ଭାରତ-ଶ୍ରୀଲଙ୍କା ସିରିଜ୍‌ ୧୮ରୁ ; ନୂଆ ଖେଳସୂଚୀ ଘୋଷିତ

ନୂଆଦିଲ୍ଲୀ : ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ସୀମିତ ଓଭର କ୍ରିକେଟ୍‌ ସିରିଜ୍‌ ଜୁଲାଇ ୧୩ ବଦଳରେ ୧୮ରୁ ଆରମ୍ଭହେବ। ଶନିବାର ଏହା ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ ଜୟ ଶାହା। ଶ୍ରୀଲଙ୍କା କ୍ରିକେଟ୍‌ ଦଳର ୩ ଜଣ ସଦସ୍ୟ କରୋନାରେ ସଂକ୍ରମିତ ହେବା ପରେ ଏପରି ନିଷ୍ପତ୍ତି ନିଆଯାଇଛି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ (ଏସଏଲ୍‌ସି) ସହ ଆଲୋଚନା ପରେ ଭାରତ ଗସ୍ତର ନୂଆ ଖେଳସୂଚୀ ଶନିବାର ପ୍ରକାଶ ପାଇଛି ବୋଲି ଶାହା କହିଛନ୍ତି। ଏହା ଅନୁସାରେ ଭାରତ-ଶ୍ରୀଲଙ୍କା ପ୍ରଥମ ୩ଟି ଦିନିକିଅା ମ୍ୟାଚ୍‌ ଜୁଲାଇ ୧୮, ୨୦ ଓ ୨୩ରେ ଏବଂ ୩ଟି ଟ୍ବେଣ୍ଟି୨୦ ମ୍ୟାଚ୍ ଜୁଲାଇ ୨୫, ୨୭ ଓ ୨୯ରେ ଖେଳାଯିବ।
ଶ୍ରୀଲଙ୍କା ଦଳ ସ୍ବଦେଶ ଫେରିବା ପରେ ଜଣା ପଡ଼ିଥିଲା ଯେ ବ୍ୟାଟିଂ ପ୍ରଶିକ୍ଷକ ଗ୍ରାଣ୍ଟ ଫ୍ଲାୱାର ଓ ତଥ୍ୟ ବିଶ୍ଲେଷକ ଜି.ଟି. ନିରୋଶନ୍‌ କରୋନା ସଂକ୍ରମିତ ହୋଇଥିବା ରିପୋର୍ଟ ଆସିଥିଲା। ଦୁହେଁ ଡେଲ୍‌ଟା ପ୍ରଜାତିର କରୋନା ଭୂତାଣୁରେ ସଂକ୍ରମିତ ହୋଇଛନ୍ତି। ଫଳରେ ଫ୍ଲାୱର ଓ ନିରୋଶନଙ୍କୁ ପୃଥକ୍‌ବାସରେ ଏବଂ ଶ୍ରୀଲଙ୍କାର ସମସ୍ତ ଖେଳାଳିଙ୍କୁ ସଂଗରୋଧରେ ରଖାଯାଇଛି। ଭାରତ ବିପକ୍ଷ ସିରିଜ୍‌କୁ ଦୃଷ୍ଟିରେ ରଖି ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ତା’ର ଦଳକୁ ଦୁଇଭାଗରେ ବିଭକ୍ତ କରିଛି। ଗୋଟିଏ ଦଳ କଲମ୍ବୋରେ ଓ ଆଉ ଏକ ଦଳ ଡାମ୍ବୁଲାରେ ଅଛନ୍ତି। ଶନିବାର ଜଣାପଡ଼ିଛି ଯେ କଲମ୍ବୋରେ ଥିବା ୧୩ ଜଣ ଖେଳାଳିଙ୍କ ମଧ୍ୟରୁ ବ୍ୟାଟ୍‌ସମ୍ୟାନ୍ ସାନ୍ଦୁନ୍ ୱିରାକୋଡି ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ଏହାକୁ ନେଇ ବିସିସିସିଆଇ ମଧ୍ୟ ଚିନ୍ତାବ୍ୟକ୍ତ କରିଥିବା ବେଳେ ଶ୍ରୀଲଙ୍କା ଦଳର ଡାକ୍ତରଙ୍କ ସହ ନିୟମିତ ଯୋଗାଯୋଗରେ ଅଛନ୍ତି ବୋଲି ଜୟ ଶାହା କହିଛନ୍ତି। ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡର ଅନୁରୋଧରେ ସିରିଜ୍‌କୁ ଘୁଞ୍ଚାଇବାକୁ ପଡ଼ିଲା ବୋଲି ଶାହା କହିଛନ୍ତି।

Comments are closed.