ଆଜି ଶପଥ ନେବେ କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ବାସବରାଜ

ବେଙ୍ଗାଲୁରୁ: ବି.ଏସ୍‌ ୟେଦ୍ୟୁରପ୍ପାଙ୍କ ସରକାରରେ ଗୃହମନ୍ତ୍ରୀ ଥିବା ବରିଷ୍ଠ ଲିଙ୍ଗାୟତ ନେତା ବାସବରାଜ ବୋମାଇ କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକରେ ବୋମାଇଙ୍କୁ ୟେଦ୍ୟୁରପ୍ପାଙ୍କ ଉତ୍ତରାଧିକାରୀ ଭାବେ ନିର୍ବାଚିତ କରାଯାଇଛି। ସେ ବୁଧବାର ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। କର୍ଣ୍ଣାଟକ ପାଇଁ ବିଜେପି ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜି. କିଷନ ରେଡ୍ଡି ପ୍ରମୁଖଙ୍କ ଉପସ୍ଥିତିରେ ଅନୁଷ୍ଠିତ ବୈଠକରେ ୟେଦ୍ୟୁରପ୍ପା ବୋମାଇଙ୍କ ନାମ ପ୍ରସ୍ତାବ କରିବା ପରେ ବିଧାୟକମାନେ ତାଙ୍କ ସପକ୍ଷରେ ମତ ଦେଇଥିଲେ। କିଛି ବିଧାୟକ କେନ୍ଦ୍ରୀୟ ପ୍ରତିନିଧିଙ୍କୁ ଭେଟି ସବୁବେଳେ ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରାଯାଉଛି; ଏବେ ଅନ୍ୟ ସମ୍ପ୍ରଦାୟରୁ କାହାକୁ ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ଦିଆଗଲେ ବିଜେପିକୁ ଲାଭ ମିଳିବ ବୋଲି ସେମାନେ ମତ ଦେଇଥିଲେ ମଧ୍ୟ ତାହା ଅଗ୍ରାହ୍ୟ ହୋଇଯାଇଥିଲା।

ଭାବୀ ମୁଖ୍ୟମନ୍ତ୍ରୀ ବାସବରାଜ ହେଉଛନ୍ତି ଦିବଂଗତ ଜନତା ଦଳ ନେତା, କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କେନ୍ଦ୍ରମନ୍ତ୍ରୀ ଏସ୍‌.ଆର ବୋମାଇଙ୍କ ପୁଅ। ​ସେ ୨୦୦୮ରେ ବିଜେପିରେ ଯୋଗ ଦେଇଥିଲେ। ଏହା ପୂର୍ବରୁ ଜଣେ ଯନ୍ତ୍ରୀ ଭାବେ ଟାଟା କମ୍ପାନୀରେ କାର୍ଯ୍ୟ କରୁଥିଲେ। ୟେଦ୍ୟୁରପ୍ପାଙ୍କର ଅତ୍ୟନ୍ତ ଘନିଷ୍ଠ ଥିବା ୬୧ ବର୍ଷୀୟ ବୋମାଇ ହାବେରୀ ଜିଲା ଅନ୍ତର୍ଗତ ସିଗାଓଁ ଆସନରୁ ତିନିଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ସେ ଦୁଇ ଥର ବିଧାନ ପରିଷଦ ସଦସ୍ୟ ମଧ୍ୟ ରହିଛନ୍ତି।

ସୂଚନାଯୋଗ୍ୟ ଯେ ବିଜେପି ପ୍ରତି ଲିଙ୍ଗାୟତମାନଙ୍କର ସବୁଠୁ ଅଧିକ ସମର୍ଥନ ରହିଛି। ଏହି ସମ୍ପ୍ରଦାୟ ରାଜ୍ୟରେ ବେଶ୍‌ ପ୍ରଭାବଶାଳୀ। ୧୯୫୬ଠାରୁ ଅଦ୍ୟାବଧି ମୁଖ୍ୟମନ୍ତ୍ରୀ ହୋଇଥିବା ୨୦ଜଣଙ୍କ ମଧ୍ୟରୁ ୮ଜଣ ହେଉଛନ୍ତି ଏହି ସମ୍ପ୍ରଦାୟର ନେତା। ବିଧାନସଭାର ୨୨୪ ଆସନ ମଧ୍ୟରୁ ୧୪୦ରେ ଏହି ସମ୍ପ୍ରଦାୟ ପ୍ରତିନିଧିତ୍ବ କରୁଛନ୍ତି। ଏହି ସମ୍ପ୍ରଦାୟର ବରିଷ୍ଠ ନେତା ୟେଦ୍ୟୁରପ୍ପା ସୋମବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।

Comments are closed.