ଈଶାନ୍ତ-ବୁମ୍‌ରା-ସାମିଙ୍କ ନୂଆ ରେକର୍ଡ

0

ମେଲବୋର୍ଣ୍ଣ : ତିନି ଭାରତୀୟ ଫାଷ୍ଟ ବୋଲର ଈଶାନ୍ତ ଶର୍ମା, ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଟେଷ୍ଟ ଫର୍ମାଟରେ ମିଳିତଭାବେ ଏକ ରେକର୍ଡର ଅଧିକାରୀ ହୋଇପାରିଛନ୍ତି। ଗୋଟିଏ କ୍ୟାଲେଣ୍ଡର ବର୍ଷରେ (୨୦୧୮) ଏହି ତିନି ବୋଲର ସର୍ବାଧିକ ୧୩୧ଟି ୱିକେଟ ଅକ୍ତିଆର କରି ୩୪ ବର୍ଷର ରେକର୍ଡ ଭଙ୍ଗ କରିଛନ୍ତି। ଏଥିମଧ୍ୟରୁ ଈଶାନ୍ତ ୧୧ଟି ଟେଷ୍ଟରୁ ୩୯ଟି, ବୁମ୍‌ରା ୯ଟି ଟେଷ୍ଟରୁ ୪୬ଟି ଓ ସାମି ୧୨ଟି ଟେଷ୍ଟରୁ ୪୬ଟି ୱିକେଟ ଅକ୍ତିଆର କରିଛନ୍ତି। ୧୯୮୪ରେ ୱେଷ୍ଟଇଣ୍ଡିଜର ତିନି ଫାଷ୍ଟ ବୋଲର ଜୋଏଲ ଗାର୍ଣ୍ଣର, ମାଇକେଲ ହୋଲଡିଙ୍ଗ୍‌ ଓ ମାଲକମ ମାର୍ଶାଲ ମିଳିତଭାବେ ୧୩୦ଟି ୱିକେଟ ଅକ୍ତିଆର କରିଥିଲେ। ଏହି ତାଲିକାର ତୃତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ମର୍ନି ମର୍କେଲ, ମଖାୟା ଏଣ୍ଟିନି ଓ ଡେଲ୍‌ ଷ୍ଟେନ ରହିଛନ୍ତି। ୨୦୦୮ରେ ଏମାନେ ମୋଟ ୧୨୩ଟି ୱିକେଟ ଅକ୍ତିଆର କରିଥିଲେ। ଅପରପକ୍ଷରେ ଚଳିତବର୍ଷ ଭାରତର ୧୦ ଜଣ ବୋଲର ୧୪ଟି ଟେଷ୍ଟରୁ ମୋଟ ୨୫୭ଟି ୱିକେଟ ଅକ୍ତିଆର କରି ୩୯ ବର୍ଷର ରେକର୍ଡ ଭାଙ୍ଗିଛନ୍ତି। ୧୯୭୯ରେ ଭାରତୀୟ ବୋଲର ୧୭ଟି ଟେଷ୍ଟରୁ ମୋଟ ୨୩୭ଟି ୱିକେଟ ଅକ୍ତିଆର କରିଥିଲେ।

Leave A Reply