ବାଟବଣା ହେଲାଣି କଟକଣା : କୋଭିଡ଼ ପାଇଁ ନୂଆ ନିଯୁକ୍ତିରେ ରୋକ୍ କିନ୍ତୁ ଅବସରପ୍ରାପ୍ତଙ୍କୁ ମିଳୁଛି ପୁନଃନିଯୁକ୍ତି

ଭୁବନେଶ୍ବର : କୋଭିଡ଼ ପାଇଁ ରାଜ୍ୟରେ ନୂଆ ନିଯୁକ୍ତି ଓ ଅବସର ପରେ ପୁନଃନିଯୁକ୍ତି ଉପରେ ରାଜ୍ୟ ସରକାର କଡ଼ା କଟକଣା ଲାଗୁ କରିଥିଲେ ହେଁ ଏହାକୁ ଠିକଣା ଭାବେ ପାଳନ କରାଯାଉ ନାହିଁ। ସରକାରୀ ନିୟମକୁ ମୋଡ଼ିମକଚି ବିଭିନ୍ନ ବିଭାଗରେ ଅବସର ଗ୍ରହଣ କରୁଥିବା ମୁଷ୍ଟିମେୟ ପଦାଧିକାରୀଙ୍କୁ ପୁନଃନିଯୁକ୍ତି ଦେବା ପ୍ରକ୍ରିୟା ଅବ୍ୟାହତ ରହିଛି। ଏପରିକି ପୁନଃନିଯୁକ୍ତି କ୍ଷେତ୍ରରେ ପୂର୍ବରୁ ରାଜ୍ୟ ସରକାର ଯେଉଁସବୁ କଟକଣା ବା ସର୍ତ୍ତାବଳି ଜାରି କରିଥିଲେ ତାହା ମଧ୍ୟ ପାଳନ କରାଯାଉ ନାହିଁ।

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦେବା କ୍ଷେତ୍ରରେ ୨୦୧୨ରେ ଅର୍ଥ ବିଭାଗ ପକ୍ଷରୁ କେତେକ ସର୍ତ୍ତାବଳି ଜାରି ହୋଇଥିଲା। କେବଳ ମଞ୍ଜୁରିପ୍ରାପ୍ତ ପଦ ଖାଲିଥିବା କ୍ଷେତ୍ରରେ ଏହା ଦିଆଯାଇପାରିବ ଏବଂ ଅର୍ଥ ବିଭାଗ ଅନୁମୋଦନ ଆଧାରରେ ପୁନଃନିଯୁକ୍ତ କର୍ମଚାରୀଙ୍କ ସାନ୍ତ୍ବନା ମୂଳକ ପାରିଶ୍ରମିକ ଧାର୍ଯ୍ୟ କରାଯିବ ବୋଲି କୁହାଯାଇଥିଲା। କିନ୍ତୁ ଅଧିକାଂଶ କ୍ଷେତ୍ରରେ ମଞ୍ଜୁରିପ୍ରାପ୍ତ ପଦ ନଥାଇ କେତେକ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଉପଦେଷ୍ଟା, ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ଏ କ୍ଷେତ୍ରରେ ଅବସରପ୍ରାପ୍ତଙ୍କ ପାରିଶ୍ରମିକ ଏଭଳି ଭାବେ ଧାର୍ଯ୍ୟ କରାଯିବା କଥା ଯେପରିକି ତାହା ଯେପରି ତାଙ୍କର ଅବସର ସମୟ ସୁଦ୍ଧା ପାଉଥିବା ରାଶିକୁ ଟପି ନଯାଏ। ହେଲେ ଏବେ ଯେଉଁ ପୁନଃ ନିଯୁକ୍ତି ଦିଆଯାଉଛି ସେଥିରେ ସେସବୁକୁ ଉପେକ୍ଷା କରାଯାଉଥିବା ଲକ୍ଷ୍ୟ କରାଯାଉଛି।

