ନୂଆଶାସନ ସରପଞ୍ଚ ଉପନିର୍ବାଚନ ; ବିଜେପି ପ୍ରାର୍ଥୀ ସୌମ୍ୟକାନ୍ତ ବିଜୟୀ

ପିପିଲି ଉପନିର୍ବାଚନ ପୂର୍ବରୁ ବିଜେଡିକୁ ଶକ୍ତ ଧକ୍କା

ପିଲି : ପିପିଲି ବ୍ଲକ ନୂଆଶାସନ ପଞ୍ଚାୟତର ସରପଞ୍ଚ ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୌମ୍ୟକାନ୍ତ ଦାଶ ନିଜର ନିକଟତମ ପ୍ରତିଦ୍ୱନ୍ଦି ତଥା ବିଜେଡି ପ୍ରାର୍ଥୀ ଚିନ୍ମୟ ମହାପାତ୍ରଙ୍କୁ ୮୨ ଖଣ୍ଡ ଭୋଟ୍‍ ବ୍ୟବଧାନରେ ପରାଜିତ କରି ବିଜୟ ଲାଭ କରିଛନ୍ତି । ଏହି ଉପନିର୍ବାଚନରେ ୩ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରୁଥିବା ବେଳେ ୩୯୩୬ଜଣ ଭୋଟର ମତଦାନ କରିଥିଲେ । ସେମାନଙ୍କ ମଧ୍ୟରୁ ସୌମ୍ୟକାନ୍ତ ୧୯୬୯ ଭୋଟ୍‍ ପାଇଥିବା ବେଳେ ଚିନ୍ମୟଙ୍କୁ ୧୮୮୭ ଖଣ୍ଡ ଭୋଟ୍‍ ମିଳିଥିଲା । ସେହିପରି କଂଗ୍ରେସ ପ୍ରାର୍ଥୀ ପ୍ରଶାନ୍ତ କୁମାର ପ୍ରଧାନଙ୍କୁ ୨୯ଖଣ୍ଡ ଭୋଟ୍‍ ମିଳିଥିବା ବେଳେ ୫୧ଖଣ୍ଡ ଭୋଟ୍‍ ନାକଚ ହୋଇଥିବା ସୂଚନା ମିଳିଛି । ଆଜି କଡା ସୁରକ୍ଷା ମଧ୍ୟରେ ପିପିଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଭୋଟ୍‍ ଗଣତି କରାଯାଇଥିଲା । ଭୋଟ୍‍ ଗଣତି ସମୟରେ ନିର୍ବାଚନ ଅଧିକାରୀ ଦାୟିତ୍ୱରେ ଥିବା ପିପିଲି ବିଡିଓ ରଶ୍ମିତା ନାଥ, ତହସିଲଦାର ସପନ କୁମାର ନନ୍ଦ, ମାଜିଷ୍ଟ୍ରେଟ୍‍ ଦାୟିତ୍ୱରେ ଥିବା ପିପିଲିର ଅତିରିକ୍ତ ତହସିଲଦାର ନୀଳକଣ୍ଠ ବେହେରା, ଏସ୍‍ଡିପିଓ ଦେବଦତ୍ତ ବରାଳ, ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କ ସମେତ ୮ଜଣ ପୁଲିସ ଅଫିସର ଉପସ୍ଥିତ ଥିଲେ ।

