ନୂତନ ଶିକ୍ଷା ନୀତି : ନୂତନ ଆଶା ଏବଂ ପୁରୁଣା ସମସ୍ୟାର ସମୀକରଣ

ଦୀର୍ଘଦିନର କଳ୍ପନା ଜଳ୍ପନା ଏବଂ ଆଲୋଚନା ପରେ ଗତ ଜୁଲାଇ ୨୯ ତାରିଖରେ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ କେନ୍ଦ୍ରୀୟ କ୍ୟାବିନେଟ ନୂତନ ଶିକ୍ଷା ନୀତି (ଏନ୍‌ଇପି) ୨୦୨୦ କୁ ଅନୁମୋଦନ କରିଛି । ଏଥିସହିତ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ କୁ ପୁନଃନାମିତ କରାଯାଇଶିକ୍ଷାମନ୍ତ୍ରାଳୟରଖାଯାଇଛି। ନିଶ୍ଚିତ ରୂପେ ଏହି ପରିବର୍ତ୍ତନ ସରକାରଙ୍କ ଶିକ୍ଷାପ୍ରତି ଥିବା ଆଭିମୁଖ୍ୟ,ସଂକଳ୍ପ ଏବଂ ଉତ୍ସର୍ଗୀକୃତତାକୁ ଦର୍ଶାଉଛି। ଏହା ବି ଏଠାରେ ଉଲ୍ଲେଖ କରିବା ଯଥାର୍ଥ ହେବ ଯେ,ଏକବିଂଶ ଶତାବ୍ଦୀର ଏହା ହେଉଛି ପ୍ରଥମ ଶିକ୍ଷା ନୀତି ଯାହା ଦୀର୍ଘ ୩୪ ବର୍ଷର ବ୍ୟବଧାନ ପରେ ଅନୁମୋଦନ ଲାଭ କରିଛି । ପ୍ରବେଶ, ସମାନତା , ଗୁଣବତ୍ତା, ସୁଲଭତା ଏବଂ ଉତ୍ତରଦାୟିତ୍ୱ ଭଳି ସ୍ଥାୟୀ ଓ କ୍ରମାନ୍ୱୟ ବିକାଶର ପାଞ୍ଚଟି ମୂଳ ସ୍ତମ୍ବ ଉପରେ ନିର୍ମିତ ଏହି ନୀତି ଜରିଆରେ, ୨୦୪୦ସୁଦ୍ଧା ଭାରତକୁ ଏକ ଆତ୍ମନିର୍ଭରଶୀଳ ତଥା ଜ୍ଞାନବିଶ୍ୱଗୁରୁ ରେ ପରିଣତ କରିବା ପାଇଁ ଲକ୍ଷ ନିର୍ଧାରଣ କରାଯାଇଛି।

