ସୁଯୋଗ ଓ ସମ୍ଭାବନା : ମେକ ଇନ ଇଣ୍ଡିଆ ଲକ୍ଷ୍ୟପଥରେ ଆଶାର ଆଲୋକ

ସଫଳତା ଆପେଆପେ ଆସେ ନାହିଁ। ଏଥିପାଇଁ ଉଦ୍‍ଯୋଗ ଓ ଉଦ୍ୟମ ବଳରେ ସୁଯୋଗ ସୃଷ୍ଟି କରିବାକୁ ପଡ଼େ। ଅନେକ ସମୟରେ ଏହି ଆପ୍ତ ବାକ୍ୟ ମଧ୍ୟ ଭୁଲ୍‍ ସାବ୍ୟସ୍ତ ହୁଏ, ଯେତେବେଳେ ଦୈବାତ ବା ସ୍ବତଃସ୍ଫୂର୍ତ୍ତ ଭାବେ କୌଣସି ସୁଯୋଗ ଆସିଯାଏ। ଏବେ କରୋନା ଭୂତାଣୁ ଭାରତ ପାଇଁ ସେଭଳି ଏକ ସୁଯୋଗ ଆଣିଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ମାନବିକତା ଦୃଷ୍ଟିକୋଣରୁ ଚୀନ୍‍ର ଦୁଃଖଦ ପରିସ୍ଥିତି ପ୍ରତି ଆମର ସମବେଦନା ରହିଛି। କୌଣସି ଦୁର୍ବିପାକକୁ ବ୍ୟାବସାୟିକ ଦୃଷ୍ଟିରେ ପରଖିବାର ଧୃଷ୍ଟତା ଆମେ କରୁନାହୁଁ, ସେ ଅଭିପ୍ରାୟ ଆମର ନାହିଁ। କାୟମନୋବାକ୍ୟରେ ଆମେ କରୋନା ଭୂତାଣୁ ଆକ୍ରାନ୍ତଙ୍କ ଆଶୁ ଆରୋଗ୍ୟ କାମନା କରୁଛୁ। ଚୀନ୍‍ ପରିସ୍ଥିତିରେ ଯେତେଶୀଘ୍ର ସୁଧାର ଆସିବ ତାହା ବିଶ୍ୱ ଅର୍ଥନୀତି ଓ ମାନବସମାଜ ପ୍ରତି ସର୍ବାଦୌ ହିତକର। ବେଳେବେଳେ କିନ୍ତୁ ବିକଳ୍ପ ସୃଷ୍ଟି କରିବା ପାଇଁ ସମୟ ବାଧ୍ୟ କରେ। ଏହି ବାଧ୍ୟବାଧକତା ଦୃଷ୍ଟିରୁ ବିଚାର କଲେ କରୋନା ସଙ୍କଟ ଭାରତ ଆଗରେ ଅନେକ ବିକଳ୍ପ ସୃଷ୍ଟି କରିଛି ବୋଲି କୁହାଯାଇପାରେ।
ଉଲ୍ଲେଖ ନିଷ୍ପ୍ରୟୋଜନ ଯେ କରୋନା ଭୂତାଣୁ(ଦୁର୍ବିପାକ) ଚୀନ୍‍ର ଅର୍ଥନୀତିକୁ ଦୋହଲାଇ ଦେଇଛି। ପରିବହନ, ଗମନାଗମନ ଓ ରପ୍ତାନୀ-ଆମଦାନୀ କଟକଣା ଯୋଗୁଁ ଚୀନ୍‍ ଅର୍ଥନୀତି ଗତ ତିନିମାସ ମଧ୍ୟରେ ପ୍ରଭୂତ କ୍ଷତି ସହିଲାଣି। ଚୀନ୍‍ ପାଇଁ ନିର୍ଭରଯୋଗ୍ୟ ତଥା ବିଶାଳ ବଜାର ରୂପେ ପରିଗଣିତ ଭାରତର ଆମଦାନୀ କଟକଣା ପରେ ଚୀନ୍‍ ଇଲେକ୍ଟ୍ରୋନିକ୍ସ ଓ ଔଷଧ ଶିଳ୍ପ ଗୁରୁତର କ୍ଷତି ସହିଛି। ଭାରତର ରପ୍ତାନୀ ବାଣିଜ୍ୟ ମଧ୍ୟ କିଛିଟା ପ୍ରଭାବିତ ହୋଇଛି ସତ, କିନ୍ତୁ ଚୀନ୍‍ରୁ ଭାରତର ଆମଦାନୀ ପରିମାଣ ଅଧିକ ଥିବାରୁ ଭାରତ ତୁଳନାରେ ଚୀନ୍‍ ଅଧିକ କ୍ଷତି ସହୁଛି। ଚୀନ୍‍ର ଏହି ପରିସ୍ଥିତି ହିଁ ଭାରତର ଉତ୍ପାଦନକାରୀ ଓ ବ୍ୟବସାୟୀଙ୍କ ପାଇଁ ସୁଯୋଗ ଆଣି ଦେଇଛି। ବିଭିନ୍ନ କ୍ଷେତ୍ରରେ ଚୀନ୍‍ କଞ୍ଚାମାଲ ଉପରେ ନିର୍ଭର କରୁଥିବା ଭାରତର ଉତ୍ପାଦନକାରୀମାନଙ୍କ ପାଇଁ ଅନ୍ତତଃ ଆଗାମୀ ଦୁଇ ମାସ ପର୍ଯ୍ୟନ୍ତ ସମସ୍ୟା ନଥାଇପାରେ, କିନ୍ତୁ ଚୀନ୍‍ର ସ୍ଥିତି ସୁଧୁରିବା ପର୍ଯ୍ୟନ୍ତ ଅପେକ୍ଷା ନ କରି ଯଦି ଭାରତର ବ୍ୟବସାୟୀ ଓ ଶିଳ୍ପସଂସ୍ଥା ନିଜସ୍ୱ ଉଦ୍ୟମରେ କଞ୍ଚାମାଲ୍‍ ଉତ୍ପାଦନ ପାଇଁ ଏବେଠାରୁ ଉଦ୍ୟମ ଆରମ୍ଭ କରନ୍ତି, ତେବେ ତାହା ଦେଶର ଅର୍ଥନୀତି ପାଇଁ ଶୁଭଙ୍କର ହେବ। ସେହିପରି କରୋନା ଭୂତାଣୁ ଯୋଗୁଁ ଅଷ୍ଟ୍ରେଲିୟା, ନ୍ୟୁଜିଲାଣ୍ଡ ସମେତ ଦକ୍ଷିଣ ଏସୀୟ ରାଷ୍ଟ୍ରରେ ଚୀନ୍‍ର ବାଣିଜ୍ୟ କାରବାର ବାଧାପ୍ରାପ୍ତ ହୋଇଛି। ଭାରତ ଯଦି ସେହି ସବୁ ଦେଶର ବଜାର ଅଂଶ ଦଖଲ କରିବାରେ ସଫଳ ହୁଏ ଏବଂ ସେଠାକାର ବାଣିଜ୍ୟ ନୀତିନିର୍ଦ୍ଧାରକଙ୍କ ବିଶ୍ୱାସଭାଜନ ହେବାରେ ସକ୍ଷମ ହୁଏ, ତେବେ ଆସିଆନ୍‍ ରାଷ୍ଟ୍ର ସହିତ ଭାରତର ବାଣିଜ୍ୟ ନିଅଣ୍ଟ ପରିମାଣ ଅନେକାଂଶରେ ହ୍ରାସ ଘଟିବ।
ଏତଦ୍‍ବ୍ୟତୀତ ଭାରତର ବାଣିଜ୍ୟ କାରବାର ବୃଦ୍ଧି ପାଇଁ ଆମେରିକାକୁ ମଧ୍ୟ ଆଉ ଏକ ବିକଳ୍ପ ଭାବେ ଉପଯୋଗ କରିବାର ସୁଯୋଗ ଏବେ ଭାରତ ଆଗରେ ରହିଛି। କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ନିକଟ ଭବିଷ୍ୟତରେ ଆମେରିକା-ଚୀନ୍‍ ବାଣିଜ୍ୟ ସମ୍ପର୍କ ତ୍ୱରାନ୍ୱିତ ହେବାର ସମ୍ଭାବନା କମ୍‍। ଏହି ସୁଯୋଗର ସଦ୍‍ବ୍ୟବହାର କରି ଭାରତ ଗସ୍ତରେ ଆସୁଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମନାଇ ପାରିଲେ ଭାରତ-ଆମେରିକା ବାଣିଜ୍ୟ କାରବାର ପୁଣି ଥରେ ଚଳଚଞ୍ଚଳ ହୋଇପାରିବ ଏବଂ ଉଭୟ ଦେଶ ଲାଭବାନ୍‍ ହୋଇପାରିବେ।
