୯୧୦୦କୋଟିର ନିବେଶ ପ୍ରସ୍ତାବକୁ ଅନୁମୋଦନ

କୋଭିଡ଼୍‌ ମୁକାବିଲା ଭିତରେ ଶିଳ୍ପ ପ୍ରତିଷ୍ଠା ଓ ନିଯୁକ୍ତି ଯୋଜନା

୬୫୨୫ ନିଯୁକ୍ତି, ମଜଭୁତ ହେବ ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର, -ମୁଖ୍ୟମନ୍ତ୍ରୀ ଗଠନ କଲେ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟି

ଭୁବନେଶ୍ବର : କୋଭିଡ଼ ମୁକାବିଲା ପାଇଁ ଲଢ଼େଇ ଜାରି ରଖିଥିବା ରାଜ୍ୟ ସରକାର ଇତିମଧ୍ୟରେ ଶିଳ୍ପ ପ୍ରତିଷ୍ଠା ଏବଂ ନିଯୁକ୍ତି ସୃଷ୍ଟିକାରୀ ଯୋଜନାକୁ ତ୍ବରାନ୍ବିତ କରିଛନ୍ତି। ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ମଞ୍ଜୁରୀ କମିଟି ଏବଂ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ସିଙ୍ଗଲ ଉଇଣ୍ଡୋ ମଞ୍ଜୁରି କମିଟି ବୈଠକରେ ମୋଟ ୯୧୦୦.୨୯କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏସବୁ ଶିଳ୍ପ ସଂସ୍ଥା ପ୍ରତିଷ୍ଠା ଜରିଆରେ ୬୫୨୫ରୁ ଅଧିକ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୨୨ତମ ଉଚ୍ଚସ୍ତରୀୟ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକ( ଏଚଏଲସିଏ)ରେ ୮୮୫୦.୧୯କୋଟି ଟଙ୍କାର ୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହା ମାଧ୍ୟମରେ ୫୨୫୦ ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇପାରିବ। ସମ୍ପ୍ରତି ଏବେ ଦେଶବ୍ୟାପୀ ମହାମାରୀ ସ୍ଥିତି ଉପୁଜିଥିବାବେଳେ ଶିଳ୍ପ ଓ ଏମଏସଏମଇ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ଉପରେ ନଜର ରଖିବା ପାଇଁ ମୁଖ୍ୟମନ୍ତ୍ରୀ ଏକ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟି ଗଠନ ବିଷୟ ବୈଠକରେ ଘୋଷଣା କରିଛନ୍ତି । ବଡ଼ଧରଣର ଶିଳ୍ପ ସଂସ୍ଥା ସହିତ ମଧ୍ୟମ ଓ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା ତ୍ବରାନ୍ବିତ କରିବା ପାଇଁ ନିର୍ଦେଶ ଦେଇଛନ୍ତି। ଏଚଏଲସିଏର ସଦସ୍ୟ ଥିବା ମନ୍ତ୍ରୀମାନେ ଆନ୍ତଃ ମନ୍ତ୍ରିସ୍ତରୀୟ କମିଟିର ସଦସ୍ୟ ରହିବେ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ, ଗ୍ରାମ୍ୟ ଉନ୍ନୟନ, ଶ୍ରମ ଓ ଇଏସଆଇ ମନ୍ତ୍ରୀ ସୁଶାନ୍ତ ସିଂହ, ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଏବଂ ଶିଳ୍ପ ଓ ଏମଏସଏମଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଏହି ଗ୍ରୁପର ସଦସ୍ୟ ଅଛନ୍ତି।
ଏହା ପୂର୍ବରୁ ୯୧ତମ ରାଜ୍ୟସ୍ତରୀୟ ସିଙ୍ଗଲ ଉଇଣ୍ଡୋ ମଞ୍ଜୁରୀ କର୍ତ୍ତୃପକ୍ଷ ବୈଠକ ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଦ୍ବାରା ଆଗତ ୨୫୧.୦୯କୋଟି ଟଙ୍କାର ୪ଟି ଅଧିକ ପୁଞ୍ଜିନିବେଶ ପ୍ରସ୍ତାବ ଅନୁମୋଦିତ ହୋଇଛି। ଧାତବ ଓ ଏଥିସହିତ ସଂଶ୍ଳିଷ୍ଟ ଆନୁଷଙ୍ଗିକ ଶିଳ୍ପ, ବୟନ ଓ ପରିଧାନ ଏବଂ ଲଜିଷ୍ଟିକ୍ସ ଏବଂ ଭିତ୍ତିଭୂମି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଏସବୁ ପ୍ରସ୍ତାବ ଆସିଛି। ଏହା ମାଧ୍ୟମରେ ପ୍ରାୟ ୧୨୭୫ଜଣଙ୍କୁ ନିଯୁକ୍ତି ମିଳିବ। ଚାଇନା ସ୍ପୋର୍ଟସ ସୁ ଉତ୍ପାଦନକାରୀ କମ୍ପାନୀର ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଅଛି।
ଏଚଏଲସିଏ ଦ୍ବାରା ମଞ୍ଜୁରିପ୍ରାପ୍ତ ଦୁଇଟି ପୁଞ୍ଜିନିବେଶ ପ୍ରସ୍ତାବ ମଧ୍ୟରେ ରହିଛି ମେସର୍ସ ଧୁନସେରୀ ଭେଞ୍ଚର୍ସ ଲିମିଟେଡ଼ର ରସାୟନିକ ଶିଳ୍ପ ମାଲେଇକ ଆହ୍ନିଡ଼୍ରାଇଡ଼ ମାନୁଫାକ୍ଚରିଙ୍ଗ ୟୁନିଟ। ପାରାଦ୍ବୀପଠାରେ ଏହି ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେବ। ଏଥିରେ ୧୦୧୩କୋଟି ଟଙ୍କାର ନିବେଶ କରାଯିବା ସହିତ ୩୫୦ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ।
ଅନ୍ୟ ପ୍ରସ୍ତାବଟି ହେଉଛି ରୁଙ୍ଗଟା ମାଇନ୍ସର। ଉକ୍ତ ସଂସ୍ଥା ଦ୍ବାରା ସମନ୍ବିତ ଇସ୍ପାତ ପ୍ଲାଣ୍ଟ ପ୍ରକଳ୍ପର ସମ୍ପ୍ରସାରଣ କରାଯିବ। ଏହି ପ୍ରକଳ୍ପର କ୍ଷମତା ୦.୯ଏମଟିପିଏରୁ ୨.୮୫ଏମଟିପିଏକୁ ସମ୍ପ୍ରସାରଣ କରାଯିବ। ଏଥିସହିତ ଦୁଇଟି ପର୍ଯ୍ୟାୟରେ ୩୮୫ମେଗାୱାଟର କ୍ୟାପ୍ଟିଭ ପାୱାର ପ୍ଲାଣ୍ଟ ଏବଂ ୧.୬୯ଏମଟିପିଏ ସିମେଣ୍ଟ ପ୍ଲାଣ୍ଟ ସ୍ଥାପନ ହେବ। ଢ଼େଙ୍କାନାଳର‌ ଝାରବନ୍ଧଠାରେ ଏହା ପ୍ରତିଷ୍ଠା କରାଯିବ। ଏଥିରେ ମୋଟ ୭୮୩୬.୯୦କୋଟି ଟଙ୍କା ବିନିଯୋଗ କରାଯିବ। ଏହି ଶିଳ୍ପ ସଂସ୍ଥା ପ୍ରତିଷ୍ଠା ହେଲେ ପ୍ରାୟ ୪୯୦୦ ଜଣଙ୍କୁ ନିଯୁକ୍ତି ମିଳିବ।
