ଶିକ୍ଷାନୁଷ୍ଠାନରେ ପରୀକ୍ଷା ଓ ଖାତା ମୂଲ୍ୟାୟନ ଘୁଞ୍ଚାଇବାକୁ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ନିର୍ଦ୍ଦେଶ

ନୂଆଦିଲ୍ଲୀ : ନୋଭେଲ କରେନା ଭୂତାଣୁ (କୋଭିଡ-୧୯) ସଂକ୍ରମଣକୁ ଦୃଷ୍ଟିରେ ରଖି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ବିଶ୍ୱବିଦ୍ୟାଳୟ ମଞ୍ଜୁରି ଆୟୋଗ ପକ୍ଷରୁ ବିଭିନ୍ନ ସମୟରେ ମଞ୍ଜୁରିପ୍ରାପ୍ତ ବିଶ୍ୱବିଦ୍ୟାଳୟ ଏବଂ ଏହା ଅଧୀନରେ ଥିବା ମହାବିଦ୍ୟାଳୟଗୁଡ଼ିକ ପାଇଁ ମାର୍ଗଦର୍ଶିକା ଜାରି କରାଯାଇଛି। ଏହାବ୍ୟତୀତ କୋଭିଡ-୧୯ର ମୁକାବିଲା ଲାଗି ଅଧିକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଲାଗି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଅଧୀନ ଉଚ୍ଚ ଶିକ୍ଷା ସଚିବ ଏକ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି। ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ୟୁଜିସି ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ କୁହାଯାଇଛି:

୧- ସମସ୍ତ ବିଶ୍ୱବିଦ୍ୟାଳୟ ପରୀକ୍ଷା ଘୁଞ୍ଚାଇ ୩୧ ମାର୍ଚ୍ଚ, ୨୦୨୦ ପରେ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

୨-  ପରୀକ୍ଷା ଖାତା ମୂଲ୍ୟାୟନ ମଧ୍ୟ ୩୧ ମାର୍ଚ୍ଚ ପରେ କରିବାକୁ ପରାମର୍ଶ ଦିଆଯାଇଛି।

୩-  ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକଙ୍କ ସହିତ ବୈଦ୍ୟୁତିକ ମାଧ୍ୟମ ଜରିଆରେ ଯୋଗାଯୋଗ ରଖିବା ସହିତ ସେମାନଙ୍କୁ ସମସ୍ତ ବିଷୟରେ ନିୟମିତ ସୂଚନା ଦେବେ। ଫଳରେ ସେମାନଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବ ନାହିଁ।

୪- ଛାତ୍ରଛାତ୍ରୀଙ୍କ ସନ୍ଦେହର ସମାଧାନ ଲାଗି ହେଲ୍ପ ଲାଇନ ନମ୍ବର, ଇ-ମେଲ ବ୍ୟବସ୍ଥା କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ କୁହାଯାଇଛି।

କୋଭିଡ-୧୯ ମୁକାବିଲା ଲାଗି ଭୟଭୀତ ନହୋଇ ଦୃଢ଼ତା ରଖିବା ଲାଗି ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକମାନଙ୍କୁ ପରାମର୍ଶ ଦେବା ଲାଗି ସମସ୍ତ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡ଼ିକୁ ୟୁଜିସି ପକ୍ଷରୁ କୁହାଯାଇଛି।

Comments are closed.