ତ୍ତର-ପୂର୍ବ ଦିଲ୍ଲୀ ହିଂସାର ଶିକାର ହୋଇଥିବା ୩୦ଜଣଙ୍କ କାହାଣୀ

ନୂଆଦିଲ୍ଲୀ : ଉତ୍ତର-ପୂର୍ବ ଦିଲ୍ଲୀ ହିଂସାରେ ୪୪ ନିରୀହ ଲୋକଙ୍କ ପ୍ରାଣହାନି ଘଟିଛି। ଆହୁରି ଅନେକ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି। ଡାକ୍ତରଖାନାରେ ମୃତ ୬ଜଣଙ୍କ ପରିଚୟ ଶନିବାର ସୁଦ୍ଧା ମିଳି ନ ଥିଲାବେଳେ ନିଖୋଜ ଥିବା ଲୋକଙ୍କ ସମ୍ପର୍କୀୟ ପ୍ରିୟଜନଙ୍କୁ ଖୋଜି ବୁଲୁଛନ୍ତି। ଏପରିସ୍ଥଳେ ୩୦ ମୃତଦେହ ଚିହ୍ନଟ ହେବା ପରେ ସେମାନଙ୍କ ସମ୍ପର୍କିତ ଖବର ଅନେକଙ୍କ ଆଖିରେ ଲୁହ ରଖାଇ ଦେଉ ନାହିଁ। ସେମାନଙ୍କ ମଧ୍ୟରେ କିଏ ଆଇଏଏସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଥିଲେ ତ କିଏ ଡାକ୍ତରୀ ପଢ଼ିବା ପାଇଁ ସ୍ବପ୍ନ ଦେଖୁଥିଲେ। କିଏ ଦେଶାନ୍ତରୀ ଶ୍ରମିକ ଥିଲେ କିଏ ଆଇନକୁ କାର୍ଯ୍ୟକାରୀ କରୁଥିଲେ। କିଏ ସାମ୍ପ୍ରଦାୟିକ ହିଂସା କ’ଣ ଜାଣି ନ ଥିଲାବେଳେ କିଏ ନାତି ନାତୁଣୀଙ୍କ ସହ ଖୁସିରେ ଭବିଷ୍ୟତର ଦିନ ଗଣୁଥିଲେ। କିଏ ଥିଲେ ପରିବାରର ଏକମାତ୍ର ରୋଜଗାରିଆ ତ କିଏ ଥିଲେ ଏକୋଇର ବଳା ବିଶିକେସନ। କିଏ ବିବାହ ପାଇଁ ପ୍ରସ୍ତୁତ ହେଉଥିଲେ ତ କାହାର ବିବାହ ରଙ୍ଗ ଛାଡ଼ି ନ ଥିଲା। ବିଡ଼ମ୍ବନାର ବିଷୟ ହେଉଛି, ସେମାନଙ୍କ ଅଭାବନୀୟ ମୃତ୍ୟୁ ନିଜ ଘର ନିକଟରେ ଆଉ ପରିବାର ସମ୍ମୁଖରେ ହୋଇଥିଲା। ପୁଲିସ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିବାବେଳର ଦୃଶ୍ୟ ଓ ଶବ ସଂସ୍କାର ବେଳର ଦୃଶ୍ୟ ଦଙ୍ଗାକାରୀଙ୍କ କଠୋର ହୃଦୟକୁ ମଧ୍ୟ ତରଳାଇ ଦେଇଥିବ କହିଲେ ଭୁଲ ହେବ ନାହିଁ।

ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ରାହୁଲ ସୋଲାଙ୍କି (୨୬) ଥିଲେ ଜଣେ ସିଭିଲ ଇଞ୍ଜିନିୟର; କିନ୍ତୁ ମାର୍କେଟିଂ ପେସାଦାର ଭାବେ କାର୍ଯ୍ୟ କରୁଥିଲେ। ଶିବ ବିହାର ନିକଟ ବାବୁ ନଗରଠାରେ ସଉଦା କିଣିବାକୁ ଗଲାବେଳେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ଗଳାରେ ଗୁଳି ଲାଗିଥିଲା। ମହମ୍ମଦ ଅନୱାର(୬୦) ଥିଲେ କୁକୁଡ଼ା ମାଂସ ବିକ୍ରେତା। ତାଙ୍କ ରୋଜଗାରରେ ପରିବାର ଚଳୁଥିଲା। ରାତିରେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜିଥିଲେ। ପରଦିନ ତାଙ୍କର ଦରପୋଡ଼ା ମୃତଦେହ ମିଳିଥିଲା। ମହମ୍ମଦ ଫର୍କନ (୩୦)ଙ୍କ ପେଟକୁ ଗୁଳିମାରି କଦର୍ମପୁରୀଠାରେ ହତ୍ୟା କରାଯାଇଥିଲା। ସେ ବିବାହ ସାମଗ୍ରୀ ବ୍ୟବସାୟ କରୁଥିଲେ। ତାଙ୍କ ସ୍ତ୍ରୀ, ଦୁଇ ଛୋଟ ସନ୍ତାନ ଅଛନ୍ତି। ଅସଫକ୍‌ ହୁସେନ୍‌ (୨୨) ଜଣେ ଇଲେକ୍ଟ୍ରିସିଆନ। ତାଙ୍କ ଛାତିରେ ୫ଟି ଗୁଳି ବାଜିଥିଲା ଓ ଖଣ୍ଡାରେ ଶରୀରକୁ ହଣା ଯାଇଥିଲା। ମାତ୍ର ଦୁଇ ସପ୍ତାହ ପୂର୍ବେ, ଗତ ଭାଲେଣ୍ଟାଇନ୍ସ ଡେ’ରେ ସେ ବିବାହ କରିଥିଲେ। ଘର ପାଖ ମସ୍‌ଜିଦ ନିକଟରେ ଜଣେ ମହିଳାଙ୍କୁ ବଞ୍ଚାଇବାକୁ ଯାଇ ସେ ପ୍ରାଣ ହରାଇଥିଲେ। ବୀରବାନ୍‌ ସିଂହ (୪୮)ଙ୍କୁ କରୱାଲ ନଗରରେ ପଛପଟୁ ଗୁଳିମାରି ହତ୍ୟା କରାଯାଇଥିଲା। ସେ ବ୍ୟବସାୟ ସାରି ଘରକୁ ଫେରୁଥିଲାବେଳେ ପ୍ରାଣ ହରାଇଥିଲେ। ସେ ତିନି ସନ୍ତାନଙ୍କ ପିତା। ରାହୁଲ ଠାକୁର (୨୩) ଜଣେ ମେଧାବୀ ଛାତ୍ର। ସେ ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତି ଚଳାଇଥିଲେ। ଭଜନପୁରସ୍ଥିତ ଘର ନିକଟରେ ନିଜ ପରିବାର ସଦସ୍ୟଙ୍କ ସମ୍ମୁଖରେ ତାଙ୍କୁ ଗୁଳି କରାଯାଇଥିଲା। ମହତାବ (୨୨) ଜଣେ ଛୋଟ ଠିକାଦାର। ଖାଦ୍ୟ କିଣିବାକୁ ଆସିଥିବାବେଳେ ଘର ସାମ୍ନାରେ ତାଙ୍କୁ ଛୁରି ଭୁସିବା ପରେ ପୋଡ଼ି ଦିଆଯାଇଥିଲା। ଘରେ ମାଆ ଓ ସାନ ଭଉଣୀ ଅଛନ୍ତି। ଇସ୍ତିଆକ୍‌ ଖାଁ (୨୭) ୱେଲ୍‌ଡିଂ ମିସ୍ତ୍ରି। କବିର ନଗରଠାରେ ଘର ସମ୍ମୁଖରେ ତାଙ୍କୁ ଗୁଳି କରାଯାଇଥିଲା। ମହମ୍ମଦ ସାହବାନ୍‌ (୨୨) ନିଜ ଦୋକାନ ବନ୍ଦ କରି ଅପରାହ୍ଣରେ ଘରକୁ ଫେରୁଥିବାବେଳେ ଗୁଳିମାଡ଼ରେ ନିହତ ହୋଇଥିଲେ। ସେ ବଡ଼ ପୁଅ ଥିଲେ ଓ ତାଙ୍କ ବିବାହ ସ୍ଥିର ହୋଇଥିଲା। ସୁଲେମାନ୍‌ (୨୨) ବଣିଆ କାମ କରୁଥିଲେ। ଘରକୁ ଫେରୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ହାଣି ଦେଇଥିଲେ। ମହମ୍ମଦ ଇର୍ଫାନ୍‌ (୩୦) ଥିଲେ ଦର୍ଜି। ଘରେ ଏକା ବୁଢ଼ୀ ମାଆ ଥିଲେ। ଘରଠାରୁ ୨୦୦ମିଟର ଦୂରରେ ତାଙ୍କୁ ହତ୍ୟା କରାଯାଇଥିଲା। ମୁବାରକ ଅଲ୍ଲୀ (୩୫) ଜଣେ ରଙ୍ଗ ମିସ୍ତ୍ରି। ଦୁଇ ଦିନ ପରେ ତାଙ୍କ ଶବ ମିଳିଲା।