ନୂତନ ଶିକ୍ଷା ନୀତି ୨୦୨୦, ଶିକ୍ଷା କ୍ଷେତ୍ରରେ କିଛି ମୌଳିକ ପରିବର୍ତ୍ତନ ଓ ସାମୁହିକ ସଂସ୍କାର ଦିଗରେ ସରକାରଙ୍କୁ କିଛି ପ୍ରସ୍ତାବ ଦେଇଛି ଯାହା ଆଗାମୀ ଦିନରେ ଶିକ୍ଷା ର ପରିସରକୁ ଅଧିକ ବ୍ୟାପକ ଏବଂ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପସନ୍ଦ, ଉତ୍ସାହ ଏବଂ ଦକ୍ଷତା ଅନୁଯାୟୀ ପାଠ୍ୟକ୍ରମର ପରିସର ବାହାରେ ଅନୁସନ୍ଧାନ ପାଇଁ ଅନନ୍ୟ ସୁଯୋଗ ପ୍ରଦାନ କରିବ। ଏଥିସହିତ, ଶିକ୍ଷା ନୀତିରେ ନୂତନ ଭାବେ ପରିକଳ୍ପିତ ପରିବର୍ତ୍ତନୀୟ ପାଠ୍ୟକ୍ରମ, ଛାତ୍ରଛାତ୍ରୀମାନଙ୍କୁ ମାଧ୍ୟମିକ ସ୍ତରରେ ରହିଥିବା ବିଷୟଗତ ପ୍ରତିବନ୍ଧକ ରୁ ମୁକ୍ତକରିପାରିବ। ଫଳ ସ୍ୱରୂପ ବାଣିଜ୍ୟ , କଳା, ବିଜ୍ଞାନ ଓ ବୃତ୍ତିଗତ ଶିକ୍ଷା ମଧ୍ୟରେ ବିଶେଷ କିଛି ପ୍ରଭେଦ ରହିବ ନାହିଁ , ଫଳରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବିଷୟ ପରିବର୍ତ୍ତନ ଓ ପସନ୍ଦ କରିବାର ସମ୍ପୂର୍ଣ ସମ୍ଭାବନା ରହିବ । ଭବିଷ୍ୟତରେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ମଧ୍ୟରେ ଆବୃତ ରହିଥିବା ଶିକ୍ଷା ବ୍ୟବସ୍ତା ର ପରିସର କୁ ଅଧିକ ବ୍ୟାପ୍ତ କରାଯାଇ ଅନ୍ତତଃ ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ଛାତ୍ରଛାତ୍ରୀ ମାନଙ୍କୁ ବହୁବିଷୟ ଚୟନ କରିବା ପ୍ରକ୍ରିୟାକୁ ତ୍ୱରାନ୍ନିତକରାଯାଇପାରିବ । ଏହା ଶିକ୍ଷାକୁ ଅଧିକ ଆକର୍ଷଣୀୟ କରିବ ଏବଂ ଆଗମୀଦିନରେ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅଧିକ ନିଯୁକ୍ତି ସୃଷ୍ଟି କରିପାରିବ ।
୨୦୨୦ ର ଏହି ନୂତନ ଶିକ୍ଷା ନୀତିର ଅନ୍ୟ ପ୍ରମୁଖ ପରିବର୍ତ୍ତନ ମଧ୍ୟରେ ,ଅନ୍ୟତମ ମୌଳିକ ପରିବର୍ତ୍ତନଟି ଶିକ୍ଷା ଢାଞ୍ଚା ସ୍ତରରେ କରାଯାଇଛି । ଦୀର୍ଘ ୩୮ ବର୍ଷରୁ ଚାଲିଆସୁଥିବା ୧୦+୨ ଶିକ୍ଷା ଢାଞ୍ଚା କୁ ବଦଳାଇ ୫+୩+୩+୪ ଏକ ନୂତନ ଶିକ୍ଷା ଢାଞ୍ଚା ର ପରିକଳ୍ପନା କରାଯାଇଛି । ଏହାଛଡା ,ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ୟ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀଙ୍କୁ ମାତୃଭାଷା ଅଥବା ଆଞ୍ଚଳିକ ଭାଷା ମାଧ୍ୟମରେ ଶିକ୍ଷ୍ୟା ଦାନ ବ୍ୟବସ୍ଥାକୁ ଯଥାସମ୍ଭବ କାର୍ୟ୍ୟକାରିତା କରିବା ଦିଗକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ନିଶ୍ଚିତ ଭାବେ ଏହି ବହୁଭାଷୀ ଯୋଜନା, ଭାଷା ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସୁଥିବା ପିଲାମାନଙ୍କ ପାଇଁ ଏକ ବରଦାନ ହେବ ଏବଂ ଏହା ଶିକ୍ଷାର ମାନକୁ ବହୁଗୁଣିତ କରିପାରିବ। ଏଥିସହିତ ବ୍ୟାପକ ଭାବେ ଶିକ୍ଷାର ମାନ ଉନ୍ନତି ସକାଶେ ଶିକ୍ଷକ ମାନଙ୍କ କୌଶଳ ବିକାଶ, ଡିଜିଟାଲ ସାକ୍ଷରତା , ସୃଜନଶୀଳତା ଏବଂ ଅନ୍ୟାନ୍ୟ ବୈଷୟିକ ଦିଗର ବିକାଶ ନିମନ୍ତେ ବହୁ ଯୋଜନାର ପରିକଳ୍ପନା କରାଯାଇଛି, ଯାହା ଦେଶରେ ଆଗାମୀ କାଳରେ ଏକ ଗୁଣବତ୍ତା ଶିକ୍ଷାର ଭିତି ପ୍ରସ୍ତର କୁ ଅଧିକସଦୃଢ଼ କରିପାରିବ ।
ନୂତନ ଶିକ୍ଷା ନୀତିର ସବୁଠାରୁ ଆକର୍ଷଣୀୟ ପରିବର୍ତ୍ତନ, ଶିକ୍ଷା ପଦ୍ଧତିର ମୂଲ୍ୟାଙ୍କନ କ୍ଷେତ୍ରରେ ଦେଖିବାକୁ ମିଳିଛି । ଶିକ୍ଷା ର ଗୁଣବତ୍ତା ଓ ସାରା ଦେଶରେ ଛାତ୍ରଛାତ୍ରୀ ମାନଙ୍କର ଶିକ୍ଷାଗତ ଅନୁଭୂତିକୁ ଆକଳନ କରିବା ସକାଶେ ଜାତୀୟ ମୂଲ୍ୟାଙ୍କନ କେନ୍ଦ୍ର ନାମରେ ଏକ ସ୍ୱତନ୍ତ ବିଭାଗ ଗଢାଯାଇଛି । ମୁଖ୍ୟତଃ ଏହି ବିଭାଗ ଛାତ୍ରଛାତ୍ରୀ ମାନଙ୍କର ଜ୍ଞାନର ମୂଲ୍ୟାଙ୍କନ, ସମୀକ୍ଷା ଏବଂ ବିଶ୍ଳେଷଣ କରିବ । ଏ ସହିତ  ସମଗ୍ର ଦେଶରେ ଥିବା ୬୦ ଟି ଶିକ୍ଷାଗତ ବୋର୍ଡକୁ ସହାୟତା କରିବ ଏବଂ ବିଦ୍ୟାଳୟ ଗୁଡିକର ମାନକରଣ ପ୍ରକ୍ରିୟା କୁ କାର୍ୟ୍ୟକାରି କରିବ । ମୂଲ୍ୟାଙ୍କନ କ୍ଷେତ୍ରରେ ଏହି ସଂସ୍କାର , ସମସ୍ତ ବୋର୍ଡ ର ଫଳାଫଳ କୁ ଏକ ନିଦ୍ଧିଷ୍ଟ ପ୍ରକ୍ରିୟା ମାଧ୍ୟମରେ ଏକତ୍ରିତ କରିପାରି ବିଭିନ୍ନ ବୋର୍ଡ଼ ଦ୍ୱାରାପରିଚାଳିତ ଭିନ୍ନ ଭିନ୍ନ ମୂଲ୍ୟାଙ୍କନ ପଦ୍ଧତି ନିୟମକୁ ବଦଳାଇ ପାରିବ। ସୁତରାଂ, ଏହି ପରିବର୍ତ୍ତନ , ବୋର୍ଡ଼ ଫଳାଫଳକୁ ନେଇ ଧାର୍ୟ୍ୟ କରାଯାଉଥିବା ଉଚ୍ଚଶିକ୍ଷା କ୍ଷେତ୍ରରେ ପ୍ରଚଳିତ ଥିବା ପ୍ରବେଶ ନୀତିକୁ ଅଧିକ ନିରପେକ୍ଷ କରିବାରେ ସାହାଯ୍ୟ କରିବ।

