ସାଇବର ଠକେଇ ପାଇଁ ‘ସ୍ବତନ୍ତ୍ର କଲ୍‌ ସେଣ୍ଟର’

ଭୁବନେଶ୍ବର : କ୍ରମବର୍ଦ୍ଧିଷ୍ଣୁ ସାଇବର ଅପରାଧ ଏବେ ସବୁଠାରୁ ଚିନ୍ତାର ବିଷୟ ହୋଇଛି। ନୂଆ ନୂଆ ଉପାୟରେ ନିର୍ଦିଷ୍ଟ କିଛି କଲ୍‌ସେଣ୍ଟରରୁ ଏହା ପରିଚାଳିତ ହେଉଥିବା କମିସନରେଟ ପୁଲିସ ସନ୍ଦେହ କରୁଛି। କିଛି ନିର୍ଦିଷ୍ଟ ଗ୍ୟାଙ୍ଗ ବିଭିନ୍ନ ୱେବ୍‌ସାଇଟ୍‌ ଏବଂ ଅନ୍‌ଲାଇନ୍‌ ସପିଙ୍ଗ ସାଇଟ୍‌ରୁ ତଥ୍ୟ ଚୋରିକରି ଲୋକଙ୍କୁ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ଅନ୍‌ଲାଇନ୍‌ ମାଧ୍ୟମରେ ଠକୁଛନ୍ତି। କମିସନରେଟ ପୁଲିସ ମଧ୍ୟ ଏନେଇ ତତ୍ପରତା ପ୍ରକାଶ କରିଛି। ଅନ୍‌ଲାଇନ୍‌ ଠକେଇ ନେଇ ଯେଉଁ ଯେଉଁ ଅଞ୍ଚଳରୁ ଫୋନ୍‌ କଲ୍‌ ଆସୁଛି ତାକୁ ଟ୍ରାକିଂ କରୁଛି। ତେବେ ପ୍ରାୟତଃ ଅଧିକାଂଶ ଫୋନ୍‌କଲ୍‌ ବାହାର ରାଜ୍ୟରୁ ଆସୁଥିବା ଜଣାପଡୁଛି। ବିଶେଷକରି ଝାଡ଼ଖଣ୍ଡ, ଧାନବାଦ ଏବଂ କଲକାତାରୁ ଆସୁଛି। ସେସବୁ ଅନ୍‌ଲାଇନ୍‌ ଠକେଇ ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ସ୍ବତନ୍ତ୍ର କଲ୍‌ସେଣ୍ଟର ଦ୍ବାରା କରାଯାଉଥିବା ଅନୁମାନ କରାଯାଉଛି ବୋଲି ଡିସିପି ଡ. ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି।
ଇତିମଧ୍ୟରେ ସାଇବର ଅପରାଧୀମାନେ ବ୍ୟବହାର କରୁଥିବା ୩୦୦ରୁ ଅଧିକ ସିମ୍‌କାର୍ଡ ବ୍ଲକ୍‌ କରାଗଲାଣି। ତେବେ ଉକ୍ତ ସାଇବର ଅପରାଧୀ କିପରି ନୂଆ ନୂଆ ନମ୍ବର ପାଉଛନ୍ତି ଏବଂ ସେମାନଙ୍କୁ ସିମ୍‌କାର୍ଡ ଯୋଗାଇବାରେ କେଉଁମାନେ ସମ୍ପୃକ୍ତ ତାକୁ ନେଇ ପୁଲିସ ତଦନ୍ତ ଆରମ୍ଭ କରିଛି। କମିସନରେଟ ପୁଲିସ ପକ୍ଷରୁ ଏଥିପାଇଁ ଏକ ସ୍ବତନ୍ତ୍ର ନମ୍ବର ଜାରି କରାଯାଇଛି। ଏହି ନମ୍ବରକୁ ମାତ୍ର କିଛି ଦିନ ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧୨୦୭ କଲ୍‌ ଆସିଛି। ସାଇବର ଅପରାଧୀ ମୋଟ ଦେଢ଼ କୋଟି ଟଙ୍କାରୁ ଅଧିକ ଠକେଇ କରିଥିବା ଜଣାପଡ଼ିଛି। କିଛି ଅଭିଯୋଗକାରୀଙ୍କ ୭ ଲକ୍ଷ ୧୯ ହଜାର ଟଙ୍କା ଫେରସ୍ତ ଅଣାଯାଇପାରିଛି। ସମସ୍ତ ଠକେଇ କଲ୍‌ ଓଡ଼ିଶା ବାହାରୁ ଆସୁଥିବା ପୁଲିସ କମିସନର ଡ. ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି। ୟୁପିଆଇ ଠକେଇ ଯୋଗୁଁ ସାଇବର ଅପରାଧୀଙ୍କ ଆକାଉଣ୍ଟରୁ ଟଙ୍କା ଫେରସ୍ତ ଆଣିବା କଷ୍ଟକର ହୋଇପଡୁଛି ବୋଲି ସେ କହିଛନ୍ତି।

ପ୍ରଲୋଭିତ ହୋଇ ଠକାମିରେ ପଡୁଛନ୍ତି : ଡିସିପି

ଜମ୍‌ତରା ଗ୍ୟାଙ୍ଗ୍‌ : ସାଇବର ଅପରାଧର ହବ୍ ପାଲଟିଛି ଝାଡ଼ଖଣ୍ଡର ଜମ୍‌ତରା ଅଞ୍ଚଳ। ଏହି ଗ୍ୟାଙ୍ଗ୍‌ ରାଜଧାନୀରୁ ସର୍ବାଧିକ ଠକେଇ କରିଛି। ଜମ୍‌ତରା ଗ୍ୟାଙ୍ଗ୍‌ ଓଡ଼ିଶାରେ ତା’ର ଶାଖା ଖୋଲିବା ଲାଗି ଯୋଜନା କରୁଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ବେକାର ଆଇଟି ଇଞ୍ଜିନିୟରଙ୍କୁ ଫସାଇବାକୁ ଚାଲିଛି ବଡ଼ ଧରଣର ଡିଲ୍‌। ବିପୁଳ ଅର୍ଥ ରୋଜଗାରର ପ୍ରଲୋଭନ ଦେଖାଇ ସେମାନଙ୍କୁ ଗ୍ୟାଙ୍ଗ୍‌ରେ ନିଯୁକ୍ତି ଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ଓଡ଼ିଶା ସମେତ ୫ଟି ରାଜ୍ୟକୁ ଏହି ଗ୍ୟାଙ୍ଗ ଟାର୍ଗେଟ୍‌ କରିଛି। ଓଡ଼ିଶାର ଭୁବନେଶ୍ବର, ପଶ୍ଚିମବଙ୍ଗର କଲକାତା ଓ ଆସାନସୋଲ, ରାଜସ୍ଥାନର ଅଲୱର ଓ ଭରତପୁର, ହରିୟାଣା, ଗୁରୁଗାଓଁ ଏବଂ ଉତ୍ତରପ୍ରଦେଶର ମଥୁରା, ବାରାଣସୀ ଓ ଜଲାଲପୁର ଏହି ଗ୍ୟାଙ୍ଗ୍‌ର ଟାର୍ଗେଟ୍‌ରେ ରହିଛି। ଏହି ସବୁ ସହରରେ ବେକାରଙ୍କୁ ଏଥିରେ ନିଯୁକ୍ତ କରାଯାଉଥିବା ଜଣାପଡ଼ିଛି।
ନିରୀହ ଲୋକଙ୍କଠାରୁ ଜମ୍‌ତରା ଗ୍ୟାଙ୍ଗ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛି। ଏନେଇ ଶତାଧିକ ମାମଲା ରୁଜୁ ହୋଇଥିଲେ ସୁଦ୍ଧା ପୁଲିସକୁ ସଫଳତା ମିଳିପାରୁନାହିଁ। କରୋନା କାଳରେ ଏହି ଗ୍ୟାଙ୍ଗ୍‌ର ଉତ୍ପାତ ସବୁଠାରୁ ଅଧିକ ଥିଲା। ଚଳିତବର୍ଷ କେବଳ ଦ୍ବୈତନଗରୀରେ ଏହି ଗ୍ୟାଙ୍ଗ୍‌ ଦ୍ବାରା ଶିକାର ନେଇ ୧୦୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ ହୋଇଛି।

