କେଲୋରେ ନୂଆ ଆନିକଟ

ଟେଣ୍ଡର ଆହ୍ବାନ ପରେ ପାଣି ସଙ୍କଟ ଚିନ୍ତା ଘନେଇଲା

ପଞ୍ଚଗାଁ/ଝାରସୁଗୁଡ଼ା :  ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ନଦୀବନ୍ଧ ଓ ଆନିକଟ ନିର୍ମାଣ ଫଳରେ ମହାନଦୀର ପ୍ରାକୃତିକ ଜଳସ୍ରୋତ ସମ୍ପୂର୍ଣ୍ଣ ଅବରୋଧ ହେବାରେ ଲାଗିଛି। ଏହାକୁ ନେଇ ଗତ ୫ ବର୍ଷ ହେଲା ରାଜନୀତି ସରଗରମ ହୋଇଛି ସତ; ହେଲେ ଓଡ଼ିଶା ସରକାରଙ୍କ ବିରୋଧ ଅରଣ୍ୟ ରୋଦନ ପ୍ରମାଣିତ ହେଉଛି। ଏଣେ ଛତିଶଗଡ଼ ସରକାର ନିଜ କର୍ତ୍ତୃତ୍ବ ଜାହିର କରି ପୁଣି ନଦୀ ଜଳର ପଥାବରୋଧ ଜାରି ରଖିଛନ୍ତି। ମୁଖ୍ୟ ଜଳସ୍ରୋତ ମହାନଦୀ ବ୍ୟତୀତ ଅନ୍ୟ ଛୋଟ ମୋଟ ନଦୀ ଓ ଯୋର’ର ମଧ୍ୟ ସମାନ ଅବସ୍ଥା। ପଡୋଶୀ ରାଜ୍ୟରୁ ବହି ଆସୁଥିବା ଏକ ଛୋଟ ଉପନଦୀ କେଲୋ ନଦୀରେ ପୂର୍ବରୁ ହିଁ ଛତିଶଗଡ଼ ଏକ ଆନିକଟ ନିର୍ମାଣ କରିଥିବା ହେତୁ ଗ୍ରୀଷ୍ମ ଋତୁରେ ଏହି ନଦୀ ମୃତ ପାଲଟି ଯାଉଛି। ହେଲେ ତା ଉପରେ ଏବେ ଆଉ ଏକ ଆନିକଟ ନିର୍ମାଣ ପାଇଁ ଛତିଶଗଡ଼ ସରକାର ଟେଣ୍ଡର ଆହ୍ବାନ କରିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ ନଦୀ ଉପର ମୁଣ୍ଡ ଛତିଶଗଡ଼ର ନେତନାଗର ଗାଁ ନିକଟରେ କେଲୋ ନଦୀ ଉପରେ ପ୍ରାୟ ପାଞ୍ଚ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ ଦେଇଛନ୍ତି ପଡୋଶୀ ରାଇଗଡ଼ ଜିଲା ପ୍ରଶାସନ। ଜଳସେଚନ ପାଇଁ ଏହି ଆନିକଟ ନିର୍ମାଣର ଯୋଜନା ଥିବା ଜଣାପଡ଼ିଛି।
ଛତିଶଗଡ଼ରୁ ବାହାରିଥିବା କେଲେ ନଦୀ ଝାରସୁଗୁଡା ଜିଲା ଲଖନପୁର ବ୍ଲକ ସୀମାନ୍ତ ଅଞ୍ଚଳର କନକତୋରା, ପିଥିଣ୍ଡା, ବାଦୀମାଲ ପଞ୍ଚାୟତର ଜୀବନରେଖା ରୂପେ ପରିଚିତ। ପଡୋଶୀ ରାଜ୍ୟ ସୀମାରୁ ପ୍ରାୟ ଦଶ କିଲୋମିଟର ବହିଆସି ଏହି ନଦୀଟି ମହାନଦୀରେ ମିଶିଛି। ଏହି ନଦୀ ଜଳ ରାଶି ଉପରେ ସୀମାନ୍ତ ଅଞ୍ଚଳର ତିନୋଟି ପଞ୍ଚାୟତର ଚାଷ ଜମିରେ ଜଳସେଚନ, ମତ୍ସ୍ୟଜୀବୀଙ୍କ ଜୀବିକା ସହିତ ନିତ୍ୟ ବ୍ୟବହାର୍ଯ୍ୟ କର୍ମ ପାଇଁ ନିର୍ଭରଶୀଳ। କେଲୋ ନଦୀ ଉପର ମୁଣ୍ଡରେ ପଡୋଶୀ ରାଜ୍ୟ ଗତ କିଛି ବର୍ଷ ହେବ ଲାଖା ନିକଟରେ ଲାଖା ଡ୍ୟାମ ନିର୍ମାଣ କରି ଏହି ଚିରସ୍ରୋତା ନଦୀର ଜଳଧାରାକୁ ଏକ ପ୍ରକାରେ ବନ୍ଦ କରି ଦେଇଛି। ଯାହାର ପ୍ରଭାବ ନଦୀର ତଳ ମୁଣ୍ଡରେ ଦେଖିବାକୁ ମିଳିଛି। ବର୍ତ୍ତମାନ ପଡୋଶୀ ରାଜ୍ୟ ଏହି ନଦୀରେ ପୁଣି ଏକ ଆନିକଟ ନିର୍ମାଣ ପାଇଁ ଟେଣ୍ଡର ଆହ୍ୱାନ କରିଥିବା ଜଣା ପଡ଼ିଛି।
ଓଡ଼ିଶାର ଜୀବନରେଖା ମହାନଦୀ ସହିତ ପଡୋଶୀ ରାଜ୍ୟ ମହାନଦୀର ଶାଖା ନଦୀ ଗୁଡିକରେ ଅନେକ ବ୍ୟାରେଜ, ଡ୍ୟାମ ନିର୍ମାଣ କରି ଜଳପ୍ରବାହରେ ଏକ ପ୍ରକାର ଲଗାମ ଲଗେଇଛି। ଫଳରେ ମହାନଦୀରେ ନିର୍ଭରଶୀଳ ଶତାଧିକ ମତ୍ସ୍ୟଜୀବୀ ପରିବାରର ଜୀବନ ଜୀବିକାକୁ ପ୍ରଭାବିତ ହୋଇଛି। ହୀରାକୁଦ ନଦୀବନ୍ଧରେ ୧୦ ଦିନ ପୂର୍ବରୁ ଆଦୌ ଜଳପ୍ରବେଶ କରୁ ନ ଥିବା ବେ​‌େ​‌ଳ ଏବେ ବର୍ଷା ଯୋଗୁଁ ଜଳପ୍ରବେଶ ସେକେଣ୍ଡ ପ୍ରତି ୮ହଜାର ୨୧୪ ଘନଫୁଟ(କ୍ୟୁସେକ)କୁ ପହଞ୍ଚିଛି। ସ୍ଥିତି ଯାହା ହେଲାଣି ଉପରମୁଣ୍ଡରେ ମହାନଦୀ ଓ ଏହାର ଉପନଦୀ ଗୁଡ଼ିକ ଏଣିକି ଋତୁକାଳୀନ ନଦୀରେ ପରିଣତ ହେବ। କେବଳ ବର୍ଷା ଦିନେ ହିଁ ନଦୀର ଉପସ୍ଥିତି ଜଣାପଡିବ। ମହାନଦୀ ଜଳ ବିବାଦ ଦୁଇ ରାଜ୍ୟରୁ ବାହାରି କେନ୍ଦ୍ରକୁ ଯିବା ସହ ନ୍ୟାୟାଧିକରଣରେ ପଡିଛି। କେବଳ ଏହା ନିର୍ବାଚନ ପ୍ରସଙ୍ଗ ପାଲଟିଛି। ହେଲେ
ଉପରମୁଣ୍ଡରେ ଛତିଶଗଡ଼ ପଥ ଅବରୋଧ କରି ଚାଲିଥିବାରୁ ଆଗାମୀ ଦିନରେ ସ୍ଥିତି ଅଧିକ ସଂଗୀନ ହେବା ଆଶଙ୍କା କରାଯାଉଛି। ଓଡ଼ିଶା ସରକାର ସକାରାତ୍ମକ ପଦକ୍ଷେପ ଗ୍ରହଣ କରି ନିଜ ଅଧିକାର କ୍ଷେତ୍ରରେ ଥିବା ମହାନଦୀରେ ଆନିକଟ ବା ଅନ୍ୟ ପ୍ରକଳ୍ପ କରିବା ପରିବର୍ତ୍ତେ ଏହି ପ୍ରସଙ୍ଗକୁ ଏକ ଟୁଲ୍ କିଟ୍ ଭାବେ ବ୍ୟବହାର କରୁଛନ୍ତି ବୋଲି ସଚେତନ ବର୍ଗ ଅଭିଯୋଗ କରିଛନ୍ତି।

Comments are closed.