ଦିଲ୍ଳୀ ପୁଲିସ୍‍ ସହାୟତା ନମ୍ବର ବଦଳିଲା, ଏବେ ୧୦୦ ନୁହେଁ ୧୧୨ରେ କରିବାକୁ ପଡ଼ିବ କଲ୍‍

ନୂଆଦିଲ୍ଳୀ : ବୁଧବାରଠାରୁ ଦିଲ୍ଲୀ ପୁଲିସ୍‍ ସହାୟତା ନମ୍ବର ବଦଳି ଯାଇଛି। ଏବେ ପୁଲିସ୍‍ର ସହାୟତା ପାଇଁ ଦିଲ୍ଲୀବାସୀଙ୍କୁ ୧୦୦ ପରିବର୍ତ୍ତେ ୧୧୨ ନମ୍ବରରେ କଲ୍‍ କରିବାକୁ ପଡ଼ିବ।

ଏହି ଫୋନ ନମ୍ବର ଆମ୍ବୁଲାନ୍ସ, ଅଗ୍ନିଶମ ଏବଂ ପୁଲିସ୍‍ର ଜରୁରୀକାଳନୀ ସୁବିଧା ପାଇଁ ଉପଲବ୍ଧ ରହିବ। ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀର ଶୁଭାରମ୍ଭ ସହ ବୁଧବାରଠାରୁ ନୂଆ ଫୋନ ନମ୍ବର ଲାଗୁ କରାଯାଇଛି। ଏହି ପ୍ରଣାଳୀରେ ଲୋକଙ୍କ ସୁବିଧା ପାଇଁ ପୁଲିସ୍‍ ସହାୟତା ନମ୍ବର (୧୦୦), ଦମକଳ (୧୦୧) ଏବଂ ଆମ୍ବୁଲାନ୍ସ (୧୦୮)କୁ ନୂଆ ସହାୟତା ନମ୍ବର ୧୧୨ରେ ସଂଯୋଗ କରିଦିଆଯାଇଛି। ଏହା ପୂର୍ବରୁ ବିଭିନ୍ନ ଜରୁରୀକାଳୀନ ସେବା ପାଇଁ ୨୦ରୁ ଊର୍ଦ୍ଧ୍ବ ନମ୍ବର ଥିଲା। ବିଭିନ୍ନ ସମୟରେ ଅନେକ ଜରୁରୀକାଳୀନ ନମ୍ବର ବ୍ୟସ୍ତ ଦେଖାଥବା କାରଣରୁ ସେବା ମିଳିବା ସମ୍ଭବପର ହେଉନଥିଲା। ଏହି ନୂଆ ପ୍ରଣାଳୀ ଲାଗୁ ହେବା ପରେ ଲୋକେ କେବଳ ୧୧୨ ନମ୍ବରରେ କଲ୍‍ କରି ସମସ୍ତ ସେବା ପାଇପାରିବେ।
ଉଲ୍ଲେଖଯୋଗ୍ୟ ଯ ସେପ୍ଟେମ୍ବର ୨୦ରେ ଚଣ୍ଡିଗଡ଼ରେ ଗୃହ ମନ୍ତ୍ରୀ ଅମିତ ଶାହା ଦେଶର ପ୍ରଥମ ଏକୀକୃତ ଜରୁରୀକାଳୀନ ପ୍ରତିକ୍ରିୟା ସହାୟତା ପ୍ରଣାଳୀର ଶୁଭାରମ୍ଭ କରିଥିଲେ। ଏହା ଲାଗୁ ହେବା ପରେ ଲୋକଙ୍କୁ ଅଲଗା ଅଲଗା ପରିସ୍ଥିତି ପାଇଁ ପୃଥକ ପୃଥକ ନମ୍ବରରେ କଲ କରିବାକୁ ପଡ଼ିବ ନାହିଁ।

Comments are closed.