କ୍ରିକେଟ୍‌ ବିଶ୍ବକପ୍‌ ପାଇଁ ଟିମ୍‌ ଇଣ୍ଡିଆର ନୂଆ ଜର୍ସି

0

ହାଇଦରାବାଦ୍‌ : ଇଂଲଣ୍ଡରେ ଖେଳାଯିବାକୁ ଥିବା କ୍ରିକେଟ୍‌ ବିଶ୍ବକପ୍‌ ପାଇଁ ଭାରତୀୟ କ୍ରିକେଟ୍‌ ଦଳକୁ ମିଳିଛି ନୂଆ ଜର୍ସି। କ୍ରୀଡ଼ା ସାମଗ୍ରୀ ପ୍ରସ୍ତୁତକାରୀ କମ୍ପାନୀ ନାଇକି ଦ୍ବାରା ପ୍ରସ୍ତୁତ ନୂଆ ଜର୍ସିର ଉନ୍ମୋଚନ ଉତ୍ସବରେ ଭାରତୀୟ ଅଧିନାୟକ ବିରାଟ କୋହଲି, ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି, ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଯୁବ ଓପନର୍‌ ପୃଥ୍ବୀ ସ’ ଉପସ୍ଥିତ ଥିଲେ।
ଏହି ଅବସରରେ ନିଜ ପ୍ରତିକ୍ରିୟାରେ ଧୋନି କହିଥିଲେ, ଭାରତୀୟ କ୍ରିକେଟ୍‌ର ଅତୀତ ବେଶ୍‌ ଗୌରବମୟ। ଦଳ ପ୍ରତି ମ୍ୟାଚ୍‌ ଓ ସିରିଜ୍‌ ଜିତିବାକୁ ସର୍ବଦା ପ୍ରୟାସ କରିବା ସହ ସବୁ ଫର୍ମାଟ୍‌ରେ ବିଶ୍ବର ଏକନମ୍ବର ଦଳ ହେବାକୁ ଚାହେଁ। ଅତୀତର ସ୍ମୃତିଚାରଣ କରି ଧୋନି କହିଥିଲେ ୧୯୮୩ରେ କପିଳ ଦେବଙ୍କ ନେତୃତ୍ବାଧୀନ ଭାରତୀୟ ଦଳ ଯେତେବେଳେ କ୍ରିକେଟ୍ ବିଶ୍ବକପ୍‌ ଚମ୍ପିଆନ୍ ହୋଇଥିଲା, ସେତେବେଳେ ସେ କମ୍‌ ବୟସର ଥିଲେ। ପରେ ଏହି ଗୌରବମୟ ଇତିହାସର ଭିଡିଓ ସେ ବହୁବାର ଦେଖିଛନ୍ତି। ୨୦୦୭ରେ ତାଙ୍କ ନେତୃତ୍ବରେ ଭାରତ ଟ୍ବେଣ୍ଟି୨୦ ବିଶ୍ବକପ୍‌ ଜିତିଥିଲା। ଏହାପରେ ୨୦୧୧ରେ ଭାରତୀୟ ଦଳ ଦିନିକିଆ ବିଶ୍ବକପ୍‌ ଚମ୍ପିଆନ୍‌ ହୋଇଥିଲା। ଭାରତୀୟ ଖେଳାଳିଙ୍କ ନିମନ୍ତେ ଜର୍ସି ସର୍ବଦା ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହା ସେମାନଙ୍କୁ ଦାୟିତ୍ବବୋଧ ସଂପର୍କରେ ଅବଗତ କରାଇଥାଏ। ବିରାଟ କୋହଲି କହିଥିଲେ, ନୂଆ ଜର୍ସି ପ୍ରତି ଭାରତୀୟ କ୍ରିକେଟର୍‌ଙ୍କୁ ଗର୍ବ ଓ ଗୌରବର ବାର୍ତ୍ତା ପ୍ରଦାନ କରୁଛି। ଏହି ଜର୍ସି ପିନ୍ଧିବା ସହ ସେମାନେ ଏହାର ଗୁରୁତ୍ବ ଉପଲବ୍ଧି କରି ନିଜ ପ୍ରଦର୍ଶନ ମାଧ୍ୟମରେ ଦଳକୁ ଅଧିକରୁ ଅଧିକ ମ୍ୟାଚ୍‌ରେ ବିଜୟୀ କରାଇବେ ବୋଲି ଆଶା କରାଯାଉଛି।

Leave A Reply