ନୂଆ ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ ବଡ଼ ନିଷ୍ପତ୍ତି ସ୍ବାସ୍ଥ୍ୟକୁ ୨୩,୧୨୩ କୋଟି

-କୃଷି ଭିତ୍ତିଭୂମି, ମଣ୍ଡି ବ୍ୟବସ୍ଥା ପାଇଁ ୧ଲକ୍ଷ କୋଟିର ସହାୟତା
-ନଡ଼ିଆ ଉନ୍ନୟନ ବୋର୍ଡ ଆଇନ ୧୯୭୯ର ସଂଶୋଧନକୁ ଅନୁମୋଦନ
-ଆନ୍ଦୋଳନକାରୀ କୃଷକଙ୍କ ସହ ପୁଣି କଥାବାର୍ତ୍ତା ହେବ: ତୋମାର
-ସମୟାନୁବର୍ତ୍ତି ହୁଅ, ବିବାଦୀୟ ମନ୍ତବ୍ୟରୁ କ୍ଷାନ୍ତ ରୁହ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ସମ୍ପ୍ରସାରିତ କେନ୍ଦ୍ର ମନ୍ତ୍ରିମଣ୍ଡଳର ପ୍ରଥମ ବୈଠକରେ କେତେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଗୁରୁବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକରେ କୃଷି ଓ ସ୍ବାସ୍ଥ୍ୟକୁ ସର୍ବାଧିକ ଗୁରୁତ୍ବ ଦିଆଯାଇଛି। ବୈଠକରେ କୃଷିକ୍ଷେତ୍ର ଲାଗି ୧ଲକ୍ଷ କୋଟି ଟଙ୍କା ଓ ସ୍ବାସ୍ଥ୍ୟ କ୍ଷେତ୍ରକୁ ୨୩,୧୨୩ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରାଯାଇଛି। କରୋନା ମହାମାରୀ ବିରୋଧରେ ଲଢେଇ ନିମନ୍ତେ ୨୩,୧୨୩ କୋଟି ଟଙ୍କାର ‘‘ଭାରତ କୋଭିଡ୍‌-୧୯ ଜରୁରୀ ମୁକାବିଲା ଓ ସ୍ବାସ୍ଥ୍ୟ ବ୍ୟବସ୍ଥା ପ୍ରସ୍ତୁତି ସହାୟତା’’କୁ ଅନୁମୋଦନ ଦିଆଯାଇଛି। ଏଥିରେ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ କରାଯିବ। ଆଗାମୀ କରୋନା ଲହରରେ ଦେଶର ଶିଶୁମାନେ ପ୍ରଭାବିତ ହେବାର ଆଶଙ୍କା ଥିବାରୁ ୭୩୬ଟି ଜିଲାରେ ସ୍ବତନ୍ତ୍ର ଶିଶୁ ଯତ୍ନ କେନ୍ଦ୍ର (ଆଇସିୟୁ) ଖୋଲାଯିବ। ଯେଉଁଥିରେ ୨୦ପ୍ରତିଶତ ଆଇସିୟୁ ଶଯ୍ୟା ଶିଶୁ ଚିକିତ୍ସା ପାଇଁ ରହିବ। ଗ୍ରାମୀଣ, ଅର୍ଦ୍ଧସହରାଞ୍ଚଳ ଏବଂ ଜନଜାତି ଅଞ୍ଚଳରେ କରୋନା ସଂକ୍ରମଣ ବ୍ୟାପୀଥିବା କାରଣରୁ ବର୍ତ୍ତମାନର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚ୍‌ସି), ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚ୍‌ସି) ଏବଂ ଉପ ସ୍ବାସ୍ଥ୍ୟ କେନ୍ଦ୍ର (ଏସ୍‌ଏଚ୍‌ସି) ଆଦି ଯେଉଁଠା​‌ରେ ୬ରୁ ୨୦ ଶଯ୍ୟା ବିଶିଷ୍ଟ ୟୁନିଟ୍‌ ଅଛି ସେଠାରେ ଅତିରିକ୍ତ ଶଯ୍ୟା ଯୋଡ଼ିବାଲାଗି ଭିତ୍ତିଭୂମି ନିର୍ମାଣ କରାଯିବ। ଫଳରେ ସ୍ଥାନୀୟ ଲୋକଙ୍କୁ ସେଠାରେ ସୁବିଧାରେ ଚିକିତ୍ସା ମିଳିପାରିବ।