ସେହିଭଳି ଜଣେ ହେଉଛନ୍ତି ଆଲୋକ ତିୱାରୀ (୨୪); ଯାହାଙ୍କ ପତ୍ନୀ ଓ ଛୋଟ ପୁଅ ଅଛନ୍ତି। ସଞ୍ଜିତ ଠାକୁର (୩୨) ଢ଼େଲାମାଡ଼ରେ ନିହତ ହୋଇଥିଲେ। ତାଙ୍କର ଦୁଇ ସନ୍ତାନ ଅଛନ୍ତି। ଉଭୟ କାରଖାନାରେ କାମ କରୁଥିଲେ। ଆକବରୀ (୩୦)ଙ୍କ ଘରକୁ ଦୁର୍ବୃତ୍ତମାନେ ଜାଳି ଦେବାରୁ ତାଙ୍କ ୮୫ବର୍ଷୀୟ ବାପା ଓ ମାଆ ଉଭୟ ଜଳି ଯାଇଥିଲେ। ଆମିର (୩୦)ଙ୍କୁ ବହୁ ଖୋଜିବା ପରେ ଡାକ୍ତରଖାନାରୁ ମୃତଦେହ ମିଳିଥିଲା। ଜାକିର (୨୬)ଙ୍କ ମୁଣ୍ଡକୁ ଗୁଳି ମାରି ହତ୍ୟା କରାଯାଇଥିଲା। ଗାଡ଼ିଚାଳକ ଦିନେଶ କୁମାର ((୩୫), ବିନୋଦ କୁମାର (୫୦)ଙ୍କୁ ଦୁର୍ବୃତ୍ତମାନେ ପିଟିପିଟି ମାରି ଦେଇଥିଲେ। ସେମାନେ ପରିବାରର ଏକମାତ୍ର ରୋଜଗାରକ୍ଷମ।

ପତ୍ନୀଙ୍କୁ ଛାଡ଼ି ଦୀପକ କୁମାର (୩୪)ଙ୍କ ମୃତ୍ୟୁ ହୋଇଛି। ମୁଶରଫ (୨୫)ଙ୍କ ମୃତଦେହ ଘରପାଖ ନଳାରୁ ମିିଳିଥିଲା। ଗାଡ଼ି ମେକାନିକ୍‌ ପରଭେଜ ଆଲାମ (୫୦), ଅଟୋରିକ୍ସାଚାଳକ ମୁଦାସିର ଖାଁ (୩୫), କାଠମିସ୍ତ୍ରି ମହମ୍ମଦ ୟୁସୁଫ (୫୨)ଙ୍କୁ ଘର ପାଖରେ ହିଁ ହତ୍ୟା କରାଯାଇଥିଲା। ୟୁସୁଫଙ୍କର ୭ ସନ୍ତାନ ଏବେ ଅନାଥ। ବିଦ୍ୟୁତ୍‌ ସରଞ୍ଜାମ ବିକ୍ରେତା ମହରୁଫ ଅଲ୍ଲୀ (୩୨), ଅଟୋରିକ୍ସାଚାଳକ ସାହିଦ ଆଲ୍‌ଭି (୨୪)ଙ୍କ ମୃତ୍ୟୁ ଗୁଳିରେ ହୋଇଥିଲା। ଆଲ୍‌ଭି ତିନି ମାସ ପୂର୍ବେ ବିବାହ କରିଥିଲେ। ପତ୍ନୀ ଏବେ ଗର୍ଭବତୀ। ଅମନଙ୍କ ବୟସ ମାତ୍ର ୧୭। ତାଙ୍କର ମୃତ୍ୟୁ କିପରି ହେଲା କେହି ଜାଣିପାରିଲେନି। ଡାକ୍ତରଖାନାରେ ମୃତଦେହ ଠାବ ହେଲା। ଆଉ ଜଣେ ୧୭ବର୍ଷର କିଶୋର ହାସିମଙ୍କର ମଧ୍ୟ ସମାନ ଭାବରେ ମୃତ୍ୟୁ ହୋଇଛି। ମାତ୍ର ୧୫ବର୍ଷର ବାଳକ ଇତ୍‌ମିନାନ୍‌ ଅହମ୍ମଦ ମେଧାବୀ ଥିଲା ଓ ଡାକ୍ତର ହେବାକୁ ମନ ବଳାଇଥିଲା। ଅପରାହ୍ଣରେ ଦୋକାନକୁ ଦୁଗ୍ଧ ଆଣିବାକୁ ଯାଇଥିବାବେଳେ ଗୁଳି ମାଡ଼ରେ ଟଳି ପଡ଼ିଲା। ସେହିଭଳି ୨୮ବର୍ଷୀୟ ଭିକିଙ୍କ ବିବାହ ଶୋଭାଯାତ୍ରା ଚାଲିଥିବାବେଳେ ତାଙ୍କ ଘର ସମେତ ୧୫ଜଣ ପଡ଼ୋଶୀଙ୍କ ଘର ପୋଡ଼ି ଦିଆଯାଇଥିଲା। ଭିକିଙ୍କ ବରଯାତ୍ରୀ ଫେରିଲାବେଳକୁ ଅବଶିଷ୍ଟ ପରିବାର ମନ୍ଦିରରେ ଆଶ୍ରୟ ନେଇଥିଲେ। କନ୍‌ଷ୍ଟେବଳ ରତନ ଳାଲଙ୍କୁ ଗୁଳି କରାଯାଇଥିବାବେଳେ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ଶରୀରରେ ୨୫୦ ଥର ଛୁରି ଭୁସାଯିବା ସହ ଗୁଳି ମରାଯାଇଥିଲା।

Comments are closed.