ମଧ୍ୟାହ୍ନଭୋଜନ ତଦାରଖ ମାମଲାରେ ସୁପ୍ରିମକୋର୍ଟ କ୍ଷୁବ୍‌ଧ ; ଓଡ଼ିଶା ସହ ପାଞ୍ଚ ରାଜ୍ୟକୁ ଜୋରିମାନା

0

ନୂଆଦିଲ୍ଲୀ : ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା ତଦାରଖ ନିମନ୍ତେ ଅନଲାଇନ ଲିଙ୍କ ସୁବିଧା ସୃଷ୍ଟି କରିବାରେ ବିଫଳତା ପାଇଁ ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟକୁ ସୁପ୍ରିମକୋର୍ଟ ଜୋରିମାନା କରିଛନ୍ତି। ନିର୍ଦେଶ ମୁତାବକ ଦିଲ୍ଲୀ ସରକାର ୨ ଲକ୍ଷ ଏବଂ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଜାମ୍ମୁ ଓ କାଶ୍ମୀର ଏବଂ ମେଘାଳୟ ସରକାର ୧ଲକ୍ଷ ଟଙ୍କା ଲେଖାଏଁ ଅର୍ଥଦଣ୍ଡ ୪ ସପ୍ତାହ ମଧ୍ୟରେ ସୁପ୍ରିମକୋର୍ଟ ଆଇନ ସେବା ପ୍ରାଧିକରଣରେ ଜମା କରିବେ। ପୂର୍ବରୁ ସୁପ୍ରିମକୋର୍ଟ ମଧ୍ୟାହ୍ନଭୋଜନ ଯୋଜନା ତଦାରଖ ପାଇଁ ତିନି ମାସ ମଧ୍ୟରେ ଅନଲାଇନ ଲିଙ୍କ୍‌ ସୁବିଧା ସୃଷ୍ଟି କରିବାକୁ ଖିଲାପି ରାଜ୍ୟଗୁଡ଼ିଙ୍କୁ ନିର୍ଦେଶ ଦେଇଥିଲେ।
ଆଜି ବିଚାରପତି ମଦନ ବି ଲୋକୁରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠରେ ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକରଙ୍କ ଓକିଲ ଦର୍ଶାଇଥିଲେ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ୨୫ଟି ରାଜ୍ୟ ସରକାର ମଧ୍ୟାହ୍ନଭୋଜନ ଯୋଜନା ତଦାରଖ ପାଇଁ ଅନଲାଇନ ଲିଙ୍କ ସୁବିଧା ସୃଷ୍ଟି କରି ଜଣାଇଛନ୍ତି। ଓଡ଼ିଶା ସମେତ ପାଞ୍ଚଟି ରାଜ୍ୟ ଏଦିଗରେ କୌଣସି ପଦକ୍ଷେପ ନ ନେଇ ଚୁପ ବସିଛନ୍ତି। ରାଜ୍ୟ ସରକାରଙ୍କ ତରଫରୁ ଆଡଭୋକେଟ ଆନନ୍ଦିତା ପୂଜାରୀ ଦର୍ଶାଇଥିଲେ ସରକାରୀ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯୋଜନା ସଂପର୍କିତ ସମସ୍ତ ତଥ୍ୟ ଓଡ଼ିଶା ସରକାରଙ୍କ ପାଖରେ ଉପଲବ୍ଧ ରହିଛି। ସୁପ୍ରିମକୋର୍ଟଙ୍କ ନିର୍ଦେଶମତେ ନିର୍ଦ୍ଧିଷ୍ଟ ଫର୍ମାଟରେ ତଥ୍ୟ ଅପଲୋଡ଼ କରିବା ପାଇଁ ଏନଆଇସିକୁ ଦାୟିତ୍ୱ ଦିଆଯାଇଛି ଏବଂ ଏକ ମାସ ମଧ୍ୟରେ ଡାଟା ଅପଲୋଡ଼ କାର୍ଯ୍ୟ ଶେଷ ହୋଇଯିବ ବୋଲି ଜଣାଇଥିଲେ। ଓଡ଼ିଶା ସରକାରଙ୍କୁ ଅଧିକ ଏକ ମାସ ମହଲତ ଦେବା ପାଇଁ ଆଡଭୋକେଟ ପୂଜାରୀ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଥିଲେ। ମାତ୍ର ବିଚାରପତି ମଦନ ବି ଲୋକୁରଙ୍କ ଖଣ୍ଡପୀଠ ରାଜ୍ୟ ସରକାରଙ୍କ ଅନୁରୋଧକୁ ଗହଣ ନକରି ଏକ ଲକ୍ଷ ଟଙ୍କା ଜୋରିମନା ନିର୍ଦେଶ ଦେଇଥିଲେ।

Leave A Reply