ମନ୍ତ୍ରିମଣ୍ଡଳରେ ୭ ଆଇଏଏସ୍‌, ୧୩ ଓକିଲ, ୬ ଡାକ୍ତର, ୫ ଯନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବିତୀୟ ପାଳିର ପ୍ରଥମ ମନ୍ତ୍ରିମଣ୍ଡଳ ପୁନର୍ଗଠନରେ ଜାତି, ସମ୍ପ୍ରଦାୟ, ଲିଙ୍ଗ ଓ ଆଞ୍ଚଳିକବାଦ ଏବଂ ସର୍ବୋପରି ରାଜନୀତିକୁ ନେଇ ଖୁବ୍‌ ଅଙ୍କ କଷାଯାଇଛି। ‘ସବ୍‌କା ସାଥ- ସବ୍‌କା ବିକାଶ’ ଲକ୍ଷ୍ୟରେ ଏହି ସବୁଗୁଡ଼ିକ ଉପରେ ବେଶ୍‌ ସମନ୍ବୟ ମଧ୍ୟ ରକ୍ଷା କରାଯାଇଥିବା ଦେଖାଯାଇଛି। କୌଣସି ମନ୍ତ୍ରିମଣ୍ଡଳ ଗଠନରେ ଏତେଟା ସମୀକରଣ ସ୍ଥାନ ପାଇବା ହୁଏତ ବିରଳ।
ବୁଧବାର ଶପଥ ଗ୍ରହଣ କରିଥିବା ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ମଧ୍ୟରେ ଶୋଷିତ, ପୀଡ଼ିତ, ବଞ୍ଚିତ ଓ ଆଦିବାସୀଙ୍କ ସଂଖ୍ୟା ଆନୁପାତିକ ଭାବେ ଅଧିକ। ଅନୁସୂଚିତ ଜାତି (ଏସ୍‌ସି) ବର୍ଗରୁ ୧୨, ଅନୁସୂଚିତ ଜନଜାତି (ଏସ୍‌ଟି) ବର୍ଗରୁ ୮, ଅନ୍ୟ ପଛୁଆ ବର୍ଗ (ଓବିସି)ରୁ ୨୭ ଜଣ ରହିଥିବାବେଳେ ମହିଳାଙ୍କ ସଂଖ୍ୟା ୧୧ ରହିଛି। ସେହିପରି ସଂଖ୍ୟାଲଘୁ ସମ୍ପ୍ରଦାୟ ସଦସ୍ୟଙ୍କୁ ମଧ୍ୟ ଯଥୋଚିତ ସୁଯୋଗ ପ୍ରଦାନ କରାଯାଇଛି। ମୁସଲମାନ, ଶିଖ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇଥିବାବେଳେ ଦୁଇ ଜଣ ବୌଦ୍ଧ ଧର୍ମାବଲମ୍ବୀଙ୍କୁ ମନ୍ତ୍ରୀ କରାଯାଇଛି। ଅପରପକ୍ଷରେ ୫୦ ବର୍ଷରୁ କମ୍‌ ବୟସର ମନ୍ତ୍ରୀଙ୍କ ସଂଖ୍ୟା ୧୪ ରହିଥିବାବେଳେ ଏମାନଙ୍କ ମଧ୍ୟରୁ ୬ଜଣ କ୍ୟାବିନେଟ ପାହ୍ୟା ପାଇଛନ୍ତି। ସେହିପରି ୭୦ବର୍ଷରୁ ଅଧିକ ବୟସ୍କ କେହି ମନ୍ତ୍ର ନାହାନ୍ତି। ମନ୍ତ୍ରିମଣ୍ଡଳ ସଦସ୍ୟଙ୍କର ହାରାହାରି ବୟସ ୫୮ ରହିଛି; ଅର୍ଥାତ୍‌ ଏହାକୁ ଏକ ଅପେକ୍ଷାକୃତ ଯୁବ ମନ୍ତ୍ରିମଣ୍ଡଳ ବୋଲି କୁହାଯାଇପାରିବ।

-ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, କର୍ଣ୍ଣାଟକ, ରାଜସ୍ଥାନ, ତାମିଲନାଡୁ ଭଳି ୮ ରାଜ୍ୟରୁ ୧୨ ଜଣ ଏସ୍‌ସି ସଦସ୍ୟଙ୍କୁ ମନ୍ତ୍ରିପଦ ମିଳିଛି। ଦୁଇଜଣ କ୍ୟାବିନେଟ ପାହ୍ୟା ପାଇଛନ୍ତି।
-ଓଡ଼ିଶା, ଆସାମ, ଅରୁଣାଚଳ ପ୍ରଦେଶ, ଝାଡ଼ଖଣ୍ଡ, ଛତିଶଗଡ଼, ପଶ୍ଚିମବଙ୍ଗ, ମଧ୍ୟ ପ୍ରଦେଶ, ମହାରାଷ୍ଟ୍ର ଆଦି ୮ ରାଜ୍ୟରୁ ୮ ଆଦିବାସୀଙ୍କୁ ମନ୍ତ୍ରୀ କରାଯାଇଛି। ସେମାନେ ୭ଟି ଆଦିବାସୀ ସମ୍ପ୍ରଦାୟର ସଦସ୍ୟ। ତିନି ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଛି।
-ମୋଟ ୧୫ ରାଜ୍ୟରୁ ୨୭ଜଣ ଅନ୍ୟ ପଛୁଆ ବର୍ଗର ସଦସ୍ୟଙ୍କୁ ମନ୍ତ୍ରୀ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିଥିବାବେଳେ କିଛି ଓବିସି ବର୍ଗକୁ ପ୍ରଥମ ଥର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଛନ୍ତି।
-ବ୍ରାହ୍ମଣ, କ୍ଷତ୍ରୀୟ, ଲିଙ୍ଗାୟତ, ମରାଠା, ଭୂମିହର, କାୟସ୍ତ, ପଟେଲ, ରେଡ୍ଡି ଅାଦି ଉଚ୍ଚ ଜାତିରୁ ମୋଟ ୨୯ଜଣଙ୍କୁ ମନ୍ତ୍ରିପଦ ମିଳିଛି।
-ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୯ ରାଜ୍ୟର ୧୧ ମହିଳାଙ୍କ ମଧ୍ୟରୁ ଦୁଇ ଜଣଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଛି। ସାତ ଜଣ ନୂଆ ହୋଇଛନ୍ତି।
-ଆଞ୍ଚଳିକବାଦକୁ ଦେଖିଲେ ମୋଟ ୨୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ମନ୍ତ୍ରିପଦ ପାଇଛନ୍ତି। ପ୍ରଥମ ଥର ଉତ୍ତର-ପୂର୍ବାଞ୍ଚଳରୁ ସର୍ବାଧିକ ୫ଜଣଙ୍କୁ ମନ୍ତ୍ରୀ କରାଯାଇଛି। ଉତ୍ତର ପ୍ରଦେଶର ପୂର୍ବାଞ୍ଚଳ, ଅୱଧ, ବ୍ରଜ, ବୁନ୍ଦେଲଖଣ୍ଡ, ରୋହିଲାଖଣ୍ଡ, ପଶ୍ଚିମ ପ୍ରଦେଶ ଓ ହରିତ ପ୍ରଦେଶ ଅଞ୍ଚଳରୁ ଜଣେ ଲେଖାଏଁ ମନ୍ତ୍ରୀ ହୋଇଥିବାବେଳେ ମହାରାଷ୍ଟ୍ରର କୋଙ୍କଣ, ଦେଶ, ଖଣ୍ଡେଶ, ମରାଠାୱାଡ଼ା ଓ ବିଦର୍ଭ ଅଞ୍ଚଳରୁ, ଗୁଜରାତର ସୌରାଷ୍ଟ୍ର ଏବଂ ଉତ୍ତର-ଦକ୍ଷିଣ-କେନ୍ଦ୍ରାଞ୍ଚଳରୁ, କର୍ଣ୍ଣାଟକର ବମ୍ବେ କର୍ଣ୍ଣାଟକ, ବାଙ୍ଗାଲୋର କର୍ଣ୍ଣାଟକ, ହାଇଦରାବାଦ କର୍ଣ୍ଣାଟକ ତଥା ଉପକୂଳ କର୍ଣ୍ଣାଟକ ଅଞ୍ଚଳରୁ, ପଶ୍ଚିମବଙ୍ଗର ପ୍ରେସିଡେନ୍ସି, ମେଦିନିପୁର ଓ ଜୟପାଲଗୁଡ଼ି ଅଞ୍ଚଳରୁ, ମଧ୍ୟ ପ୍ରଦେଶର ଚମ୍ବଲ, ସାତ୍‌ପୁରା ତଥା କେନ୍ଦ୍ରାଞ୍ଚଳରୁ ଏବଂ ଆସାମ, ଅରୁଣାଚଳ ପ୍ରଦେଶ, ମଣିପୁର ଓ ତ୍ରିପୁରାରୁ ମନ୍ତ୍ରୀ କରାଯାଇଛି।
-ମୋଟ ୪୬ଜଣ ଅଭିଜ୍ଞ ରାଜନୀତିଜ୍ଞଙ୍କୁ ମନ୍ତ୍ରିପଦ ମିଳିଛି। ସେମାନଙ୍କ ମଧ୍ୟରେ ଅଛନ୍ତି ତିନିରୁ ୪ ଥର ନିର୍ବାଚିତ ୨୩ ସାଂସଦ, ୪ ପୂର୍ବତନ ମୁଖ୍ୟମନ୍ତ୍ରୀ, ବିଭିନ୍ନ ରାଜ୍ୟର ୧୮ଜଣ ପୂର୍ବତନ ମନ୍ତ୍ରୀ ଓ ୩୯ ପୂର୍ବତନ ବିଧାୟକ।
-ମନ୍ତ୍ରିମଣ୍ଡଳରେ ଏଥର ମୋଟ ୧୩ ଆଇନଜୀବୀ, ୬ ଚିକିତ୍ସକ, ୫ ଯନ୍ତ୍ରୀ ଏବଂ ୭ଜଣ ପୂର୍ବତନ ପ୍ରଶାସନିକ ଅଧିକାରୀ, ୭ ଗବେଷକ ବା ପିଏଚ୍‌ଡି ଉପାଧିପ୍ରାପ୍ତ ଓ ୩ ଏମ୍‌ବିଏ ଡିଗ୍ରୀଧାରୀଙ୍କୁ ସ୍ଥାନ ମିଳିଛି।

୭ ମନ୍ତ୍ରୀଙ୍କୁ ପଦୋନ୍ନତି
୧- ଅନୁରାଗ ସିଂହ ଠାକୁର
୨- ଜି କିଷନ ରେଡ୍ଡି
୩- ପୁରୁଷୋତ୍ତମ ରୁପାଲା
୪- କିରେନ ରିଜିଜୁ
୫- ହରଦୀପ ସିଂହ ପୁରି
୬- ଜି କିଷାନ ରେଡ୍ଡି
୭- ରାଜ କୁମାର ସିଂହ

Comments are closed.