ବିଜୟୀ ହେବା ପରେ ପଞ୍ଚାୟତବାସୀଙ୍କୁ ସୌମ୍ୟକାନ୍ତ କୃତଜ୍ଞତା ଜଣାଇବା ସହ ପଞ୍ଚାୟତର ସାମଗ୍ରିକ ବିକାଶ ସହ ସରକାରଙ୍କ ଉନ୍ନୟନମୂଳକ ଯୋଜନାର ସଫଳ ରୂପାୟନ ଉପରେ ଗୁରୁତ୍ୱ ଦେବେ ବୋଲି ଗଣମାଧ୍ୟମକୁ କହିଛନ୍ତି । ତେବେ ଏହି ବିଜୟ ଅଗାମୀ ପିପିଲି ଉପନିର୍ବାଚନରେ ବିଜେପି ଦଳକୁ ଅଧିକ ମଜବୁତ୍‍ କରିବ ଓ ନିର୍ବାଚନମଣ୍ଡଳୀବାସୀ ବିଜେଡିକୁ କଡା ଜବାବ ଦେବେ ବୋଲି ପୁରୀ ଜିଲା ବିଜେପି ସଭାପତି ଆଶ୍ରୀତ ପଟ୍ଟନାୟକ କହିଛନ୍ତି । ରାଜ୍ୟର ମନ୍ତ୍ରୀ, ବିଧାୟକମାନେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଏଠାରେ ପ୍ରଚାର କରି ଭୋଟ ହାତେଇବା ପାଇଁ ଜୋରଦାର ଉଦ୍ୟମ କରିଥିଲେ ମଧ୍ୟ ନୂଆଶାସନ ପଞ୍ଚାୟତବାସୀ ସେମାନଙ୍କୁ ପ୍ରତ୍ୟାଖାନ କରିଛନ୍ତି ଓ ଆଗାମୀ ପିପିଲି ଉପନିର୍ବାଚନରେ ନିର୍ବାଚନମଣ୍ଡଳୀବାସୀ ମଧ୍ୟ ଏଠାରେ ବିଜେଡିକୁ ପ୍ରତ୍ୟାଖାନ କରି ପରିବର୍ତ୍ତନ ଆଣିବେ ବୋଲି ସେ ଦୃଢକ୍ତି ପ୍ରକାଶ କରି କହିଥିଲେ । ଅପରାହ୍ନରେ ବିଜୟୀ ପ୍ରାର୍ଥୀ ସୌମ୍ୟକାନ୍ତଙ୍କ ସହ ଶ୍ରୀପଟ୍ଟନାୟକ, ଜିଲା ବିଜେପି ଉପସଭାପତି ଜନ୍ମେଜୟ ଜେନା, ବରିଷ୍ଠ ନେତା ପର୍ଶୁରାମ ମହାପାତ୍ର, ସୁକାନ୍ତ ଭଟ୍ଟ, ଜିଲା କୃଷକ ମୋର୍ଚ୍ଚା ସଭାପତି ଅଜୟ ପ୍ରଧାନ, ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ସାହୁ ପ୍ରମୁଖ ଦଳର କାର୍ଯ୍ୟକର୍ତ୍ତା ଓ ସମର୍ଥକମାନଙ୍କ ସହ ଏକ ବାଇକ ରାଲିରେ ବୁଲି ଅଞ୍ଚଳବାସୀଙ୍କୁ ଧନ୍ୟବାଦ ଦେଇଥିଲେ । ପଞ୍ଚାୟତରେ ପରିବର୍ତ୍ତନର ସ୍ୱରକୁ ଘରେ ଘରେ ପହଞ୍ଚାଇବା ଓ ଲୋକଙ୍କ ସହ ସଂପର୍କ ଯୋଡିବାରେ ଅକ୍ଳାନ୍ତ ପରିଶ୍ରମ କରିଥିବା ଦଳୀୟ କାର୍ଯ୍ୟକର୍ତ୍ତା ଓ ସମର୍ଥକଙ୍କୁ ଶ୍ରୀପଟ୍ଟନାୟକ କୃତଜ୍ଞତା ଜଣାଇଛନ୍ତି ।

ପିପିଲି ଉପନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହୋଇଥିବା ନୂଆଶାସନ ପଞ୍ଚାୟତର ଏହି ଉପନିର୍ବାଚନରେ ଶାସକ ବିଜେଡି ସମର୍ଥିତ ପ୍ରାର୍ଥୀଙ୍କ ପରାଜୟ ଦଳକୁ ଶକ୍ତ ଆଘାତ ଦେଇଥିବା ସୂଚନା ମିଳିଛି । ଏହି ଉପନିର୍ବାଚନର ଫଳାଫଳ ଉଭୟ ବିଜେଡି ଓ ବିଜେପି ଦଳ ପାଇଁ ବେଶ୍‍ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ଦୃଷ୍ଟିରୁ ନିଜନିଜ ଦଳର ସମର୍ଥିତ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଉଭୟ ଦଳ ଜୋରଦାର ଭୋଟ୍‍ ପ୍ରଚାର କରିଥିଲେ । ବିଜେଡି ପକ୍ଷରୁ ରାଜ୍ୟର ମନ୍ତ୍ରୀ ଓ ବିଧାୟକମାନେ ଏଠାରେ ଭୋଟ୍‍ ପ୍ରଚାର କରିଥିଲେ । ବ୍ଲକର ଟାଣୁଆ ବିଜେଡି ନେତାମାନେ ବିଭିନ୍ନ ୱାର୍ଡ ଦାୟିତ୍ୱରେ ରହିଥିଲେ । ଏସବୁ ସତ୍ତେ୍ୱ ବିଜେପି ସମର୍ଥିତ ପ୍ରାର୍ଥୀ ସୌମ୍ୟକାନ୍ତ ୮୨ ଖଣ୍ଡ ଭୋଟ୍‍ ବ୍ୟବଧାନରେ ବିଜୟୀ ହୋଇଛନ୍ତି । ଏହି ଉପନିର୍ବାଚନର ଫଳାଫଳ ଆଗାମୀ ପିପିଲି ଉପନିର୍ବାଚନ ଉପରେ ଯଥେଷ୍ଟ ପ୍ରଭାବ ପକାଇବାର ସମ୍ଭାବନା ଥିବା ନେଇ ଏଠାକାର ରାଜନୈତିକ ମହଲରେ ଆଲୋଚନା ଚାଲିଛି ।

Comments are closed.