ଦିନକରେ ଦେଶରେ ୩,୫୨,୯୯୧ ନୂଆ ସଂକ୍ରମିତ; ୨୮୧୨ ମୃତ

ଜଣେ କରୋନା ଆକ୍ରାନ୍ତ ତାଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ସଂକ୍ରମିତ କରୁଛନ୍ତି: ଏମ୍ସ ଚିକିତ୍ସକ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୩,୫୨,୯୯୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୭,୩୧୩,୧୬୩କୁ ବୃଦ୍ଧିପାଇଛି। ଏଥିସହିତ ଦିନକରେ ଭାରତରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୨୮୧୨ ଜଣ ପ୍ରାଣ ହରାଇଛନ୍ତି। ଏହି ମହାମାରୀରେ ମୃତ୍ୟୁ ସଂଖ୍ୟା ୧,୯୫,୧୨୩କୁ ବୃଦ୍ଧିପାଇଛି। ସଂପ୍ରତି ଦେଶରେ ମୋଟ ୨.୮ ନିୟୁତ ସକ୍ରିୟ ସଂକ୍ରମିତ ଥିବା ଜଣାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ କୋଭିଡ ଟିକା ନେବା ସହିତ ପୂର୍ଣ୍ଣ ସତର୍କତା ଅବଲମ୍ବନ କରିବାକୁ ନିବେଦନ କରିଛନ୍ତି। ସେ କହିଛନ୍ତି, କୋଭିଡ ସଂକ୍ରମଣର ଝଡ ଭାରତକୁ ଦୋହଲାଇ ଦେଇଛି। କାରଣ ସମଗ୍ର ବିଶ୍ୱରେ ଭାରତରେ ଗୋଟିଏ ଦିନରେ ସର୍ବାଧିକ ସଂଖ୍ୟାରେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ଗୁରୁତର ହୋଇପଡୁଥିବା ରୋଗୀଙ୍କର ଚିକିତ୍ସା ପାଇଁ ଦେଶରେ ଅମ୍ଳଜାନ ଏବଂ ଡାକ୍ତରଖାନାରେ ଶଯ୍ୟାର ଘୋର ଅଭାବ ପରିଲକ୍ଷିତ ହୋଇଛି। ଏହି ସମସ୍ୟା ଦୂର କରିବାକୁ ସରକାରୀ ଓ ବେସରକାରୀ ସ୍ତରରେ ଆପ୍ରାଣ ଉଦ୍ୟମ କର।।ଉଛି।
ଇତିମଧ୍ୟରେ ନୂଆଦିଲ୍ଲୀସ୍ଥିତ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ)ର ଚିକିତ୍ସକମାନେ ଜାଣିବାକୁ ପାଇଛନ୍ତି ଯେ ଦେଶରେ ଜଣେ କରୋନା ସଂକ୍ରମିତ ତାଙ୍କ ସଂସ୍ପର୍ଶରେ ଆସୁଥିବା ପ୍ରତି ୧୦ ଜଣଙ୍କ ମଧ୍ୟରୁ ୯ ଜଣଙ୍କୁ ସଂକ୍ରମିତ କରୁଛନ୍ତି। ଗତବର୍ଷ ଜଣେ ଆକ୍ରାନ୍ତ ତାଙ୍କ ସଂସ୍ପର୍ଶରେ ଆସୁଥିବା ୧୦ ଜଣଙ୍କ ମଧ୍ୟରୁ ହାରାହାରି ୪ ଜଣଙ୍କୁ ସଂକ୍ରମିତ କରୁଥିବା ଲକ୍ଷ୍ୟ କରାଯାଇଥିଲା।
ଗତକାଲି ମହାରାଷ୍ଟ୍ରରେ ଗୋଟିଏ ଦିନରେ ୮୩୨ ଜଣ କରୋନା ସଂକ୍ରମିତଙ୍କର ପ୍ରାଣହାନି ଘଟିଛି, ଯାହା ମହାମାରୀ ଆରମ୍ଭ ହେବା ଦିନଠାରୁ ଗୋଟିଏ ଦିନରେ ସର୍ବାଧିକ ମୃତ୍ୟୁସଂଖ୍ୟା ହୋଇଛି। ଏହାକୁ ମିଶାଇ ମହାରାଷ୍ଟ୍ରରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୪,୭୬୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୬,୧୯୧ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସମଗ୍ର ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୭,୭୮୦,୬୯୯ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧୨୫,୭୩୦,୧୨୩ ଜଣ ଆରୋଗ୍ୟଲାଭ କରିସାରିଥିବାବେଳେ ୩,୧୨୨,୪୨୭ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକା ଏଥିରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବାବେଳେ ତାହା ପଛକୁ ଭାରତ, ବ୍ରାଜିଲ, ଫ୍ରାନ୍ସ ଏବଂ ରୁଷିଆ ଆଦି ରାଷ୍ଟ୍ର ରହିଛନ୍ତି।

Comments are closed.