ଗତ ମେ ୧୩ରେ ଅତିରିକ୍ତ ସଚିବ ପଦରେ ଓଏସଡ଼ି ଭାବେ ନିଯୁକ୍ତ ଜଣେ ଅଧିକାରୀଙ୍କୁ ଅର୍ଥ ବିଭାଗରେ ଏକ ବର୍ଷ ପାଇଁ ପୁନଃନିଯୁକ୍ତି ଦିଆଯାଇଥିବାବେଳେ ସେ ଚାକିରି ଶେଷ ପର୍ଯ୍ୟନ୍ତ ପାଉଥିବା ସମସ୍ତ ସୁବିଧା ଓ ଭତ୍ତା ପ୍ରଦାନର ବ୍ୟବସ୍ଥା ହୋଇଛି। ଏପରିକି ତାଙ୍କୁ ସରକାରୀ ଘର ନଚେତ ଘରଭଡ଼ା ଦେବାର ବ୍ୟବସ୍ଥା କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। କେବଳ ଅର୍ଥ ବିଭାଗ ନୁହେଁ ରାଜସ୍ବ, ଖଣି ଓ ଅନ୍ୟ କେତେକ ବିଭାଗରେ ମଧ୍ୟ ଅବସରପ୍ରାପ୍ତ କର୍ମଚାରୀ ବା ଅଧିକାରୀଙ୍କୁ ମୋଟା ଅଙ୍କର ପାରିଶ୍ରମିକ ସହିତ ଅନ୍ୟାନ୍ୟ ଭତ୍ତା ଦିଆଯାଇ ନିଯୁକ୍ତି ଦିଆଯାଉଛି। ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃନିଯୁକ୍ତି ‌େକ୍ଷତ୍ରରେ କେଉଁସବୁ ନିୟମାବଳି ପାଳନ କରାଯିବ ଏ ନେଇ ୨୦୧୮ରେ ଅର୍ଥ ବିଭାଗ ପକ୍ଷରୁ ଏକ ସ୍ପଷ୍ଟ ନିୟମାବଳି ଜାରି ହୋଇଥିଲା। ତଦନୁସାରେ ଅବସର ପରେ ପୁନଃ ନିଯୁକ୍ତି ଦିଆଗଲେ କେବଳ ସାନ୍ତ୍ବନାମୂଳକ ପାରିଶ୍ରମିକ ଦିଆଯିବ ବୋଲି କୁହାଯାଇଥିଲା। ରେମୁନରେସନ ବାବଦରେ ପେନସନକୁ ବାଦ ଦେଇ ପ୍ରଥମ ଶ୍ରେଣୀ ପାଇଁ ୪୨ହଜାର, ଦ୍ବିତୀୟ ଶ୍ରେଣୀ ପାଇଁ ୩୦, ତୃତୀୟ ୧୩ ଓ ଚତୁର୍ଥ ଶ୍ରେଣୀ ପାଇଁ୬,୫୦୦ ଟଙ୍କା ଧାର୍ଯ୍ୟ ହୋଇଥଲା। ପୁଣି କେବଳ କେତେକ ସ୍ବତନ୍ତ୍ର କ୍ଷେତ୍ରରେ ନିର୍ଦିଷ୍ଟ ସମୟ ପାଇଁ କାର୍ଯ୍ୟଦକ୍ଷ, ମେଧାକୁ ଗୁରୁତ୍ବ ଦିଆଯାଇ ଅର୍ଥ ବିଭାଗର ଅନୁମୋଦନ ପରେ ହିଁ ପୁନଃ ନିଯୁକ୍ତି ଦେବାକୁ କୁହାଯାଇଥିଲା। କିନ୍ତୁ ଏଥିପ୍ରତି କେହି ଧ୍ୟାନ ଦେଉନାହାନ୍ତି।