ଅନ୍ୟପକ୍ଷରେ ରାଜ୍ୟସ୍ତରୀୟ ସିଙ୍ଗଲ ଉଇଣ୍ଡୋ ମଞ୍ଜୁରି କମିଟି ଦ୍ବାରା ଅନୁମୋଦିତ ପ୍ରକଳ୍ପ ମଧ୍ୟରେ ରହିଛି ମେସର୍ସ ନି​‌େ​ରନ କୁମାର ଆନନ୍ଦ ସଂସ୍ଥା ଦ୍ବାରା ଜୋତା ଉତ୍ପାଦନ ୟୁନିଟ। ଉକ୍ତ ସଂସ୍ଥା ୬୨.୪୪କୋଟି ଟଙ୍କା ପୁଞ୍ଜିନିବେଶ ଜରିଆରେ ୧ନିୟୁତ ପିସ ଉତ୍ପାଦନ ଦକ୍ଷତା ବିଶିଷ୍ଟ ଶିଳ୍ପ ପ୍ରତିଷ୍ଠା କରିବ। ଏଥିରେ ୬୨.୪୪କୋଟି ଟଙ୍କା ବିନିଯୋଗ ହେବ ଏବଂ ପ୍ରାୟ ୬୨୦ ଜଣ ନିଯୁକ୍ତି ପାଇବେ। ରାଜ୍ୟରେ ଏ ଧରଣର ଏହା ପ୍ରଥମ ଶିଳ୍ପ ଏବଂ ଏହାଦ୍ବରା ଅଧିକ ନିଯକ୍ତି ସୁଯୋଗ ସୃଷ୍ଟି ହେବାର ଲକ୍ଷ୍ୟ ରହିଛି।
ସେହିପରି ମେସର୍ସ କାସଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ଼ ଏହାର ୦.୬ଏମଟିପିଏ ଲୁହାପଥର ପେଲେଟାଇଜେସନ ପ୍ଲାଣ୍ଟ ସହିତ ଏକ ଅତିରିକ୍ତ ୧.୨ଏମଟିପିଏ ଲୁହାପଥର ପ୍ରକଳ୍ପ ପ୍ରତିଷ୍ଠା କରିବ। ଏଥିରେ ୫୫.୨୩କୋଟି ଟଙ୍କାର ପୁଞ୍ଜିନିବେଶ କରାଯିବ ଏବଂ ଏହାଦ୍ବାରା ପ୍ରାୟ ୫୦ଜଣ ନିଯୁକ୍ତି ପାଇବେ।
ରାଜ୍ୟର ମେଟାଲ ଡାଉନଷ୍ଟ୍ରିକ କ୍ଷେତ୍ରକୁ ଅଧିକ ଶକ୍ତିଶାଳୀ କରିବା ଲକ୍ଷ୍ୟରେ ପୁରୋଷ୍ଟିଲ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ଼ ଟ୍ୟୁବ୍ସ ଓ ପିଭିଡ଼ି କୋଟିଂ ପାଇପ, ଆସବାବପତ୍ର ଫାବ୍ରିକେଶନ, ଫିନିସଡ଼ ସିଟ୍ସ ଆଣ୍ଡ ପ୍ରୋଫାଇଲ୍ସ, ଟ୍ରାଇମ୍ସ ପ୍ଲାଣ୍ଟ ଭଳି ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିବ। ଏଥିପାଇଁ ୫୩.୪୨କୋଟି ପୁଞ୍ଜିନିବେଶର ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏହାଦ୍ବାରା ୨୦୦ଜଣଙ୍କୁ ନିଯୁକ୍ତି ମିଳିବ।
ଏଥିସହିତ ଓଡ଼ିଶା କ୍ୟାରିୟର୍ସ ଆଣ୍ଡ ଟ୍ରେଡ଼ ତିନିଟି ଲଜିଷ୍ଟିକ ପାର୍କ ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏଥିପାଇଁ ୮୦କୋଟି ଟଙ୍କା ବିନିଯୋଗ ହେବ ଏବଂ ଏହାଦ୍ବାରା ୪୦୫ଜଣଙ୍କୁ ନିଯୁକ୍ତି ମିଳିବ ବୋଲି ସୂଚନା ଦିଆଯାଇଛି।

Comments
Loading...