ସ୍ୱାଗତମ୍‍ ‘ଫେଲୁଦା’- ନୂଆ କୋଭିଡ୍‍ ଟେଷ୍ଟିଂ ଟୁଲ ଏକ ବଡ଼ ଉପଲବ୍ଧି

ଅନୁସନ୍ଧାନରେ ଗୋଟିଏ ଜିନିଷ ଖୋଜିବାବେଳେ ଅପ୍ରତ୍ୟାଶିତ ଭାବେ ଆଉ ଏକ ନୂଆ ଜିନିଷ ମିଳିଯାଇଥାଏ ଏବଂ ତାହା ପୁଣି ମଣିଷର ଅନେକ ଆବଶ୍ୟକତା ପୂରଣ କରିଥାଏ। ଚିକିତ୍ସା ବିଜ୍ଞାନରେ ମଧ୍ୟ ସେମିତି କିଛି ଚମତ୍କାରିତା ଗବେଷଣାବେଳେ ମିଳିଥାଏ। ଗୋଟିଏ ଉଦ୍ଦେଶ୍ୟ ନେଇ କାମ କରୁଥିବାବେଳେ ଆଉ ଏକ ସଫଳତା ଅପ୍ରତ୍ୟାଶିତ ଭାବେ ହାତରେ ଲାଗିଯାଏ। ଏସବୁର ଉଦାହରଣ ବହୁତ। ଏହି କରୋନା ମହାମାରୀ ସମୟରେ ଏପରି ଏକ ସଫଳତା ଭାରତୀୟ ବିଶେଷଜ୍ଞଙ୍କୁ ମିଳିଛି, ଯାହା କୋଭିଡ୍‍-୧୯ ପରୀକ୍ଷା କ୍ଷେତ୍ରରେ ଦେଶୀ କାରିଗରୀ ଜ୍ଞାନ କୌଶଳରେ ନିର୍ମିତ ଡିଟେକ୍ଟର ‘ଫେଲୁଦା’।
ମହାମାରୀ ଆରମ୍ଭ ହେବାବେଳକୁ ଦୁଇ ଭାରତୀୟ ବିଶେଷଜ୍ଞ ଦେବଜ୍ୟୋତି ଚକ୍ରବର୍ତ୍ତୀ ଏବଂ ସୌଭିକ ମାଇତି ଆଇଜିଆଇବି ପକ୍ଷରୁ ସିକଲସେଲ ବ୍ୟାଧିର ଜେନୋମ୍‍ଭିତ୍ତିକ ଡାଇଗ୍ନୋଷ୍ଟିକ ଟୁଲ୍‍ ନିର୍ମାଣ କରିବାକୁ ଗବେଷଣା କରୁଥିଲେ। କରୋନା ମହାମାରୀ ବ୍ୟାପିବାରୁ ଏହି ଭୂତାଣୁକୁ ଠାବ କରିବାକୁ ଦେଶରେ ଆବଶ୍ୟକ କିଟ୍‍ ବା ଟୁଲ୍‍ ନଥିଲା। ତେଣୁ ଦୁଇ ଗବେଷକ ନିଜର ଗବେଷଣା ଉପଲବ୍ଧିକୁ ବଦଳାଇ ମାତ୍ର ୧୦୦ଦିନ ମଧ୍ୟରେ ଦେଶୀ ଜ୍ଞାନ କୌଶଳରେ ଏକ କୋଭିଡ୍‍-୧୯ ଭୂତାଣୁ ଡିଟେକ୍ଟର ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି।
ଫେଲୁଦା ସମ୍ପର୍କରେ କେନ୍ଦ୍ର ବିଜ୍ଞାନ ଓ କାରିଗରୀ ମନ୍ତ୍ରଣାଳୟ ପକ୍ଷରୁ ଜାରି ପ୍ରେସ ଇସ୍ତାହାରରେ କୁହାଯାଇଛି ଯେ ‘ଫେଲୁଦା’ ଟୁଲ୍‍ରେ କୋଭିଡ୍‍-୧୯ ଭୂତାଣୁ ଠାବ କରିବାର ୯୬ ଶତାଂଶ ସଂବେଦନଶୀଳତା (ସେନ୍‍ସିଟିଭିଟି) ଓ ୯୮ ଶତାଂଶ ନିର୍ଦିଷ୍ଟତା (ସ୍ପେସିଫିସିଟି) ରହିଛି। ଆହୁରି ମଧ୍ୟ ଗର୍ଭ ନିରୂପଣ ଭଳି ଅତି ସହଜ ଅବସ୍ଥାରେ ଫେଲୁଦା ଦ୍ୱାରା କୋଭିଡ୍‍ ସଂକ୍ରମଣକୁ ଚିହ୍ନଟ କରାଯାଇପାରୁଛି। ଖଣ୍ଡିଏ କାଗଜରଙ୍ଗ ଭୂତାଣୁ ସଂକ୍ରମଣ ସଂସ୍ପର୍ଶରେ ଆସିଲେ ବଦଳିଯାଉଛି। ମୋଟାମୋଟି ଭାବେ କହିଲେ ଏହା ଏକ ଖୁବ୍‍ ସରଳ, ସହଜ ଓ ସ୍ୱଳ୍ପମୂଲ୍ୟରେ ସଂକ୍ରମଣ ଚିହ୍ନଟ ବ୍ୟବସ୍ଥା, ଯା’ଦ୍ୱାରା ରୋଗୀଙ୍କୁ ଅଳ୍ପ ସମୟରେ ରିପୋର୍ଟ କମ୍‍ ଦାମ୍‍ରେ ଯୋଗାଇ ଦିଆଯାଇପାରିବ।