ନୂତନ ଶିକ୍ଷା ନୀତି, ଶିକ୍ଷା ର ସଂସ୍କାର ନିମନ୍ତେ ବହୁ ନୂତନ ଚିନ୍ତାଧାରା, ପ୍ରସ୍ତାବ ଏବଂ ଯୋଜନା କରିଛିଜ୍ଝ ମାତ୍ର, ଭାରତ ଭଳି ଏକ ବୃହତ ରାଷ୍ଟ୍ରରେ ଏହି ସବୁ ନୂତନ ଚିନ୍ତାଧାରା ଏବଂ ଯୋଜନାକୁ କାର୍ୟ୍ୟକାରୀ କରିବା ସକାଶେ ଯେଉଁ ଆମୂଳ ଚୂଳ ଚିନ୍ତନ ଏବଂ ଉତ୍କୃଷ୍ଟ ମାର୍ଗ ଦର୍ଶିକା ର ଆବଶ୍ୟକତା ରହିଛି , ତାହା ଏହି ନୂତନ ଶିକ୍ଷା ନୀତିରେ ଏତେ ସ୍ପଷ୍ଟ ଭାବେ ପରିଲିକ୍ଷିତ ହୋଇନାହିଁ। ଉଦାହରଣ ସ୍ୱରୂପ , ନୂତନ ଶିକ୍ଷା ନୀତିରେ ମାତୃଭାଷା ଭିତ୍ତିକ ଶିକ୍ଷାକୁ ଯଥାସମ୍ଭବ ଦେଶର ସମସ୍ତ ବିଦ୍ୟାଳୟରେ ନ୍ୟୁନତଃ ପଞ୍ଚମ ଶ୍ରେଣୀପର୍ୟ୍ୟନ୍ତ ଲାଗୁକରାଯିବା ପ୍ରତିଶୃତି, ଦେଶର ସାମ୍ପ୍ରତିକ ଭାଷା ଜଟିଳତାକୁ ଅଣଦେଖା କଲାଭଳି ମନେହେଉଛି। ବିଗତ ତିନି ଦଶନ୍ଧି ମଧ୍ୟରେ ପ୍ରାଥମିକ ସ୍ତରରେ ମାତୃଭାଷା ଭିତିକ ଶିକ୍ଷା କୁ କଡାକଡି ଭାବେ ପ୍ରଚଳନ କରିବା ପାଇଁବହୁତ ଯୋଜନା କରାଯାଇଛିଏବଂ ସରକାରଙ୍କଠାରୁ ପ୍ରତିଶୃତି ମଧ୍ୟ ମିଳିଛି , ମାତ୍ର ସବୁ ଯୋଜନା ବିଦ୍ୟାଳୟ ଗୁଡିକରେ ସ୍ଥାନୀୟ କିମ୍ବା ମାତୃ ଭାଷାକୁ ପ୍ରଚଳନ କରିବାରେ ସମ୍ପୂର୍ଣ ବିଫଳ ହୋଇଛନ୍ତି। ତେଣୁ ସାମ୍ପ୍ରତିକ ପରିସ୍ଥିତିରେ ମାତୃଭାଷାକୁ ନେଇ ନୂଆ ଶିକ୍ଷା ନୀତିରେ କରାଯାଇଥିବା ଯୋଜନାଆଡ଼ମ୍ବରପୂର୍ଣ୍ଣ ଓ ଅବାସ୍ତବିକ ମନେହେଉଛି।