କୋଭିଡ଼ ସମୟରେ ରାଜ୍ୟ ସରକାରଙ୍କ ଏକାଧିକ ବିଭାଗ ବହୁ ସଂଖ୍ୟକ ଅବସରପ୍ରାପ୍ତ ଅଧିକାରୀଙ୍କୁ ପୁନଃନିଯୁକ୍ତି ଦିଆଯାଇଛି। କାହାକୁ ଓଏସଡ଼ି ତ ଆଉ କାହାକୁ ପରାମର୍ଶଦାତା ବା ଅତିରିକ୍ତ ସଚିବ ଭଳି ଗୁରୁତ୍ବପୂର୍ଣ୍ଣ ପଦରେ ଅବସ୍ଥାପିତ କରାଯାଇଛି। ଅବଶ୍ୟ ରାଜ୍ୟ ସରକାର ଦକ୍ଷତାକୁ ଆଧାର କରି ଏ କ୍ଷେତ୍ରରେ ଅର୍ଥ ବିଭାଗର ଅନୁମୋଦନ କ୍ରମେ କିଛି କୋହଳ ନୀତି ଆପଣାଇଛନ୍ତି। ମାତ୍ର ସରକାରଙ୍କ ଦ୍ବାରା ଧାର୍ଯ୍ୟ ନିୟମାବଳିର ଗଳାବାଟ ଦେଇ କିଛି ମୁଷ୍ଟିମେୟ ଅଧିକ ସମୟ ଧରି ଚାକିରି କରୁଛନ୍ତି। ବାରମ୍ବାର ସେମାନଙ୍କ ଚାକିରି କାଳ ସମ୍ପ୍ରସାରଣ କରାଯାଉଛି। ଏପରିକି କିଛି ଅଧିକାରୀଙ୍କ ଚାକିରି କାଳ ୫ଥରରୁ ଅଧିକ ସମ୍ପ୍ରସାରଣ କରାଗଲାଣି। ନିକଟରେ ଏ ନେଇ ଖବର ପ୍ରକାଶ ପାଇବା ପରେ କିଛି ନିଯୁକ୍ତି ପ୍ରକ୍ରିୟା ଉପରେ ଖୋଳତାଡ଼ କରାଯାଇଥିଲା। ହେଲେ ରାଜ୍ୟ ସରକାର ଏ କ୍ଷେତ୍ରରେ କଡ଼ା ପଦକ୍ଷେପ ଗ୍ରହଣ କରୁ ନଥିବାରୁ ସରକାରଙ୍କ କଟକଣା ବାଟବଣା ହୋଇଯାଉଛି।

ଇତିମଧ୍ୟରେ ଅର୍ଥ ବିଭାଗ ପକ୍ଷରୁ ଜାରି ଆର୍ଥିକ କଟକଣାକୁ ଦୃଷ୍ଟିରେ ରଖି କିଛି ବିଭାଗ ସେମାନଙ୍କୁ ଖାଲି ପଦରେ ନିଯୁକ୍ତି ଦେବା ଉପରେ ରୋକ ଲଗାଇଛନ୍ତି। ରାଜ୍ୟ ସରକାରଙ୍କ ଗୋପବନ୍ଧୁ ପ୍ରଶାସନିକ ଏକା‌େ‌ଡ଼ମୀରେ ନୂଆ ପଦ ସୃଷ୍ଟି ଏବଂ ପଦୋନ୍ନତିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏ ସମ୍ପର୍କରେ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ପ୍ରଶାସନିକ ଏକା‌େ‌ଡ଼ମୀକୁ ଚିଠି ଲେଖାଯାଇଛି। ସେହିପରି ବାଣିଜ୍ୟ କର ଓ ଜିଏସଟି କମିଶନରେଟରେ ସିନିୟର ପ୍ରାଇଭେଟ ସେକ୍ରେଟାରୀ ଓ ପ୍ରାଇଭେଟ ସେକ୍ରେଟାରୀ ପଦ ସୃଷ୍ଟି ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି।

Comments are closed.