୧୯୫୨ ପରଠାରୁ ସଂସଦର ମୌସୁମୀ ଅଧିବେଶନର ପ୍ରଥମ କରି ଏପରି ବ୍ୟବସ୍ଥା, ଗ୍ୟାଲେରିରେ ବସିବେ ସଦସ୍ୟ

ଦୁଇଟି ପର୍ଯ୍ୟାୟରେ ଚାଲିବ ଗୃହକାର୍ଯ୍ୟ

ନୂଆଦିଲ୍ଲୀ : ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହି ମୌସୁମୀ ଅଧିବେଶନ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ଆରମ୍ଭ କରାଯାଇଛି। ସାମାଜିକ ଦୂରତା ରକ୍ଷା କରିବା ଲାଗି ସଦସ୍ୟମାନଙ୍କ ବସିବା ଲାଗି ଗୃହର ମଧ୍ୟଭାଗ ସହିତ ଦର୍ଶକ ଗ୍ୟାଲେରିରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ରାଜ୍ୟସଭା ସଚିବାଳୟର କହିବା ଅନୁଯାୟୀ ସଦସ୍ୟମାନଙ୍କୁ ଗୃହ ସହିତ ‌ଗ୍ୟାଲେରି​‌ର ବସିବାକୁ ଦିଆଯିବ। ୬୦ ସଦସ୍ୟଙ୍କୁ ଗୃହ ମଧ୍ୟରେ ବସିବାକୁ ଦିଆଯିବ। ୫୧ଜଣଙ୍କୁ ଗ୍ୟାଲେରିରେ ବସିବାକୁ ଦିଆଯିବ ଓ ଅବଶିଷ୍ଟ ୧୩୨ଜଣଙ୍କୁ ଲୋକସଭା କକ୍ଷରେ ବସିବା ବ୍ୟବସ୍ଥା କରାଯିବ। ଲୋକସଭା ସଚିବାଳୟ ପକ୍ଷରୁ ମଧ୍ୟ ଅନୁରୂପ ବସିବା ବ୍ୟବସ୍ଥା କରାଯାଇଛି। ଗୃହରେ ଦଳର ସ୍ଥିତି ଆଧାରରେ ସଦସ୍ୟଙ୍କ ପାଇଁ ବସିବା ବ୍ୟବସ୍ଥା କରାଯିବ। ରାଜ୍ୟସଭାରେ ଶାସକ ଦଳ ପାଇଁ ଦୁଇଟି ବ୍ଲକ୍ ରଖାଯାଇଥିବାବେଳେ ଅନ୍ୟମାନଙ୍କୁ ଲୋକସଭାରେ ବସିବା ବ୍ୟବସ୍ଥା କରାଯାଇଛି। ରାଜ୍ୟସଭା ଗୃହ ମଧ୍ୟରେ ପ୍ରଧାନମନ୍ତ୍ରୀ, ଗୃହର ନେତା, ବିରୋଧୀ ଦଳ ନେତା ଓ ଅନ୍ୟାନ୍ୟ ଦଳର ନେତାଙ୍କ ବସିବା ବ୍ୟବସ୍ଥା କରାଯିବ। ଏହା ସହିତ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ଏଚଡି ଦେବେଗୌଡା, କେନ୍ଦ୍ରମନ୍ତ୍ରୀ ରାମବିଳାଶ ପାଶ୍ବାନ, ରାମଦାସ ଅଠୱାଲେଙ୍କ ପାଇଁ ଗୃହରେ ବସିବା ବ୍ୟବସ୍ଥା କରାଯାଇଛି। ଅନ୍ୟମନ୍ତ୍ରୀମାନେ ଶାସକ ଦଳ ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଠ ଆସନରେ ବସିବେ। ସାମ୍ବାଦିକ ଓ ଅଫିସରମାନଙ୍କ ବସିବା ଲାଗି ଉଦ୍ଦିଷ୍ଟ ଗ୍ୟାଲେରିରେ ସାମାଜିକ ଦୂରତା ରକ୍ଷା କରାଯିବ। ଏଥିପାଇଁ ସର୍ବାଧିକ ୧୫ଜଣ ସାମ୍ବାଦିକ ଓ ଅଫିସରଙ୍କୁ ବସିବାର ଅନୁମତି ମିଳିବ।
ଗ୍ୟାଲେରିରେ ବସୁଥିବା ସଦସ୍ୟଙ୍କ ପାଇଁ ବଡ ଡିସ୍‌ପ୍ଲେ ସ୍କ୍ରିନର ବ୍ୟବସ୍ଥା କରାଯାଇଛି। ଏହା ସହିତ ଭୂତାଣୁ ନାଶ ପାଇଁ ଅଲଟ୍ରାଭାଓଲେଟ ଜର୍ମିସିଡାଲ ଇରାଡିଏସନ ଏବଂ ଦୁଇ ଗୃହ ମଧ୍ୟରେ ସ୍ବତନ୍ତ୍ର କେବୁଲ ବ୍ୟବସ୍ଥା କରାଯାଇଛି। ଯଦ୍ଦ୍ବାରା ଅଭିଓ ଭିଜୁଆଲ ସିଗନାଲ ଠିକ୍ ରୂପେ ପହଞ୍ଚିପାରିବ। ଗୃହରେ ସଦସ୍ୟଙ୍କ ବସିବା ଲାଗି ଆବଶ୍ୟକ ବ୍ୟବସ୍ଥା ସମ୍ପର୍କରେ ରାଜ୍ୟସଭା ଅଧ୍ୟକ୍ଷ ଭେଙ୍କୟା ନାଇଡୁ ଓ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସବିଶେଷ ଆଲୋଚନା କରିଛନ୍ତି।
ଅଗଷ୍ଟ ୩ୟ ସପ୍ତାହ ସୁଦ୍ଧା ସମସ୍ତ ପ୍ରସ୍ତୁତ ଶେଷ କରିବା ସହିତ ଏହାର ପରୀକ୍ଷାନିରୀକ୍ଷା କରାଯିବ। ସଂସଦର ଅଧିବେଶନ ସମୟରେ ଉଭୟ ଗୃହ ଏକ ସମୟରେ କାର୍ଯ୍ୟ କରିଥାଏ। କରୋନା ପାଇଁ ଗୋଟିଏ ଗୃହର ଅଧିବେଶନ ପ୍ରାତଃ ସମୟରେ ଓ ଅନ୍ୟ ଗୃହର ଅଧିବେଶନ ସନ୍ଧ୍ୟା ସମୟରେ ଚାଲିବ ବୋଲି କୁହାଯାଇଛି। ୧୯୫୨ ପରଠାରୁ ପ୍ରଥମ କରି ଏପରି ବ୍ୟବସ୍ଥା କରାଯାଇଛି। କରୋନା ପାଇଁ ସଂସଦର ବଜେଟ୍ ଅଧିବେଶନକୁ କାଣ୍ଟଛାଟ କରାଯାଇ ମାର୍ଚ୍ଚ ୨୩ରୁ ମୁଲତବୀ ଘୋଷଣା କରାଯାଇଥିଲା। ନିୟମ ଅନୁଯାୟୀ ସଂସଦର ଗୋଟିଏ ଅଧିବେଶନ ଶେଷ ହେବାର ୬ ମାସ ମଧ୍ୟରେ ଆଉଏକ ଅଧିବେଶନ ଆରମ୍ଭ ଜରୁରୀ।

Comments are closed.