ଭାରତୀୟ ସାମ୍ବିଧାନିକ ବ୍ୟବସ୍ଥାଅନୁଯାୟୀ, ଶିକ୍ଷା କ୍ଷେତ୍ରରେ ସଂସ୍କାର ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେହିଁ ସମ୍ଭବପର ହୋଇଥାଏ। ତେବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନୁମୋଦିତ ଏହି ନୂତନ ଶିକ୍ଷା ନୀତି, ରାଜ୍ୟ ସ୍ତରରେ ଅଣାଯିବାକୁ ଥିବା ଶିକ୍ଷା ଗତ ସଂସ୍କାର, ଯଥା ବିଦ୍ୟାଳୟ ସ୍ତରରେ ତ୍ରି-ଭାଷୀ ସୂତ୍ର ର ପ୍ରଚଳନ, ଭାଷା ଶିକ୍ଷକଙ୍କ ନିଯୁକ୍ତି ଏବଂ କୌଶଳ ବିକାଶ ଓ ମୂଲ୍ୟାଙ୍କନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଭୂମିକାକୁ ଅତି ଗୌଣ ସ୍ଥାନ ପ୍ରଦାନ କରିଛି। ତେବେ ପ୍ରଶ୍ନ ଉଠେ, ଭାଷା ଭଳି ଏକ ସମ୍ବେଦନଶୀଳ କ୍ଷେତ୍ରରେ ରାଜ୍ୟ ମାନଙ୍କ ଭୂମିକା ଏବଂ ମତାମତ କୁ ଭାରତ ଭଳି ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ କିପରି ଅଣଦେଖା କରାଯାଇପାରେ? ରାଜ୍ୟ ମାନଙ୍କ ବିନା ସ୍ପିକୃତିରେ ଜାତୀୟ ଶିକ୍ଷାନୀତି କୁ କ’ଣ ସାରା ଦେଶରେ କାର୍ୟ୍ୟକାରୀ କରାଯାଇପାରେ? ଏମିତି ବହୁ ପ୍ରଶ୍ନ କୁ, ନୂତନ ଶିକ୍ଷା ନୀତି ଏକପ୍ରକାର କହିବାକୁ ଗଲେ ଉପେକ୍ଷିତ କରିଛି, ଯାହା ଆଗାମୀ ଦିନରେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଶିକ୍ଷା ନୀତିକୁ ନେଇ ମନମାଳିନ ସୃଷ୍ଟିକରିପାରେ। ତେବେ ମୋଟାମୋଟି କହିବାକୁ ଗଲେ ନୂତନ ଶିକ୍ଷା ନୀତି ଭଳି ଏକ ସୁନ୍ଦର ପରିକଳ୍ପନା କୁ ସୁଚାରୁ ରୂପେ ରୂପାୟନ କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ସମନ୍ୱୟ ରହିବା ନିତାନ୍ତ ଆବଶ୍ୟକ ଓ ଏଥିସହିତ ଶିକ୍ଷା ଅଧିକାରୀ , ଶିକ୍ଷକ , ଅଭିଭାବକ ଓ ଗୋଷ୍ଟିର ମିଳିତ ପ୍ରୟାସରେ ହିଁ ଏହି ନୀତିକୁ କାର୍ୟ୍ୟକାରି କରାଯାଇପାରିବ।

ଡା.ପ୍ରଦୀପ କୁମାର ମିଶ୍ର, ( ଗ୍ରେଟର ନୋଏଡା,ପଶ୍ଚିମ, ଏନ୍‌ସିଆର)

ଯୋଗାଯୋଗ-୯୮୯୯୭୪୮୮୨୮

 

Comments are closed.