ସରକାରଙ୍କୁ କେନ୍ଦ୍ର ସୂଚନା କମିସନଙ୍କ ନୋଟିସ; ‘ଆରୋଗ୍ୟ ସେତୁ’ର ପ୍ରସ୍ତୁତକର୍ତ୍ତା କିଏ ଜଣାଅ

ନୂଆଦିଲ୍ଲୀ : କରୋନା ସଂକ୍ରମଣଜନିତ ସୂଚନା ପ୍ରଦାନ ଓ ସଚେତନତା ପାଇଁ ଭାରତ ସରକାର ପ୍ରସ୍ତୁତ କରିଥିବା ‘ଆରୋଗ୍ୟ ସେତୁ’ ଆପ୍‌ର ପ୍ରସ୍ତୁତକର୍ତ୍ତାଙ୍କ ସମ୍ପର୍କରେ ସମ୍ପୃକ୍ତ ମନ୍ତ୍ରଣାଳୟ ନିକଟରେ କୌଣସି ତଥ୍ୟ ନାହିଁ। ଏ ନେଇ କେନ୍ଦ୍ର ସୂଚନା କମିସନ୍ ବୁଧବାର ସରକାରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ‘ନ୍ୟାସନାଲ୍‌ ଇନ୍‌ଫ​‌​‌ର୍ମେଟିକ୍ସ ସେଣ୍ଟର’ ଓ ସୂଚନା-ପ୍ରଯୁକ୍ତି ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ଘରୋଇ ସହାୟତାରେ ଏହି ଆପ୍‌ ବିକଶିତ ହୋଇଛି ବୋଲି ପୂର୍ବରୁ ସରକାରୀ ଭାବେ କୁହାଯାଇଥିଲା ଏବଂ ଆରୋଗ୍ୟ ସେତୁ ୱେବ୍‌ସାଇଟ୍‌ରେ ମଧ୍ୟ ଏହା ସୂଚିତ ହୋଇଛି। ଏହା ସତ୍ତ୍ବେ ସୂଚନା ଅଧିକାର ଆଇନ ବଳରେ ଆସିଥିବା ସୌରଭ ଦାସଙ୍କ ପକ୍ଷରୁ ଏକ ଅନୁସନ୍ଧାନର ଉତ୍ତରରେ ଉଭୟ ସରକାରୀ ପ୍ରସ୍ତୁତକର୍ତ୍ତା ଏହାକୁ ଅସ୍ବୀକାର କରିଛନ୍ତି। ଏଥିଯୋଗୁଁ ଉକ୍ତ ଆପ୍‌ର ପ୍ରସ୍ତୁତକର୍ତ୍ତା ବାସ୍ତବରେ କିଏ ବୋଲି ସରକାରଙ୍କଠାରୁ ଜବାବ ଲୋଡ଼ିଛନ୍ତି ସୂଚନା କମିସନ୍। କର୍ତ୍ତୃପକ୍ଷଙ୍କ ଉତ୍ତର ଗ୍ରହଣୀୟ ହୋଇ ନ ଥିବାରୁ ବାସ୍ତବ ତଥ୍ୟ କ’ଣ ଏବଂ ଏ ସମ୍ପର୍କିତ ଫାଇଲ୍‌ କେଉଁଠାରେ ବୋଲି ନୋଟିସରେ କମିସନ ପ୍ରଶ୍ନ କରିଛନ୍ତି। ଏଥିସହିତ ନଭେମ୍ବର ୨୪ରେ ହାଜର ହେବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ କମିସନ ନିର୍ଦେଶ ଦେଇଛନ୍ତି।

Comments are closed.