ରିଚାର୍ଜ ବାହାନାରେ ଲୁଟ୍‌ 

ନିକଟରେ ମୋବାଇଲ ଫୋନ୍ ରିଚାର୍ଜ ନାଁରେ ସାଇବର ଅପରାଧୀ ଠକିବା ଆରମ୍ଭ କରିଛନ୍ତି। ଜଣେ ଯୁବକଙ୍କ ଆକାଉଣ୍ଟରୁ ୯୪ ହଜାର ଉଭାନ କରି ଦେଇଥିଲେ। ପୋଖରୀପୁଟ ଅଞ୍ଚଳର ଆଶିଷ କୁମାର ପାତ୍ର ଏ ନେଇ ପ୍ରଥମେ ସାଇବର ହେଲ୍‌ପ ଡେସ୍କ ଓ ପରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।
ଡିସିପିଙ୍କ କହିବା ମୁତାବକ ପୂର୍ବଅପେକ୍ଷା ସାଇବର ଠକେଇ କମିଛି। ଲୋକେ ଧୀରେ ଧୀରେ ସତର୍କ ହେଲେଣି। ଆଗରୁ ଶହେରୁ ଊର୍ଦ୍ଧ୍ବ ଅଭିଯୋଗ ଆସୁଥିଲା। ବର୍ତ୍ତମାନ ୨୦ କଲ୍‌ ଆସୁଛି। ୭୦ ପ୍ରତିଶତ ଲୋକ ଲୋଭର ବଶବର୍ତ୍ତୀ ହୋଇ ଠକାମିର ଶିକାର ହେଉଛନ୍ତି। ଲଟେରି ଓ ଲୋନ୍‌ ଭଳି ଲୋଭ ଦେଖାଇ ସାଇବର ଠ‌େ‌କଇ କରାଯାଉଛି। ସେହିପରି ‘ଆପଣଙ୍କ କାର୍ଡ ବ୍ଲକ୍ ହୋଇଯିବ, ସିମ୍ ବ୍ଲକ୍‌ ହୋଇଯିବ’ ପରି ଭୟ ଦେଖାଇ ଠକୁଥିବା ସେ ସତର୍କ କରାଇଛନ୍ତି।

ନିଯୁକ୍ତି ଆଳରେ ଠକେଇ
ସାଇବର ଠକମାନେ ଚାକିରି ପାଇଁ ଅନ୍‌ଲାଇନ୍ ନିଯୁକ୍ତି ୱେବ୍‌ସାଇଟ୍‌କୁ ନକଲ କରି ଠକେଇ କରୁଛନ୍ତି। ଚାକିରି ଆଶାୟୀ ଯୁବକ ଯୁବତୀଙ୍କୁ ଟାର୍ଗେଟ୍‌ କରୁଛନ୍ତି। ବର୍ଷକ ଭିତରେ ପ୍ରାୟ ଶତାଧିକ ଯୁବକ ଯୁବତୀ ଠକେଇର ଶିକାର ହୋଇଥିବା ଜଣାପଡ଼ିଛି। ଲକ୍‌ଡାଉନ୍ ପରେ ଚାକିରି ସମସ୍ୟା ଉତ୍କଟ ହୋଇପଡ଼ିଥିବାରୁ ଯୁବକ ଯୁବତୀ ସାଇବର ଠକଙ୍କ ଜାଲରେ ଫସି ଯାଉଛନ୍ତି।

Comments are closed.