ଭାରତୀୟ ଭେଷଜ ମହାନିୟନ୍ତ୍ରକ (ଡିସିଜିଆଇ) ଏହି କିଟ୍‍ର ବ୍ୟାବସାୟିକ ପ୍ରବର୍ତ୍ତନ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଦେଶୀ କାରିଗରୀ ଜ୍ଞାନକୌଶଳରେ କିଟ୍‍/ଟୁଲ୍‍ ନିର୍ମାଣ ପାଇଁ ଭାରତ ଯେଉଁ ଉଦ୍ୟମ ଚଳାଇଛି ଏହି ସଫଳତା ନିଶ୍ଚୟ ଏକ ଉଲ୍ଲେଖନୀୟ ଉପଲବ୍ଧି। ଏଥିରେ ଅତ୍ୟାଧୁନିକ ସ୍କ୍ରିସ୍ପର ଜିନ୍‍ ଏଡିଟିଙ୍ଗ ଟେକ୍‍ନୋଲୋଜି ବ୍ୟବହୃତ ହୋଇଛି ଯାହା କୋଭିଡ୍‍-୧୯ ଭୂତାଣୁକୁ ଶସ୍ତାରେ, ସହଜରେ ଓ ଅବିଳମ୍ବେ (ମାତ୍ର ଦୁଇଘଣ୍ଟାରେ) ନିର୍ଭୁଲ ଭାବେ ଚିହ୍ନଟ କରିପାରୁଛି। ସିଏସ୍‍ଆଇଆର୍‍ ଦିଲ୍ଲୀର ଜେନୋମିକ୍ସ ଓ ଇଣ୍ଟିଗ୍ରେଟିଭ ବାୟୋଲୋଜି (ଆଇଜିଆଇବି) ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ଏହି ଟୁଲ୍‍ ପଛରେ ଟାଟା ଷ୍ଟିଲ ଗୋଷ୍ଠୀର ଅବଦାନ ମଧ୍ୟ ରହିଛି। ଏଥିରେ କ୍ୟାସ-୯ ପ୍ରୋଟିନ୍‍ର ଉପଯୋଗ କରାଯାଇଛି ଯାହା ସହଜରେ କୋଭିଡ୍‍-୧୯ ଭୂତାଣୁକୁ ଚିହ୍ନଟ କରିପାରୁଛି। ବିଶ୍ୱରେ ଏହା ଏ ଧରଣର ପ୍ରଥମ ବୋଲି ଭାରତୀୟ ବୈଜ୍ଞାନିକ/ବିଶେଷଜ୍ଞମାନେ ଦାବି କରୁଛନ୍ତି। ଦେଶ ପାଇଁ ଯଥାର୍ଥରେ ଏହା ଏକ ବିଶେଷ ଉପଲବ୍ଧି।
ଏବେ କରୋନା ମହାମାରୀର ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଥିବାବେଳେ ବ୍ୟୟବହୁଳ କୋଭିଡ୍‍-ଟେଷ୍ଟ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ଘଡ଼ିସନ୍ଧି ମୁହୂର୍ତ୍ତରେ ‘ଫେଲୁଦା’ କେବଳ ଭାରତର ଆବଶ୍ୟକତା ପୂରଣ କରିବ ନାହିଁ, ଏହା ସମଗ୍ର ବିଶ୍ୱର ଉପକାରରେ ଲାଗିବ। ଏହି ସଫଳତା ପାଇଁ ଆମ ବୈଜ୍ଞାନିକ ବୃନ୍ଦ ଏବଂ ଏହି ପ୍ରକଳ୍ପରେ ସହାୟତା କରିଥିବା ଅନୁଷ୍ଠାନ ତଥା ଉଦ୍ୟୋଗ ଅଭିନନ୍ଦନର ପାତ୍ର। ଏବେ ଦେଶୀ କରୋନା ଟିକାକୁ ଅପେକ୍ଷା। ଏହା ଯେତେଶୀଘ୍ର ଆସିବ ସେତେ ମଙ୍ଗଳ।

Comments are closed.