ନୂତନ ସଂକ୍ରମିତଙ୍କ ସଂଖ୍ୟା ରୁଷରେ ୧୦ ହଜାର, ଚୀନରେ ଜଣେ

ମସ୍କୋ/ବେଜିଂ : କରୋନା ସଂକ୍ରମଣର ଭୟାବହତା ଚୀନରେ କମୁଥିବା ବେଳେ ରୁଷରେ ଅଧିକ ସାଙ୍ଘାତିକ ସ୍ଥିତି ସୃଷ୍ଟି କରିଛି। ଶନିବାର ରୁଷରେ ୧୦,୦୦୦ ଜଣ ନୂତନ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ଯାହାକି ଏହି ଦେଶରେ ବିଗତ ଦିନରେ ଚିହ୍ନଟ ନୂତନ ସଂକ୍ରମିତଙ୍କ ସଂଖ୍ୟାଠାରୁ ଖୁବ ବେଶୀ। ଅନ୍ୟପଟେ ଚୀନରେ ଦୈନିକ ନୂତନ ସଂକ୍ରମିତ ଚିହ୍ନଟ ସଂଖ୍ୟା କେବଳ ୧ରେ ସୀମିତ ରହିଛି । ରୁଷ ଅଧିକାରୀମାନଙ୍କ ସୂଚନା ଅନୁସାରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ଇତିମଧ୍ୟରେ ୯,୬୨୩ରୁ ବୃଦ୍ଧି ପାଇ ୧,୨୪,୦୫୪ରେ ପହଞ୍ଚିଛି। ଇଟାଲି, ସ୍ପେନ ଏବଂ ଆମେରିକା ତୁଳନାରେ ଏଠାରେ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ସଂଖ୍ୟା ଖୁବ କମ୍‌। ୨୪ ଘଣ୍ଟା ମଧ୍ୟରେ ୫୭ ଜଣ ପ୍ରାଣ ହରାଇବା ଦ୍ବାରା ମୋଟ ମୃତ୍ୟୁ ସଂଖ୍ୟା ୧,୨୨୨ରେ ପହଞ୍ଚିଛି। କେବଳ ରାଜଧାନୀ ମସ୍କୋରେ ୫,୩୫୮ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୬୨,୬୫୮ରେ ପହଞ୍ଚିଛି। କିନ୍ତୁ ଚୀନ ଧୀରେଧୀରେ କରୋନା ମୁକ୍ତ ହେଉଥିବା ଲକ୍ଷ୍ୟ କରାଯାଇଛି। ଏଠାରେ କୌଣସି ନୂତନ କୋଭିଡ-୧୯ ରୋଗୀଙ୍କ ମୃତ୍ୟୁ ଘଟି ନାହିଁ। ଅନ୍ୟପଟେ ସଂକ୍ରମିତଙ୍କ ମୃତ୍ୟୁସଂଖ୍ୟା ୪,୬୩୩ରେ ସୀମିତ ରହିଛି। ଶୁକ୍ରବାର ଦେଶରେ କେବଳ ଜଣେ ନୂତନ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଇତିମଧ୍ୟରେ ଆଉ କୌଣସି ବ୍ୟକ୍ତିଙ୍କଠାରେ ଏହି ସଂକ୍ରମଣ ଲକ୍ଷ୍ୟ କରାଯାଇ ନାହିଁ। ଶୁକ୍ରବାର ସୁଦ୍ଧା ଦେଶରେ ୮୨,୮୭୫ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ଦେଶରେ ୭୭,୬୮୫ ଜଣ ରୋଗୀ ଇତିମଧ୍ୟରେ କରୋନାମୁକ୍ତ ହୋଇଛନ୍ତି। ସମ୍ପ୍ରତି ଦେଶରେ ୧,୬୭୧ ଜଣ କୋଭିଡ-୧୯ ରୋଗୀ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି।

Comments are closed.