ଏବେ ଭାରତ-ଆମେରିକା ଏବଂ ଭାରତ-ଚୀନ୍‍ ବାଣିଜ୍ୟ କାରବାରକୁ ତୁଳନାତ୍ମକ ଭାବେ ବିଶ୍ଲେଷଣ କରାଯାଉ। ୨୦୧୯-୨୦ରେ ଭାରତ-ଆମେରିକା ବାଣିଜ୍ୟ କାରବାର ୬,୮୦୦ କୋଟି ଡଲାର ଥିବା ବେଳେ ଭାରତ-ଚୀନ୍‍ ବାଣିଜ୍ୟ କାରବାର ୬,୪୯୬ କୋଟି ଡଲାର ଥିଲା। ସେହିପରି ଆମେରିକା ସହିତ ଭାରତର ବାଣିଜ୍ୟ ବଳକା ଥିବାବେଳେ ଚୀନ୍‍ ସହିତ ଭାରତ ବାଣିଜ୍ୟ ନିଅଣ୍ଟିଆ ସ୍ଥିତି ଦେଇ ଗତି କରୁଛି। ତେଣୁ ପଡ଼ୋଶୀ ଚୀନ୍‍ ତୁଳନାରେ ସୁଦୂର ଆମେରିକା ସହିତ ବାଣିଜ୍ୟ କାରବାର ତ୍ୱରାନ୍ୱିତ କଲେ ଭାରତ ଅଧିକ ଲାଭରେ ରହିବ। ଏହି ପରିପ୍ରେକ୍ଷୀରେ ଆମେରିକାର କିଛି ସର୍ତ୍ତ(ହାର୍ଡଲି ଡେଭିଡ୍‍ସନ୍‍ ମୋଟରବାଇକ୍‍ ଉପରୁ ଶତ ପ୍ରତିଶତ ଶୁଳ୍କ ଛାଡ଼)କୁ ମାନି ନେଲେ ମଧ୍ୟ ସାମ୍ପ୍ରତିକ ସ୍ଥିତି ଦୃଷ୍ଟିରୁ ଭାରତର ଅଧିକ କ୍ଷତି ହେବ ନାହିଁ।
ଇଚ୍ଛା ଥିଲେ ଉପାୟ ଆସେ। ଚୀନ୍‍ କଞ୍ଚାମାଲ୍‍ ଚାହିଦା ଉପରେ ନିର୍ଭରଶୀଳତା ହ୍ରାସ କରିବାକୁ ହେଲେ ଉତ୍ପାଦନ(ଉପାୟ) ଆରମ୍ଭ କରିବାର ଏହା ହିଁ ପ୍ରକୃଷ୍ଟ ସମୟ। ଏହି ସୁଯୋଗ ହାତଛଡ଼ା କଲେ ପସ୍ତାଇବା ହିଁ ସାର ହେବ। ତେବେ ମନେ ରଖିବାକୁ ହେବ ଯେ ଏହା କେବଳ ଏକ ସୁଯୋଗ, ଯାହା ଏକ ସମ୍ଭାବନାର ସଂକେତ ଦେଇଛି। ସମ୍ଭାବନାକୁ ସଫଳତାରେ ପରିଣତ କରିବା ସମ୍ପୂର୍ଣ୍ଣ ଭାବରେ ନିର୍ଭର କରୁଛି ଆମ ଉଦ୍ୟମ ଓ ଆନ୍ତରିକତା ଉପରେ। ଉଦ୍ୟମ, ସଂକଳ୍ପ ଓ ଇଚ୍ଛାଶକ୍ତି ସମ୍ମିଳିତ ହେଲେ ମେକ୍‍ ଇନ୍‍ ଇଣ୍ଡିଆ ସ୍ୱପ୍ନ ସାକାର ହୋଇପାରିବ।

Comments are closed.