ଆମ ଶିକ୍ଷାବିତ୍‌ କେଡ଼େ ଅସହାୟ ସତରେ !

ରାଜନୀତି ଆମ ଜୀବନର ଏକମାତ୍ର ବିଧାୟକ ହେଲାଣି

ବିଶ୍ୱବିଦ୍ୟାଳୟ ନିଶ୍ଚିତ ଭାବରେ ସରକାରଙ୍କ ନିୟନ୍ତ୍ରଣରେ ରହିବା ଉଚିତ ନୁହେଁ। କୁଳପତି (vc)ସରକାରଙ୍କ ପ୍ରତିନିଧି ହେବା ଉଚିତ୍‍ ନୁହେଁ। ବିଶ୍ୱବିଦ୍ୟାଳୟ ସରକାରଙ୍କର ଏକ ବିଭାଗ ହେବା ଉଚିତ ନୁହେଁ।
ଯେତେବେଳେ ଓଡ଼ିଶା ବିଶ୍ୱବିଦ୍ୟାଳୟ ବିଲ୍‍ (ou Bill-1942)ତତ୍କାଳୀନ ଶିକ୍ଷାମନ୍ତ୍ରୀ ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ଦ୍ୱାରା ୩୦ ଜୁନ୍‍ ୧୯୪୩ ମସିହାରେ ବିଧାନସଭାରେ ଉପସ୍ଥାପନ କରାଯାଇଥିଲା, ସେତେବେଳେ ପୁରୀର ବିଧାୟକ ସ୍ୱର୍ଗତ ଲତିଫୁର ରହମାନ୍‍ ମହୋଦୟ ବିଧାନସଭା ବିତର୍କରେ ଅଂଶଗ୍ରହଣ କରି ଏକ ଜ୍ୱାଳାମୟୀ ଭାଷଣରେ ଉପରୋକ୍ତ ତିନିଟି ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ସମ୍ପର୍କରେ ପ୍ରଧାନମନ୍ତ୍ରୀ ସ୍ୱର୍ଗତ କୃଷ୍ଣଚନ୍ଦ୍ର ଗଜପତି (ପାରଳା ମହାରାଜା) ଓ ଅନ୍ୟାନ୍ୟ ସଦସ୍ୟମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ସ୍ୱର୍ଗତ ରହମାନ୍‍ଙ୍କ ଯଥାର୍ଥ ଯୁକ୍ତି ଅନୁଯାୟୀ ବିଶ୍ୱବିଦ୍ୟାଳୟ ଏକ ସ୍ୱୟଂଶାସିତ ସଂସ୍ଥା ଅର୍ଥାତ୍‍ ‘ରାଜ୍ୟ ମଧ୍ୟରେ ଏକ ମିନି ରାଜ୍ୟ’। ଆଜି ଶିକ୍ଷା ବ୍ୟବସ୍ଥା ଅଶିକ୍ଷାରେ ପରିଣତ ହେବାକୁ ଯାଉଥିବାବେଳେ ଲତିଫୁର ରହମାନ୍‍ଙ୍କ ମନ୍ତବ୍ୟଗୁଡ଼ିକ ‘ମହାପୁରୁଷର ବାଣୀ’ ବୋଲି ମନେହୁଏ। ଏଇ ପ୍ରବନ୍ଧଟି ଲେଖିଲାବେଳକୁ ସେ ଖୁବ୍‍ ମନେପଡ଼ୁଛନ୍ତି। ଏହା ମଧ୍ୟରେ ପ୍ରାୟ ୭୭ ବର୍ଷ ବିତିଯାଇଛି। “କେତେ ହଳିଅା ଗଲେଣି ରହିଛି ବିଲ,କେତେ ଘରୁଆ ଗଲେଣି ରହିଛି ଘର” ନ୍ୟାୟରେ କେତେକେତେ ସରକାର ଗଲେଣି ଓ କେତେକେତେ ଉଦୀୟମାନ ଶିକ୍ଷାବିତ୍‍ମାନେ ମଧ୍ୟ ଆରପାରିକୁ ଚାଲିଗଲେଣି। ଆଜି ଏଇ କପୋଳକଳ୍ପିତ ସ୍ୱୟଂଶାସିତ ସଂସ୍ଥା ନାମକ ‘ବିଶ୍ୱବିଦ୍ୟାଳୟ’ମାନଙ୍କର ପରିସ୍ଥିତି କ’ଣ ? ଏହା କ’ଣ ଆଉ ବୁଝାଇବାକୁ ପଡ଼ିବ? ପ୍ରାୟ ୪ ମାସ ହେଲା ଓଡ଼ିଶା ସରକାରଙ୍କ ଦ୍ୱାରା ‘ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶ’ ବିଷୟରେ ଗଣମାଧ୍ୟମ ଓ ସୋସିଆଲ୍‍ ମିଡ଼ିଆ ପଡ଼ୁଛି ଉଠୁଛି। ବିଧାନସଭା ଭିତରେ ବିରୋଧୀମାନଙ୍କ ଦ୍ୱାରା ପ୍ରତିବାଦର ସ୍ୱର ଉଠିଛି। କେତେ ଜଣ ବିଶିଷ୍ଟ ଶିକ୍ଷାବିତ୍‍, ପ୍ରଫେସର ଓ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଏକାଠି ହୋଇ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେଣି। ଏହି ଚିଠିରେ ଓଡ଼ିଶାର ୧୨ଜଣ କୁଳପତିଙ୍କ ସମେତ ୨୯ଜଣ ଶିକ୍ଷାବିତ୍‍ ଭାରତର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ଏପରି ମନୋନୟନ ପ୍ରକ୍ରିୟାକୁ ଅସିଦ୍ଧ ଏବଂ ରାଜ୍ୟପାଳଙ୍କଠାରୁ କୈଫିୟତ୍‍ ହାସଲ୍‍ କରିବାକୁ ଅତ୍ୟନ୍ତ ଅସହାୟ ହୋଇ ନିବେଦନ କରିଛନ୍ତି। ଶିକ୍ଷା ବ୍ୟବସ୍ଥାର ବୁନିଆଦି, ରାଷ୍ଟ୍ର ନିର୍ମାଣ ତଥା ଉତ୍ତର ପିଢ଼ିଙ୍କ ବିକାଶ ପାଇଁ ନିରନ୍ତର ସଂଗ୍ରାମ ଜାରି ରଖିଥିବା ଏଇ କତିପୟ ଶିକ୍ଷାବିତ୍‍ ମୋ ମତରେ ପ୍ରକୃତରେ ‘ଦୁଃସାହସୀ କରୋନା ଯୋଦ୍ଧା’। ଏମାନେ ସମସ୍ତେ ମୋଠାରୁ ବୟସରେ ଯଥେଷ୍ଟ କନିଷ୍ଠ ହେଲେ ମଧ୍ୟ ଏଇ ବିସ୍ମୟକର ପ୍ରତିଭାଧର ବ୍ୟକ୍ତିମାନଙ୍କ ପାଖରେ ନତମସ୍ତକ ହେବାକୁ ମୁଁ ଆଦୌ କୁଣ୍ଠାବୋଧ କରୁନାହିଁ। କରୋନା ସମୟ​ରେ‌ର ଏତେଗୁଡ଼ିଏ ଶିକ୍ଷାବିତ୍‍ଙ୍କୁ ଏକାଠି କରି ସେମାନଙ୍କୁ ମନେଇ ପତ୍ର ଲେଖିବା ଓ ସେମାନଙ୍କର ଦସ୍ତଖତ ଯୋଗାଡ଼ କରିବା ବଡ଼ କଷ୍ଟକର କାର୍ଯ୍ୟ। ଏଥିପାଇଁ ସବୁପ୍ରକାର ଶ୍ରେୟ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ବିନାୟକ ରଥଙ୍କର। ଏଥିପାଇଁ ତାଙ୍କୁ ଯେତେ ଧନ୍ୟବାଦ ଦେଲେ ବି ତାହା ଯଥେଷ୍ଟ ହେବ ନାହିଁ। କୁଳପତି ମନୋନୟନ ପ୍ରକ୍ରିୟାକୁ ଶିକ୍ଷାବିତ୍‍ମାନେ ଏକାଠି େହାଇ ଏକ ସ।ମ୍ବାଦିକ ସମ୍ମିଳନୀେର ଏଇ ମାସ ୮ ତାରିଖ ଏହାକୁ ‘ଲଜ୍ଜାଜନକ ଘଟଣା’ ବୋଲି ମତପ୍ରକାଶ କରିଛନ୍ତି। ଆନନ୍ଦର କଥା ଓଡ଼ିଶାର ସବୁ ଅଗ୍ରଣୀ ଖବରକାଗଜ ଏହାକୁ ପ୍ରକାଶ କରିଛନ୍ତି। ରାଜ୍ୟ ସରକାର ବର୍ତ୍ତମାନ କାଠଗଡ଼ାରେ।
ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧିତ ଆଇନକୁ ଚାଲେଞ୍ଜ କରି ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ଜେଏନ୍‍ୟୁର ଅବସରପ୍ରାପ୍ତ ପ୍ରଫେସର ସମ୍ମାନନୀୟ ଅଜିତ୍‍ କୁମାର ମହାନ୍ତି ଏହି ମାମଲା ଦାଏର କରିଛନ୍ତି। ସେ ପ୍ରଥମେ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧ୍ୟାଦେଶକୁ ଚାଲେଞ୍ଜ କରି ଏକ ମାମଲା ରୁଜୁ କରିଥିଲେ। ଏହି ଅଧ୍ୟାଦେଶ ଆଇନ ହେବାପରେ ଆବେଦନକାରୀ ମାମଲା ରୁଜୁ କରିପାରିବେ ବୋଲି ହାଇକୋର୍ଟ ସେତେବେଳେ ଆଦେଶ ଦେଇଥିଲେ। ଗତ ନଭେମ୍ବର ୯ରେ ଆଇନ ବିଭାଗ ପକ୍ଷରୁ ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ ଅଣାଯିବା ପରେ ସେ ପୁଣି ମାମଲା ରୁଜୁ କରିଛନ୍ତି। ପ୍ରଫେସର ମହାନ୍ତି ତାଙ୍କ ପିଟିସନ୍‍ରେ ଉଲ୍ଲେଖ କରିଛନ୍ତି ଯେ, ରାଜ୍ୟ ସରକାର ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ କରି ନୂଆ ଆଇନ ଆଣିଛନ୍ତି। ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନରେ ପରିବର୍ତ୍ତନ କରିବାର କ୍ଷମତା ରାଜ୍ୟ ସରକାରଙ୍କର ନାହିଁ। କେବଳ ଦେଶର ପାର୍ଲାମେଣ୍ଟ ଏ ନେଇ ଆଇନ ଆଣିପାରିବ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଏଇ ଅଧ୍ୟାଦେଶଟି ଅନୁମୋଦନ କରିବା ପୂର୍ବରୁ ଓଡ଼ିଶା ସରକାର କୌଣସି ଶିକ୍ଷା ବିଶେଷଜ୍ଞଙ୍କ ପରାମର୍ଶ ନ ନେଇ ସମ୍ପୂର୍ଣ୍ଣ ଏକତରଫା ଭାବେ ଏହି କାର୍ଯ୍ୟଟି ସମାପନ କରିଥିଲେ। ମାନନୀୟ ପ୍ରଫେସର ଅଜିତବାବୁଙ୍କର ଏ ଦିଗରେ ନିଷ୍ଠା ଭବିଷ୍ୟତ ପିଢ଼ି ପାଇଁ ଏକ ଉଦାହରଣ ହୋଇ ରହିବ। ସରକାର ଯେତେ ବଳବାନ ହେଲେ ବି ଅଜିତ ବାବୁଙ୍କ ନୀତି ଓ ଆଦର୍ଶର ଜୟ ହେଉ ବୋଲି ଆମେମାେନ ଆଶା କରିବା; ଯାହାଦ୍ୱାରା ତାଙ୍କର ଉଦ୍ୟମ ଓଡ଼ିଶାର ଶିକ୍ଷା ଜଗତରେ ଏକ ଇତିହାସ ରଚିବ।
ଶିକ୍ଷାବିତ୍‍ମାନଙ୍କର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଯେ ବିଶ୍ୱବିଦ୍ୟାଳୟ ଅଧ୍ୟାଦେଶ ବିଷୟକୁ କିଛି ଏକ ନୂତନ ମୋଡ଼ ଦେବ ସେଇଟା ମୁଁ ଆଶା କରୁନାହିଁ। ଏ ବିଷୟରେ ବିଶେଷ କିଛି ଆେଲାଚନା କରିବାକୁ ମୁଁ ଅନିଚ୍ଛା ପ୍ରକାଶ କରୁଛି। ଏଇ ସଂକ୍ରାନ୍ତରେ ମୋର କେବଳ ଗୋଟିଏ ଚମତ୍କାର ଓଡ଼ିଆ ରୁଢ଼ି ମନେ ପଡ଼ିଯାଉଛି– “ତୁ ଗୁହାରି କରୁଛୁ ଯାହାକୁ, ମୁଁ ..ଇତା କରିଛି ତାହାକୁ।” ସମୟ ସବୁକିଛି କହିବ। ମୋ ମତରେ କିଛିଦିନ ପରେ ମନକୁ ମନ ସବୁକିଛି ଚୁପ୍‍ ହୋଇଯିବ। ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଦପ୍ତରରେ ସେଇ ଚିଠି ଶୀତଳଭଣ୍ଡାରରେ ପ୍ରାରବ୍ଧ ନେଇଯିବ। କେବଳ ଏତିକି ହେବ ଯେ ଭବିଷ୍ୟତରେ କୌଣସି ରାଜ୍ୟପାଳ ବା କୁଳାଧିପତି ଭାବୀ କୁଳପତିମାନଙ୍କୁ ଅ।ଉ ଲିଖିତ ପରୀକ୍ଷା କରିବାକୁ ସାହସ କରିବେ ନାହିଁ। ସବୁଦିନ ପାଇଁ ଏଇ ଘଟଣାଟି ବିଶ୍ୱବିଦ୍ୟାଳୟ ଇତିହାସରେ ଏକ କଳଙ୍କ ହୋଇ ରହିଗଲା। ଏପରି ସ୍ଥିତିରେ ଆମର ଶିକ୍ଷାବିତ୍‍ମାନେ ପ୍ରକୃତରେ ଖୁବ୍‍ ଅସହାୟ ପରିସ୍ଥିତିରେ ଥିବା ଭଳି ମନେ ହେଉଛନ୍ତି। ‘ବିଚରା’ ଶବ୍ଦଟି ଆଜି ପ୍ରକୃତରେ ସେମାନଙ୍କ ପାଇଁ ପ୍ରଯୁଜ୍ୟ।
ରାଜନୀତି ଆମ ଜୀବନର ଏକମାତ୍ର ବିଧାୟକ ହେଲାଣି। ସବୁପ୍ରକାର ମଣିଷପଣିଆ ଉପରେ ସେ ବଳୀୟାନ ହେଲାଣି। ଏଥିପାଇଁ ସବୁ ସତ୍ୟ ଓ ସକଳ ପ୍ରକାର ସ୍ଥାୟିତ୍ୱ ଧୀରେଧୀରେ ଭାଙ୍ଗି ପଡ଼ିବାକୁ ଆରମ୍ଭ କଲାଣି। ତଥାପି ସକଳ ବିପତ୍ତି ସତ୍ତ୍ବେ ଆମକୁ ବଞ୍ଚିବାକୁ ହେବ, ସଂଗ୍ରାମ କରିବାକୁ ହେବ, ତାହା ହିଁ ହେଉଛି ଆଧୁନିକ ଜୀବନ। ଏଇ ଆଧୁନିକତା ଆମକୁ ସବୁ କ୍ଷେତ୍ରରେ ଆସି ଆଘାତ କରିଦେଇଗଲା ପରି ମନେ ହେଉଛି। କେଜାଣି କାହିଁକି ମନଟା ଦବିଯାଉଛିି। ସରକାରଙ୍କ ଘୋଷଣା ଓ ଓଡ଼ିଶାର ଅସଲି ବିକାଶ ଭିତରେ ପାର୍ଥକ୍ୟକୁ ଦେଖିଦେଖି ଆମମାନଙ୍କ ଭଳି ସାଧାରଣ ଲୋକେ ପ୍ରକୃତରେ ଅଣନିଃଶ୍ୱାସୀ ହୋଇଗଲେଣି। “ଇତିହାସ କେବେ ବାସ୍ତବରେ ମେଲାଣି ନିଏନାହିଁ। ଗଲାବେଳେ କୁଆଡ଼େ କହିଯାଏ ପୁଣି ଦେଖାହେବ।” ଆମ ଦେଶରେ କିଛିକିଛି ବ୍ୟବସ୍ଥା ଓ ରୀତିନୀତିିକୁ ସରକାରୀ ଅନୁେମାଦନ ପ‌େ‌ରାକ୍ଷ ଭାବରେ ମିଳିଥ।ଏ, ଯାହାକି ବୃହତ୍ତର ସମାଜ ପାଇଁ କ୍ଷତିକାରକ ବୋଲି ପରିଗଣିତ ହୁଏ। ଲୋକମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କଲେ ସରକାର ଉପର ଠାଉରିଆ ଭାବେ ଆଇନ ତିଆରି କରିଦିଅନ୍ତି। ଏହାଦ୍ୱାରା ସେ ବ୍ୟବସ୍ଥାର ବିଲୋପ ପରିବର୍ତ୍ତେ ତାହାର ଫାଇଦା ଉଠାଇଥାଆନ୍ତି। କିଛି ଭୁଲ୍‌ କହିଦେଲି କି? ପାଠକମାନେ ବିଚାର କରନ୍ତୁ।

ରାଜେନ୍ଦ୍ର ନାରାୟଣ ଦାସ
ଗିଲ୍‍ବାଖ୍‍ ଷ୍ଟ୍ରାସେ ୯୫ଇ,
୪୧୪୬୬ ନଏସ୍‍, ଜର୍ମାନୀ
[email protected]

Comments
Loading...