଡ଼ାର ଉନ୍ନତି ପାଇଁ ଯାହା କିଛି ଭଲ କାମ ହୋଇଛି; ତାହାକୁ ଜାରି ରଖିବାକୁ ଅନୁରାଗ ପ୍ରତିଶ୍ରୁତି ଦେଇଛନ୍ତି।
ଅନୁରାଗ ଏପରି ସମୟରେ ଦେଶର କ୍ରୀଡ଼ାମନ୍ତ୍ରୀ ଦାୟିତ୍ବ ପାଇଛନ୍ତି; ଯେତେବେଳେ ଶତାଧିକ ଭାରତୀୟ କ୍ରୀଡ଼ାବିତ୍‌ ଟୋକିଓ ଅଲିମ୍ପିକ୍‌ସରେ ଦେଶକୁ ଗୌରବାନ୍ବିତ କରିବାକୁ ବାହାରିଛନ୍ତି। ବିସିସିଆଇର କର୍ମକର୍ତ୍ତା ଥିବା ବେଳେ ଅନୁରାଗ ଭାରତୀୟ କ୍ରିକେଟ୍‌ର ଉନ୍ନତି ପାଇଁ ବହୁତ କାମ କରିଥିଲେ। ପ୍ରଥମେ ସେ ବିସିସିଆଇ ସମ୍ପାଦକ ଥିଲେ। ୨୦୧୬ରେ ସେ ବିସିସିଆଇର ସଭାପତି ହୋଇଥିଲେ ହେଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶରେ ତାଙ୍କୁ ୮ ମାସ ପରେ ଏହି ପଦ ରିକ୍ତ କରିବାକୁ ପଡ଼ିଥିଲା। ୨୦୦୦ରେ ଅନୁରାଗ ହିମାଚଳ ପ୍ରଦେଶ କ୍ରିକେଟ୍‌ ଆସୋସିଏସନ୍ (ଏଚ୍‌ପିସିଏ)ର ସଭାପତି ନିର୍ବାଚିତ ହୋଇଥିଲେ। ତାଙ୍କରି ଉଦ୍ୟମରେ ହିଁ ଧର୍ମଶାଳାରେ ଦେଶର ଅନ୍ୟତମ ଶ୍ରେଷ୍ଠ କ୍ରିକେଟ୍‌ ଷ୍ଟାଡିୟମ୍ ଏଚ୍‌ପିସିଏ ନିର୍ମାଣ କରିଥିଲା। ତେବେ ଯୁବ କ୍ରିକେଟରଙ୍କୁ ପୋତ୍ସାହନ ଦେବାରେ ବହୁତ ଖୁସି ହେଉଥିଲେ ଅନୁରାଗ। ତେଣୁ ଜାତୀୟ ଜୁନିୟର କ୍ରିକେଟ ମନୋନୟନକାରୀ ହେବାକୁ ସେ ଚାହିଁଥିଲେ। ତେବେ ଏଥିପାଇଁ ପ୍ରଥମଶ୍ରେଣୀ କ୍ରିକେଟ୍‌ ଖେଳିବା ଜରୁରୀ ବୋଲି ଜାଣିବା ପରେ ୨୦୦୦-୦୧ ଋତୁରେ ଜମ୍ମୁକାଶ୍ମୀର ବିପକ୍ଷରେ ହିମାଚଳ ପ୍ରଦେଶ ପାଇଁ ଏକ ରଣଜୀ ଟ୍ରଫି ମ୍ୟାଚ୍‌ ଖେଳିଥିଲେ। ଏଥିରେ ସେ ଅଫ୍‌ସ୍ପିନ୍ ବୋଲିଂକରି ୨ଟି ୱିକେଟ ନେଇଥିଲେ। ମନୋନୟନକାରୀ ତ ସେ ହୋଇପାରିଲେ ନାହିଁ; କ୍ରୀଡ଼ା ପ୍ରଶାସକ ଭାବେ ବହୁତ କାମ କରିଥିଲେ। ତାଙ୍କ ସାନଭାଇ ଅରୁଣ ସିଂହ ଧୁମଲ ବିସିସିଆଇର କୋଷାଧ୍ୟକ୍ଷ ଅଛନ୍ତି। ଏକ ରାଷ୍ଟ୍ରୀୟ କ୍ରୀଡ଼ା ମହାସଂଘ ଭାବେ ଜାତୀୟ କ୍ରୀଡ଼ାନୀତିକୁ ମାନିବା ଏବଂ ସୂଚନା ଅଧିକାର ଆଇନ୍ ପରିସରଭୁକ୍ତ ହେବାକୁ ବିସିସିଆଇ ବିରୋଧ କରୁଥିବାରୁ ଏହା ଅନୁରାଗଙ୍କ ପାଇଁ ବଡ଼ ଆହ୍ବାନ ହେବ। ଆଗକୁ ଓଡ଼ିଶାର କ୍ରମାଗତ ୨ୟ ଥର ହକି ବିଶ୍ବକପ୍ ଆୟୋଜନ ହେବାର ଥିବାରୁ ଏଥିରେ ମଧ୍ୟ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଅନୁରାଗଙ୍କ ବଡ଼ ଭୂମିକା ରହିବ। ତେବେ ଅନୁରାଗଙ୍କ ପାଇଁ ବଡ଼ ଆହ୍ବାନ ହେବ କୋଭିଡ୍‌ ସମୟରେ କ୍ରୀଡ଼ା କାର୍ଯ୍ୟକଳାପ ଆରମ୍ଭ କରିବା। ଏହାସହ କେନ୍ଦ୍ର ସରକାରଙ୍କ ଖେଲୋ ଇଣ୍ଡିଆ ଯୋଜନାକୁ ଅଧିକ ପ୍ରଭାବଶାଳୀ କରିବା ଏବଂ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ)କୁ ଅଧିକ କ୍ରିୟାଶୀଳ କରିବା ଅନୁରାଗଙ୍କ ପ୍ରମୁଖ ଦାୟିତ୍ବ ହେବ।

Comments are closed.