ଅତ୍ୟାଧୁନିକ କର୍କଟ ଡାକ୍ତରଖାନା ଓ ଉପଶମ କେନ୍ଦ୍ରର ଭିତ୍ତି ସ୍ଥାପନ : ଗରିବଙ୍କୁ ମିଳିବ ମାଗଣା ସେବା

ବାଗଚୀ ଦମ୍ପତି ଦେବେ ୩୪୦ କୋଟି, ରାଜ୍ୟ ଦେବ ସବୁ ସହାୟତା

ଭୁବନେଶ୍ବର/ଖଣ୍ଡଗିରି : ପବିତ୍ର ରଥଯାତ୍ରା ଅବସରରେ ଭୁବନେଶ୍ବରରେ ଅତ୍ୟାଧୁନିକ କର୍କଟ ଡାକ୍ତରଖାନା ଓ ଉପଶମ କେନ୍ଦ୍ର(ପାଲିଏଟିଭ କେୟାର) ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଆସନ୍ତା ୨୦୨୪ ସୁଦ୍ଧା ରାଜ୍ୟବାସୀ ଏଥିରୁ ଚିକିତ୍ସା ସୁବିଧା ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ରଖିଛନ୍ତି। ଇନଫୋଭ୍ୟାଲିରେ ଏହି ଦୁଇଟି କେନ୍ଦ୍ର ପ୍ରତିଷ୍ଠା ହେବ। ରାଜ୍ୟ ସରକାର ଏନେଇ ମାଗଣାରେ ଜମି ଯୋଗାଇ ଦେଇଛନ୍ତି। ଏପ୍ରିଲରେ ରାଜ୍ୟ ସରକାର ଏବଂ ଶଙ୍କର କର୍କଟ ସଂସ୍ଥା, କରୁଣାଶ୍ରୟ ଉପଶମ କେନ୍ଦ୍ର ଓ ସୁସ୍ମିତା ବାଗଚୀ ଫାଉଣ୍ଡେସନ ମଧ୍ୟରେ ଦୁଇଟି ବୁଝାମଣା ପତ୍ର ସ୍ବାକ୍ଷର ହୋଇ ଏନେଇ ନିଷ୍ପତ୍ତି ହୋଇଥିଲା। ରାଜ୍ୟର ସ୍ବାସ୍ଥ୍ୟସେବା ବିକାଶରେ ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଛନ୍ତି।
ଦୁଇ କର୍କଟ କେନ୍ଦ୍ର ମଧ୍ୟରେ ବାଗଚୀ-ଶ୍ରୀ ଶଙ୍କର କର୍କଟ ଡାକ୍ତରଖାନା ଓ ଗବେଷଣା କେନ୍ଦ୍ର ଏବଂ ଅନ୍ୟଟି ବାଗଚୀ-କରୁଣାଶ୍ରୟ ପାଲିଏଟିଭ ଯତ୍ନ କେନ୍ଦ୍ର ରହିଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଏବଂ ପତ୍ନୀ ସୁସ୍ମିତା ବାଗଚୀ ଏହି ଦୁଇ ବିଶ୍ବସ୍ତରୀୟ କର୍କଟ ଯତ୍ନ କେନ୍ଦ୍ର ପାଇଁ ୩୪୦ କୋଟି ଟଙ୍କା ଦାନ କରିବେ। ୭୫୦ ଶଯ୍ୟା ବିଶିଷ୍ଟ କର୍କଟ ଡାକ୍ତରଖାନାକୁ ଶ୍ରୀ ଶଙ୍କର ଫାଉଣ୍ଡେସନ ପରିଚାଳନା କରିବ ଏବଂ ବେଙ୍ଗାଲୁରୁର ହସ୍ପାଇସ ଫାଉଣ୍ଡେସନ ଉପଶମ କେନ୍ଦ୍ର ପରିଚାଳନା କରିବ। ଉପଶମ କେନ୍ଦ୍ର ୧୧୦ ଶଯ୍ୟା ବିଶିଷ୍ଟ ହେବ ଏବଂ ଏହା ମାଗଣା ସେବା ପ୍ରଦାନ କରିବ। ଏହି ଦୁଇ କର୍କଟ ଯତ୍ନ କେନ୍ଦ୍ର ବିଶ୍ବସ୍ତରୀୟ ଚିକିତ୍ସା ପ୍ରଦାନ କରିବ। ୩୭ଏକର ଜମିରେ ପ୍ରତିଷ୍ଠା ହେବାକୁ ଥିବା ଏହି ଦୁଇ କେନ୍ଦ୍ରର ନିର୍ମାଣ ଯଥାଶୀଘ୍ର ସମ୍ପନ୍ନ କରିବାରେ ରାଜ୍ୟ ସରକାର ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବେ। ଓଡ଼ିଶାରେ ଏପରି ଅନୁଷ୍ଠାନ ପ୍ରତିଷ୍ଠାରେ ଭାଗୀଦାରି ହୋଇଥିବାରୁ ଶ୍ରୀ ବାଗଚୀ ଓ ଶ୍ରୀମତୀ ବାଗଚୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ ବଦାନ୍ୟତା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସେହିପରି ବିଗତ ୨୫ ବର୍ଷ ହେବ କର୍କଟ ଆକ୍ରାନ୍ତଙ୍କୁ ସମ୍ମାନର ସହ ମୃତ୍ୟୁ ପୂର୍ବବତ ଜୀବନ ବଞ୍ଚିବାରେ ସାହାଯ୍ୟ କରୁଥିବା ହସ୍ପାଇସ ଟ୍ରଷ୍ଟର କିଶୋର ରାଓ ଓ ଗୁରମିତ ରନ୍ଧାୱାଙ୍କ ପ୍ରଶଂସାକରି ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଏପରି ଅନୁଷ୍ଠାନ ପ୍ରତିଷ୍ଠା ହେଉଥିବାରୁ ଖୁସିବ୍ୟକ୍ତ କରିଛନ୍ତି। ମୁଖ୍ୟମନ୍ତ୍ରୀ ଓ ବାଗ୍‌ଚୀ ପରିବାରକୁ କୃତଜ୍ଞତା ଜଣାଇଛନ୍ତି ଶଙ୍କର ଫାଉଣ୍ଡେସନର ଡା ଶ୍ରୀନାଥ। ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା କର୍କଟ ଡାକ୍ତରଖାନାରେ ଅସ୍ଥିମଜ୍ଜା ପ୍ରତିରୋପଣ ସହିତ ସମସ୍ତ ପ୍ରକାର କର୍କଟ ଚିକିତ୍ସା ମିଳିବ ବୋଲି ସେ କହିଛନ୍ତି। ଅଙ୍କୋଲୋଜିରେ ଏଠାରେ ସ୍ନାତକୋତ୍ତର କରିବା ପାଇଁ ବ୍ୟବସ୍ଥା ରହିବ। ଅତିଥିମାନଙ୍କୁ ଶ୍ରୀ ଓ ଶ୍ରୀମତୀ ବାଗଚୀ ଧନ୍ୟବାଦ ଜଣାଇ ଜନସେବା ଠାରୁ ଅଧିକ ବଡ଼ ଧାର୍ମିକ କାର୍ଯ୍ୟ ଆଉ କିଛି ନୁହେଁ ବୋଲି କହିଛନ୍ତି।

Comments are closed.