ସେହିପରି ଦ୍ବିତୀୟ ଓ ତୃତୀୟ ସହର (ଟାୟାର-୨ ଓ ୩) ଏବଂ ଜିଲା ମୁଖ୍ୟାଳୟଗୁଡ଼ିକର ଆବଶ୍ୟକତା ଆଧାରରେ ବଡ଼ କ୍ଷତ୍ରିୟ ଡାକ୍ତରଖାନା ଗୁଡ଼ିକରେ ଅଧିକ ୫୦ରୁ ୧୦୦ ଶଯ୍ୟା ବଢ଼ାଯିବ। ପ୍ରତି ଜିଲାରେ ଅତି କମ୍‌ରେ ଗୋଟିଏ ୟୁନିଟ୍‌କୁ ଅମ୍ଳଜାନ ଯୋଗାଇବାପାଇଁ ତରଳ ଡାକ୍ତରୀ ଅମ୍ଳଜାନ ସଂରକ୍ଷଣ ଟାଙ୍କି ପ୍ରତିଷ୍ଠା କରାଯିବ। ଏହି ସ୍ବାସ୍ଥ୍ୟ ସହାୟତା ଅର୍ଥରେ ୮,୮୦୦ ନୂଆ ଆମ୍ବୁଲାନ୍ସ ଯୋଗାଇ ଦିଆଯିବ।
ସେହିପରି ଦେଶରେ ଅଧିକ ୨୦ହଜାର ଆଇସିୟୁ (ସ୍ବତନ୍ତ୍ର ଚିକିତ୍ସା ଯତ୍ନ କେନ୍ଦ୍ର) ଶଯ୍ୟା ବ୍ୟବସ୍ଥା କରାଯିବ। ଏହି ଅର୍ଥ ଯୁଗ୍ମ ଭାବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା ବିନିଯୋଗ ହେବ ବୋଲି ନୂତନ ଦାୟିତ୍ବ ଗ୍ରହଣ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି। କରୋନା ବିରୋଧରେ ସଫଳ ଲଢ଼େଇ ପାଇଁ ସେ ୯ମାସର କଣ୍ଟ ଧାର୍ଯ୍ୟ କରିବା ସହ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଇଛନ୍ତି। ରାଜ୍ୟ ସରକାରମାନଙ୍କୁ ସହାୟତା ପୂର୍ବକ ସେମାନଙ୍କ ସହିତ ମିଶି ଏହି କାର୍ଯ୍ୟକୁ କ୍ଷିପ୍ର ଗତିରେ ଶେଷ କରିବାକୁ ମାଣ୍ଡଭୀୟ କହିଛନ୍ତି। କରୋନା ସହାୟତା ପାଣ୍ଠିରୁ ଏଥିପାଇଁ ଅର୍ଥ ବ୍ୟୟ ହେବ। କରୋନାର ଦ୍ବିତୀୟ ଲହରରେ ଅମ୍ଳଜାନ ଅଭାବ ସମସ୍ୟାର ମୁକାବିଲା କ୍ଷେତ୍ରରେ ମାଣ୍ଡଭୀୟ ବଡ଼ ଭୂମିକା ନିର୍ବାହ କରିଥିଲେ।
କ୍ୟାବିନେଟର ଦ୍ବିତୀୟ ବଡ ନିଷ୍ପତ୍ତି ଅନୁଯାୟୀ କୃଷି କ୍ଷେତ୍ରକୁ ଅନୁମୋଦନ କରାଯାଇଥିବା ୧ଲକ୍ଷ କୋଟି ଟଙ୍କା କୃଷି ଉତ୍ପାଦ ବଜାର କମିଟି (ଏପିଏମସି) ବାବଦରେ ଖର୍ଚ୍ଚ କରାଯିବ। ଏପିଏମସି ମାଧ୍ୟମରେ ଦେଶରେ କୃଷି ଉତ୍ପାଦିତ ସାମଗ୍ରୀର ବଜାରୀକରଣ ଓ ସଂରକ୍ଷଣ ନିମନ୍ତେ ଅଧିକ ବ୍ୟବସ୍ଥା କରାଯିବ। ଯେପରିକି ଅଧିକ ଶୀତଳ ଭଣ୍ଡାର ସ୍ଥାପନ, ମଣ୍ଡି, ଖୋଲା ଛାତ, ଖଳା ଆଦି ତିଆରି କରାଯିବ। ଏଥିପାଇଁ ଆଗ୍ରହୀ ସଂସ୍ଥାକୁ ୨କୋଟି ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଯୋଗାଇ ଦିଆଯିବ। ଏହି ଯୋଜନା ପରୋକ୍ଷରେ କୃଷକଙ୍କୁ ସହାୟକ ହେବ।
କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି ଯେ ଦେଶରେ କାର୍ଯ୍ୟକାରୀ ହୋଇଥିବା ନୂଆ କୃ​‌ଷି ଆଇନକୁ ପ୍ରତ୍ୟାହାର କରାଯିବ ନାହିଁ। ବରଂ ନୂଆ ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକଙ୍କ ସହିତ ସରକାର ପୁନର୍ବାର କଥାବାର୍ତ୍ତା କରିବେ। ନୂଆ ଆଇନ ଦ୍ବାରା ଦେଶରୁ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ହେବ ନାହିଁ। ଆନ୍ଦୋଳନକାରୀ କୃଷକଙ୍କ ଆନ୍ଦୋଳନରୁ ଓହରି କଥାବାର୍ତ୍ତା ନିମନ୍ତେ ଆସିବାକୁ ତୋମାର ପୁନର୍ବାର ନିବେଦନ କରିଛନ୍ତି। ନୂଆ କୃଷି ଆଇନକୁ ବିରୋଧ କରି ଦେଶର ପ୍ରାୟ ୪୦ଟି କୃଷକ ସଂଗଠନ ଜାନୁଆରୀ ୨୬ରୁ ଆନ୍ଦୋଳନ ଚଳାଇଛନ୍ତି।
କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ନଡିଆ ଉନ୍ନୟନ ବୋର୍ଡ ଆଇନ ୧୯୭୯ରେ ସଂଶୋଧନ କରାଯିବ। ଏହାଦ୍ବାରା ନଡିଆ ବୋର୍ଡରେ ଜଣେ ଅଧ୍ୟକ୍ଷ ନିଯୁକ୍ତି ପାଇବେ। ଏହି ଅଧ୍ୟକ୍ଷ ପଦ ନଡିଆ ଚାଷ ସହ ସମ୍ପୃକ୍ତ ଗୋଷ୍ଠୀର ବ୍ୟକ୍ତିବିଶେଷଙ୍କୁ ଏଥିରେ ନିଯୁକ୍ତି ଦିଆଯିବ।
ଆଜିର ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ମନ୍ତ୍ରୀମାନଙ୍କୁ ଶୃଙ୍ଖଳିତ ହେବା ଲାଗି କେତେକ ପରାମର୍ଶ ଦେଇଛନ୍ତି। ବିଶେଷକରି ସମୟାନୁବର୍ତ୍ତିତା ଓ ଅଯଥା ବିବାଦୀୟ ମନ୍ତବ୍ୟ ନଦେବାକୁ ପ୍ରଧାମମନ୍ତ୍ରୀ କହିଛନ୍ତି। ମନ୍ତ୍ରୀମାନଙ୍କୁ ସକାଳ ୯ଟା ୩୦ରେ କାର୍ଯ୍ୟାଳୟ ଆସିବାକୁ ସେ କହିଛନ୍ତି। ଲୋକଙ୍କୁ ଯେଉଁସବୁ ପ୍ରତିଶ୍ରୁତି ଦିଆଯାଇଛି ତାକୁ କାର୍ଯ୍ୟକାରୀ କରିବାକୁ କହିଛନ୍ତି। ସମାଜରୁ ସର୍ବନିମ୍ନସ୍ତରର ଲୋକ ଯେପରି ସରକାରଙ୍କ ସାହାଯ୍ୟ ପାଇପାରିବେ ସେଥିପ୍ରତି ଗୁରୁତ୍ବ ଦେବାକୁ କହିଛନ୍ତି। ମନ୍ତ୍ରୀମାନଙ୍କୁ ନିଜର ପୂର୍ବଜମାନଙ୍କୁ ଭେଟି ମନ୍ତ୍ରଣାଳୟ ସମ୍ପର୍କରେ ସେମାନଙ୍କ ଅଭିଜ୍ଞତା ଓ ପରାମର୍ଶ ନେବାକୁ କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କରୋନା ମହାମାରୀ ଶେଷ ହୋଇ ନାହିଁ। ଏହାକୁ ସମ୍ପୂର୍ଣ୍ଣ ବିନାଶ କରିବା ଲାଗି ସରକାର ପୂର୍ଣ୍ଣ କ୍ଷମତା ସହ କାର୍ଯ୍ୟକରିବେ।
ସୂଚନାଯୋଗ୍ୟ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରାଯାଇଥିଲା। ସମ୍ପ୍ରସାରିତ ମନ୍ତ୍ରିମଣ୍ଡଳରେ ୩୬ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯାଇଥିବାବେଳେ ୭ଜଣଙ୍କୁ କ୍ୟାବିନେଟ ପାହ୍ୟାକୁ ପଦୋନ୍ନତି ଦିଆଯାଇଥିଲା। ନୂଆ ମନ୍ତ୍ରିମଣ୍ଡଳରେ ଅନେକ ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରାଯାଇଥିବାବେଳେ ୧୨ ମନ୍ତ୍ରୀ ସରକାରରୁ ବାଦ୍‌ ପଡିଥିଲେ। ନୂଆ ଓ ବିଭାଗ ପରିବର୍ତ୍ତନ ହୋଇଥିବା ମନ୍ତ୍ରୀମାନେ ପଦଭାର ଗ୍ରହଣ କରିବା ପରେ କ୍ୟାବିନେଟ୍‌ ବୈଠକ ବସିଥିଲା।

Comments are closed.